କେନ୍ଦୁଝର/ଚମ୍ପୁଆ : ମାସକ ପୂର୍ବରୁ କୋର୍ଟରୁ ଜାମିନ ପାଇଥିଲେ। ତେବେ ଜାମିନଦାର ଓ ଆବଶ୍ୟକ ଅର୍ଥ ଯୋଗାଡ଼ କରି ନପାରିବାରୁ ଚମ୍ପୁଆ ଜେଲ୍ରେ ହିଁ ରହିଥିଲେ ଜଣେ ଗର୍ଭବତୀ ମହିଳା। ସାଙ୍ଗରେ ପୁଣି ଥିଲା ଦୁଇବର୍ଷର ଶିଶୁ। ଶେଷରେ ମାନବିକତା ଦେଖାଇଲେ ଚମ୍ପୁଆ ଜେଲ୍ ଅଧୀକ୍ଷକ ଜୀବନ ସିଂ ମୁଣ୍ଡା।
ଆଇନଗତ ସହାୟତା ଓ ଆବଶ୍ୟକ ୩ ହଜାର ଟଙ୍କା ସେ ନିଜେ ଦେବା ସହ ଜାମିନଦାର ଯୋଗାଡ଼ କରିଥିଲେ। ଶେଷରେ ଏହି ଅସହାୟ ମହିଳାଙ୍କୁ ଜେଲ୍ରୁ ମୁକୁଳାଇ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଆବଶ୍ୟକ ଚିକିତ୍ସା କରାଯାଇଛି। ଏଭଳି କାର୍ଯ୍ୟ ପାଇଁ ପ୍ରଶଂସା ସାଉଁଟିଛନ୍ତି ଚମ୍ପୁଆ ଜେଲ ଅଧୀକ୍ଷକ।
ଚମ୍ପୁଆ ନିକଟବର୍ତ୍ତୀ ଝାଡ଼ଖଣ୍ଡର ଜୟନ୍ତୀଗଡ଼ ଅଞ୍ଚଳର ମହିଳା ଆଦିତ୍ୟ ସିର୍କା(୨୨)। ପ୍ରାୟ ୬ବର୍ଷ ତଳେ ବଲାଣି ଅଞ୍ଚଳର ବିଜୟ ମୁଣ୍ଡାଙ୍କୁ ସେ ଭଲପାଇ ବାହା ହୋଇଥିଲେ। ସମୟକ୍ରମେ ଆଦିତ୍ୟଙ୍କ ନାମରେ ବଲାଣି ଥାନାରେ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା। ଗତ ମେ ମାସ ୨୮ ତାରିଖରେ ପୁଲିସ ତାଙ୍କୁ ଗିରଫ କରି ବଡ଼ବିଲ ଜେଲ୍କୁ ପଠାଇ ଦେଇଥିଲା। ତାଙ୍କୁ ଗତ ୨୬ ତାରିଖରେ ଚମ୍ପୁଆ ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ଗିରଫ ସମୟରେ ମହିଳାଜଣକ ଗର୍ଭବତୀ ଥିଲେ। ଇତିମଧ୍ୟରେ ୮ମାସ ହୋଇ ଯାଇଥିବାରୁ ସନ୍ତାନ ଜନ୍ମ ପାଖେଇ ଆସିଥିଲା। ଏଭଳି ସ୍ଥିତିରେ ମାସକ ତଳେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ। କିନ୍ତୁ ଆବଶ୍ୟକ ଟଙ୍କା ଓ ଜାମିନଦାର ଅଭାବରୁ ଆଦିତ୍ୟ ଜେଲ୍ର ଚାରିକାନ୍ଥ ଭିତରେ ପଡ଼ି ରହିଥିଲେ। ଗର୍ଭବତୀ ମହିଳାଙ୍କ ଏଭଳି ଦୟନୀୟ ଅବସ୍ଥା ଦେଖି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ଶ୍ରୀ ମୁଣ୍ଡା ସହାୟତାର ହାତ ବଢ଼ାଇଥିଲେ। ସେ ପ୍ରଥମେ ଆଇନ୍ ସେବା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ପରେ ଆଇନ୍ ସେବା ସହାୟତା ଦ୍ୱାରା ଜଣେ ସ୍ୱତନ୍ତ୍ର ଓକିଲଙ୍କୁ ନିଯୁକ୍ତ କରାଯାଇଥିଲା। ନିଜେ ୩ ହଜାର ଟଙ୍କା ଖର୍ଚ୍ଚ କରିବା ସହ ଜାମିନଦାର ଠିକ୍ କରିଥିଲେ। ଆଇନ୍ ଅନୁଯାୟୀ ସମସ୍ତ ପ୍ରକାର କାଗଜପତ୍ର କାମ ଶେଷ ହେବାପରେ ଗତକାଲି ସନ୍ଧ୍ୟାରେ ଆଦିତ୍ୟ ଜେଲ୍ରୁ ବାହାରିଥିଲେ। ପରେ ଆଦିତ୍ୟଙ୍କୁ ମା’ଗୃହରେ ରଖିବାର ବ୍ୟବସ୍ଥା କରିଥିଲେ। ପିଲା ଜନ୍ମ ହେବା ପର୍ଯ୍ୟନ୍ତ ଆଦିତ୍ୟ ସେଠାରେ ରହିବେ ଏବଂ ଡାକ୍ତରଖାନା ପକ୍ଷରୁ ତାଙ୍କର ଉପଯୁକ୍ତ ଚିକିତ୍ସା କରାଯାଉଥିବା ଶ୍ରୀ ମୁଣ୍ଡା ସୂଚନା ଦେଇଛନ୍ତି।