ଝରିଗାଁ : ଗାଁକୁ ରାସ୍ତା ନାହିଁ। ନଦୀରେ ପୋଲ ନିର୍ମାଣ ହୋଇପାରୁନି। ତେଣୁ ପ୍ରସବ ବେଦନାରେ ଛଟପଟ ଗର୍ଭବତୀଙ୍କୁ ୧କିଲୋମିଟର ଖଟିଆରେ ବୋହିବା ସହ ନଦୀ ପାର କରାଇଛନ୍ତି ସଂପର୍କୀୟ। ଏଭଳି ଏକ ଅଭାବନୀୟ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚକଲାପଦର ପଞ୍ଚାୟତରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଉପରୋକ୍ତ ପଞ୍ଚାୟତ ଡାହିମାଲ ଗାଁର ଦୁଇମହାଲ ସାହି ବସିନ୍ଦା ଭଜନ ଭତ୍ରାଙ୍କ ପତ୍ନୀ ଉଷାବତୀ ଭତ୍ରା (୨୦ବର୍ଷ) ଗତକାଲି ସକାଳେ ପ୍ରସବ ବେଦନା ଅନୁଭବ କରିଥିଲେ। ତେବେ ଡାକ୍ତରଖାନା ନେବାପାଇଁ ଯୋଗାଯୋଗର ଭଲ ବ୍ୟବସ୍ଥା ନଥିବାରୁ ପରିବାର ଲୋକ ଘରେ ପ୍ରସବ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଉଷାବତୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ସୋମବାର ସକାଳେ ସ୍ଥାନୀୟ ଆଶା କର୍ମୀ ନଳିନୀ ହରିଜନଙ୍କୁ ଖବର ଦିଆଯାଇଥିଲା। ଗର୍ଭବତୀଙ୍କୁ ଡାକ୍ତରଖାନା ନେବାପାଇଁ ନଳିନୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ଖବର ପାଇ ଆମ୍ବୁଲାନ୍ସ ଦୁଇମହାଲ ସାହି ଅଭିମୁଖେ ବାହାରିଥିଲା। କିନ୍ତୁ ଦୁଇମହାଲ ସାହି ଠାରୁ ଗୋଟିଏ କିଲୋମିଟର ଦୂରରେ ଥିବା ନଦୀ କୂଳରେ ଅଟକି ଯାଇଥିଲା। ବର୍ଷା ଯୋଗୁ ନଦୀରେ ଅଧିକ ପାଣି ପ୍ରବାହିତ ହେଉଥିବା ବେଳେ ନଦୀ ପାର ହେବା ପାଇଁ ପୋଲ ନିର୍ମାଣ ହୋଇପାରି ନାହିଁ। ଏମିତି ସ୍ଥିତିରେ ଆମ୍ବୁଲାନ୍ସ ଚାଳକ ବଂଶୀ ହରିଜନ ଚାଲି ଚାଲି ଦୁଇମହାଲ ସାହିରେ ପହଞ୍ଚିଥିଲେ।
ନଦୀ ନିକଟରେ ଆମ୍ବୁଲାନ୍ସ ଅଟକି ଯାଇଥିବା ଜାଣିବା ପରେ ସ୍ଥାନୀୟ ଆଶା କର୍ମୀ ଓ ଆମ୍ବୁଲାନ୍ସ ଚାଳକଙ୍କ ସହାୟତାରେ ସଂପର୍କୀୟମାନେ ଉଷାବତୀଙ୍କୁ ୧ କିଲୋମିଟର ଖଟିଆରେ ବୋହି ନେଇଥିଲେ। ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ଉଷାବତୀଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ପହଞ୍ଚିବାର ପ୍ରାୟ ଦୁଇ ଘଣ୍ଟା ପରେ ଉଷାବତୀ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ନବଜାତ ଶିଶୁ ଓ ଉଷାବତୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/jharigoan.jpg)