ପୁଣି ବୁହା ହେଲେ ଗର୍ଭବତୀ

କେନ୍ଦୁଝର : ଗାଁକୁ ରାସ୍ତା ନଥିବାରୁ ପୁଣି ଆଜି ଜଣେ ଗର୍ଭବତୀ ମହିଳା ୫ କିଲୋମିଟର ରାସ୍ତା ବୁହା ହୋଇ ଆସିଥିଲେ। ଏଥର ଖଟିଆରେ ନୁହେଁ ଷ୍ଟ୍ରେଚରରେ ବୁହା ହୋଇ ଆସିଛନ୍ତି। ଘଟଣାଟି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଉପରରାଇଗଡା ପଞ୍ଚାୟତ ଛଡାଡିହି ଗ୍ରାମର।

ଗ୍ରାମର ସୁରେଶ ମୁଣ୍ଡାଙ୍କ ପତ୍ନୀ ନିତିମା ମୁଣ୍ଡାଙ୍କର ଗତକାଲି ରାତିରୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ରାତିରେ ଡାକ୍ତରଖାନା ନେବାକୁ କୌଣସି ବ୍ୟବସ୍ଥା ନଥିଲା। ଛଡାଡିହି ଗ୍ରାମରୁ ପାଖପାଖି ୭ କିଲୋମିଟିର ଉପର ରାୟଗଡ଼ାରେ ରହୁଥିବା ଆଶା ଦିଦି ସାବିତ୍ରୀ ପ୍ରଧାନଙ୍କୁ ଖବର ଦେଇଥିଲେ। ସେ ୧୦୨ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ୧୦୨ ଆମ୍ବୁଲାନ୍ସ ସକାଳ ୯ଟା ବେଳେ ଛଡାଡିହି ଗ୍ରାମରୁ ୫ କିଲୋମିଟିର ଦୂରରେ ଅଟକି ରହିଥିଲା। କାରଣ ଗାଁକୁ ରାସ୍ତା ନାହିଁ। ଫଳରେ ଅନ୍ୟ ରୋଗୀଙ୍କ ପରି ନିତିମାଙ୍କୁ ମଧ୍ୟ ଗାଁର ଯୁବକ ଏକ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ସେଠାରୁ ୧୦୨ ଆମ୍ବୁଲାନ୍ସରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପାଖାପାଖି ୨ ଘଣ୍ଟା ରହିବା ପରେ ଡାକ୍ତର ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।

ଆଜିର ଘଟଣା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁ ଅଧିକାରୀମାନେ କାମ କରିବାକୁ ଦାୟିତ୍ବ ନେଇଥିଲେ ସେମାନଙ୍କୁ ନିଲମ୍ବନ କରାଯାଉ, ନଚେତ ଗାଁକୁ ଆଉ କୌଣସି ସରକାରୀ ଅଧିକାରୀଙ୍କୁ ଆସିବାକୁ ଦେବୁ ନାହିଁ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର