ପ୍ରେରଣା ଅନ୍ତର୍ଜାତୀୟ ସବୁଜ ମହୋତ୍ସବର ଲୋଗୋ ଉନ୍ମୋଚିତ

ଭୁବନେଶ୍ବର: ନୂଆବର୍ଷ ପାଇଁ ଏବେ ସବୁଆଡ଼େ ଉତ୍ସବର ପରିବେଶ । ସମସ୍ତେ ମଉଜ ମଜଲିସ୍‌ କରିବା ପାଇଁ ଛୁଟିମନସ୍କ ହୋଇପଡ଼ିଲେଣି। ତେବେ ଏଭଳି ସମୟରେ ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ଏକ ନୂଆ ପ୍ରୟାସ ଆରମ୍ଭ କରାଯାଇଛି। ମଉଜ ମଜ୍‌ଲିସ୍‌ ଭିତରେ ବିଶ୍ବକୁ ସବୁଜ କରିବା ପାଇଁ ପ୍ରେରଣା ଗ୍ରିନ୍ ଆର୍ମି ସମସ୍ତଙ୍କ ମନରେ ସ୍ବପ୍ନ ସୃଷ୍ଟି କରିଛି। ନୂଆବର୍ଷ ପାଳନ ଅବସରରେ ସମସ୍ତ ଓଡ଼ିଆ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଏହି ସ୍ବେଚ୍ଛାସେବୀ ସଂଗଠନ ଯେଉଁ ପ୍ରୟାସ ଆରମ୍ଭ କରିଛି, ତାହା ବେଶ୍ ପ୍ରଶଂସନୀୟ। ଆଜି ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ଅନ୍ତର୍ଜାତୀୟ ସବୁଜ ମହୋତ୍ସବ ଲୋଗୋ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

ଉତ୍ସବରେ ସଭାପତିତ୍ବ କରିଥିବା ପ୍ରେରଣା ଗ୍ରିନ୍ ଆର୍ମିର କମାଣ୍ଡାଣ୍ଟ ଇନ୍‌ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ସୂଚନା ଦେଇ କହିଲେ, ଡିସେମ୍ବର ୨୯ରୁ ଜାନୁଆରି ୫ ପର୍ଯ୍ୟନ୍ତ ଏହି ଅନ୍ତର୍ଜାତୀୟ ସବୁଜ ମହୋତ୍ସବ ଚାଲିବ। ଓଡ଼ିଶାର ସମସ୍ତ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସମତେ ରାଜ୍ୟ ବାହାରେ ଓ ବିଦେଶରେ ଥିବା ଓଡ଼ିଆ ସଂଗଠନମାନେ ଏହି ଉତ୍ସବକୁ ପାଳନ କରିବେ। ନୂଆବର୍ଷ ଖୁସିରେ ସମସ୍ତ ଓଡ଼ିଆ ଗୋଟିଏ ଗୋଟିଏ ଗଛ ଲଗାଇଲେ, ସବୁଜ ବିଶ୍ବ ଗଠନ ସମ୍ଭବ ହୋଇପାରିବ। ଏଥିପାଇଁ ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ବହୁ ସଂଗଠନ ସହ ଯୋଗାଯୋଗ କରିଛି ଓ ଉକ୍ତ ସଂଗଠନମାନେ ଗଛ ଲଗାଇ ଉତ୍ସବ ପାଳନର ଫଟୋ ପ୍ରେରଣା ଗ୍ରିନ୍ ଆର୍ମିକୁ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ବିଶ୍ବରେ ଆମ ଓଡ଼ିଆଙ୍କ ପାଇଁ ଏକ ସ୍ବତନ୍ତ୍ର ସମ୍ମାନ ଆଣିବ ବୋଲି ଡ. ଶ୍ରୀଚନ୍ଦନ କହିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଆୟକର ଅଧିକାରୀ ଶରତ କୁମାର ଦାସ, ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ଡ. ଅଜୟ ତ୍ରିପାଠୀ, ଡ. ସୁନୀତି ମୁଣ୍ଡ୍‌, ନିହାରୀକା ଦାସ, ସ୍ବାଧୀନା ଦାସ, ଶୁଚିସ୍ମିତା ପୃଷ୍ଟି, ଜିଜ୍ଞାସୁ ପଣ୍ଡା, ଅବନୀ ଜେନା, ରଂଜନ ମହାପାତ୍ର, ଅଜୟ କୁମାର ସିଂହ, ଓଡ଼ିଆ ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର