ଘୁ.ଉଦୟଗିରି,  (ସମୀର ପାଢ଼ୀ): ସେ ପ୍ରାୟତଃ ଗାଁ ନିକଟ ସହରକୁ ସଉଦା ପାଇଁ ଆସୁଥିଲେ। ଆଉ ବେଳେବେଳେ ହୋଟେଲରେ ଖାଉଥିଲେ। ଦିନେ ଦେଖିଲେ ହୋଟେଲର ବହୁ ଖାଦ୍ୟ ନଷ୍ଟ ହେଉଛି। ହୋଟେଲ ମାଲିକ ସକାଳୁ ପଚାସଢ଼ା ଖାଦ୍ୟକୁ ବାହାରେ ଏଣେତେଣେ ଫିଙ୍ଗୁଛନ୍ତି। ଏହା ଦେଖି ବିଚଳିତ ହୋଇଥିଲେ ଜଣେ ଆଦିବାସୀ ମହିଳା। ମନକୁ ତାଙ୍କର ଅନେକ ପ୍ରଶ୍ନ ଆସିଥିଲା। ଗୋଟିଏ ପଟେ ପଚାସଢ଼ା ଖାଦ୍ୟ ଏଣେତେଣେ ଫିଙ୍ଗିବା ଦ୍ବାରା ପରିବେଶ ଦୂଷିତ ହେଉଛି। ଅନ୍ୟପଟେ ଖାଦ୍ୟ ମଧ୍ୟ ନଷ୍ଟ ମଧ୍ୟ ହେଉଛି। ମହିଳା ଜଣକ ଚିନ୍ତା କଲେ, କଣ କଲେ ନଷ୍ଟ ହେଉଥିବା ଖାଦ୍ୟ ଉପଯୋଗ ହେବ ଓ ଏଥିରୁ କିଛି ସୁଫଳ ମିଳିପାରିବ। ତାଙ୍କ ମନକୁ ଏକ ଉପାୟ ଆସିଲା, ଏହିସବୁ ନଷ୍ଟ ଖାଦ୍ୟକୁ ଏକତ୍ର କରି ସେ ଘୁଷୁରିଙ୍କ ଖାଦ୍ୟ ଭାବେ ବ୍ୟବହାର କରିପାରିବେ।

Advertisment

ତୁରନ୍ତ ସେ ‌ସଂପୃକ୍ତ ହୋଟେଲ ମାଳିକଙ୍କ ସହ କଥା ହେଲେ। ସହରର ଅନ୍ୟ ହୋଟେଲ ସହ ବି କଥା ହେଲେ। ହୋଟେଲ ମାଲିକମାନେ ରାଜି ହେବା ପରେ ସେ ସଙ୍ଗେ ସଙ୍ଗେ ବଜାରରୁ ଘୋଡ଼ଣି ଥିବା ବଡ଼ ବଡ଼ ପ୍ଲାଷ୍ଟିକ୍‌ ବକେଟ୍‌ କିଣି ଘରକୁ ଗଲେ। ପରଦିନ ସେ ୪ଟି ଘୁଷୁରି କିଣି ଆରମ୍ଭ କରିଦେଲେ ଘୁଷୁରି ଚାଷ । ପ୍ଲାଷ୍ଟିକ୍‌ ବକେଟ୍‌କୁ ହୋଟେଲରେ ନେଇ ରଖିଲେ। ପ୍ରତିଦିନ ହୋଟଲର ବଳକା ଖାଦ୍ୟକୁ ବକେଟ୍‌ରେ ଅଟୋ ଯୋଗେ ନିଜ ଗାଁକୁ ନେଇ ନିଜ ଘୁଷୁରଙ୍କୁ ଖାଇବାକୁ ଦେଲେ। ୪ଟି ଘୁଷୁରିକୁ ନେଇ ଘୁଷୁରି ଚାଷ କରିଥିବା ଏହି ମହିଳାଙ୍କ ପାଖରେ ଏବେ ୫୦ରୁ ଊର୍ଦ୍ଧ୍ବ ଘୁଷୁରି। ଏହି ସଫଳ ମହିଳା ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ ରାଇକଲା ପଞ୍ଚାୟତ ଖାରିଆପଡ଼ା (ପାଙ୍ଗାନାଜୁ) ଗ୍ରାମର ପ୍ରେମଶୀଳା ନାୟକ, ବୟସ ୫୮। ଏହି ଘଟଣା ପରଠାରୁ ସେ ଦୀର୍ଘ ବର୍ଷ ହେଲା ପ୍ରଗତି ମହିଳା ମଣ୍ଡଳ ନାମରେ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ଘୁଷୁରି ଚାଷ କରି ଆତ୍ମନିର୍ଭରଶୀଳ ହେବା ସହ ପାଖ ସହରର ସ୍ୱଚ୍ଛତା ରକ୍ଷା କ୍ଷେତ୍ରରେ ମଧ୍ୟ ଚିନ୍ତା କରୁଛନ୍ତି।

publive-image

ପ୍ରେମଶୀଳାଙ୍କ ଗାଁ ଠାରୁ ଘୁ. ଉଦୟଗିରି ସହର ପ୍ରାୟ ୭କିମି ଦୂର। ରାଜ୍ୟ ସରକାରଙ୍କ ମିସନ୍‌ ଶକ୍ତି ମହିଳା ସଶକ୍ତୀକରଣ ଅଭିଯାନର ଲାଭ ଉଠାଇ ପ୍ରେମଶୀଳା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ଋଣ ଆଣି ପରିବା ଚାଷ ଆରମ୍ଭ କରିଥିଲେ। ନିଜ ଜମିରେ ବିନ୍‌ସ, ଫୁଲକୋବି ଓ ହଳଦୀ ଆଦି ଚାଷ କରି କିଛି କିଛି ରୋଜଗାର କରିଥିଲେ। ହେଲେ ଏଥିରେ ଖର୍ଚ୍ଚ ଅଧିକ ହେଉଥିଲା। ଅଦିନିଆ ବର୍ଷା, ଖରାରେ ପରିବା ଫସଲ ନଷ୍ଟ ହେଲେ କ୍ଷତି ସହିବାକୁ ପଡୁଥିଲା।

ହେଲେ ଯେଉଁ ଦିନରୁ ସେ ଘୁଷୁରି ଚାଷ ଆରମ୍ଭ କଲେ, ସେବେଠାରୁ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଘୁଷୁରି ଚାଷ ଏକ ଲାଭଜନକ ଚାଷ। କମ୍‌ ଖର୍ଚ୍ଚରେ ଅଧିକ ଲାଭ। ଏପରିକି ଘୁଷୁରି ଥରକେ ୬ରୁ ୧୦ଟି ଛୁଆ ଜନ୍ମ ଦେଇଥାନ୍ତି। ଅତିଶୀଘ୍ର ବଂଶ ବୃଦ୍ଧି ବି ହୋଇଥାଏ। ଗୋଟିଏ ଗୋଟିଏ ଘୁଷୁରି ୧୦ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହୁଏ। ପ୍ରେମଶୀଳାଙ୍କ ପାଠପଢ଼ା କହିଲେ ମାତ୍ର ମାଇନର୍‌ ପାସ୍‌, ହେଲେ ନିଜସ୍ବ ବୁଦ୍ଧି ବଳରେ ଘୁଷୁରି ଚାଷ କରି ଆଜି ସେ ଜଣେ ସଫଳ ଉଦ୍ୟୋଗୀ।