ରାଉରକେଲା: ଜିଲ୍ଲାରେ କୋଭିଡ୍ ସଂକ୍ରମଣ ଉପରମୁହାଁ। ବିଶେଷକରି ଗତ ଦୁଇ ଦିନ ହେଲା ଜିଲ୍ଲାର ସଂକ୍ରମଣ, ଦୁଇଗୁଣରୁ ଅଧିକ ବଢ଼ିଛି। ଏହି କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ଜିଲ୍ଲାବାସୀଙ୍କୁ ବହୁମାତ୍ରାରେ ଭୟଭୀତ କରିଛି। ଅପରପକ୍ଷରେ ସବୁକିଛି ଖୋଲାମେଲା କରି ସଂକ୍ରମଣକୁ ନିମନ୍ତ୍ରଣ ଦେଇଥିବା ଜିଲ୍ଲା ପ୍ରଶାସନ ଆଜି ହଠାତ୍ ନିଦରୁ ଉଠିଛି। ସଂକ୍ରମଣ ବୃଦ୍ଧି ପାଇସାରିଥିବାବେଳେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକ ଆୟୋଜନ କରୁଛି।
ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କ ଭିତରେ ସୀମିତ ରହିଥିଲା। କିନ୍ତୁ ଗତ ୩୦ ତାରିଖରୁ ସଂଖ୍ୟା ଦୁଇ ଅଙ୍କ ଛୁଇଁଥିଲା, ତଥାପି ଏହି ସଂଖ୍ୟା ୩୦/୪୦ ଭିତରେ ରହିଥିଲା। ତେବେ ଗତ ଦୁଇ ଦିନ ହେଲା ସଂକ୍ରମଣ ହାର, ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଗତକାଲି ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ୬୯ ଥିଲା। ଆଜି ଏହି ସଂଖ୍ୟା ୧୬୬ରେ ପହଞ୍ଚିଛି। ଏହାସହ ରାଜ୍ୟ ତାଲିକାରେ ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି। ସେହିଭଳି ଗତ ୩ ତାରିଖରେ ଜିଲ୍ଲାରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨ ତାରିଖରେ ୩୮ ଜଣ, ୧ ତାରିଖରେ ୨୩ ଜଣ, ଡିସେମ୍ବର ୩୧ରେ ୧୫, ଡିସେମ୍ବର ୩୦ରେ ୧୩, ୨୯ରେ ୭ ଜଣ ଚିହ୍ନଟ ହୋଇଥିଲେ।
ଜିଲ୍ଲାରେ କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ୍ମେଣ୍ଟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ସ୍ଥିତିର ସମୀକ୍ଷାକରି ଜିଲ୍ଲାପାଳ କହିଲେ, ଜନସାଧାରଣଙ୍କ ସହଯୋଗ ଓ ପ୍ରଶାସନର ପୂର୍ବ ପ୍ରସ୍ତୁତିଯୋଗୁଁ କୋଭିଡ୍ର ପ୍ରଥମ ଓ ଦ୍ବିତୀୟ ଲହରକୁ ନିୟନ୍ତ୍ରଣ କରିବାରେ ସଫଳତା ମିଳିଥିଲା। କୋଭିଡ୍ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ରାଉରକେଲା, ସୁନ୍ଦରଗଡ଼ରେ କୋଭିଡ୍ ହସ୍ପିଟାଲଗୁଡ଼ିକ ପ୍ରସ୍ତୁତ ରହିଛି। ରୋଗୀଙ୍କ ପାଇଁ ଆବଶ୍ୟକ ବେଡ୍ ପ୍ରସ୍ତୁତ କରାଯାଉଥିବାବେଳେ କୋଭିଡ୍ ପରୀକ୍ଷା ପାଇଁ ଆବଶ୍ୟକ ଟେଷ୍ଟିଂ କିଟ୍ ମଧ୍ୟ ରହିଛି।
ତେବେ କୋଭିଡ୍ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଥିବାବେଳେ ଜନସାଧାରଣ ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି। କହିଲେ, ଜିଲ୍ଲାକୁ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ଧ୍ୟାନ ରଖିବାକୁ ହେବ। ବିଶେଷକରି ରାଉରକେଲା ରେଳ ଷ୍ଟେସନ ସମେତ ଜିଲ୍ଲାର ବିଭିନ୍ନ ବସ୍ ଷ୍ଟାଣ୍ଡ ଉପରେ ସ୍ବତନ୍ତ୍ର ନଜର ରଖିବା, ଯାତ୍ରୀମାନଙ୍କର ଥର୍ମାଲ ସ୍କାନିଂ, ହୋମ୍ ଆଇସୋଲେସନ ବ୍ୟବସ୍ଥାର କଡ଼ା ପାଳନ, ସାପ୍ତାହିକ ହାଟ, ଦୈନିକ ହାଟରେ ଭିଡ଼ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ରାପିଡ୍ ରେସପନ୍ସ ଟିମ୍(ଆରଆରଟି)କୁ ପୁନଃ ସକ୍ରିୟ କରିବା, ପୂର୍ବର କୋଭିଡ୍ କେୟାର ସେଣ୍ଟରଗୁଡ଼ିକୁ ପ୍ରସ୍ତୁତ ସହ ଭଲଭାବେ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା ବଜାୟ ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ୍ୱର ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସରୋଜ ମିଶ୍ର, ରାଉରକେଲା ସରକାରୀ ଚିକିତ୍ସାଳୟର ନିର୍ଦ୍ଦେଶକ ଡା. ସନ୍ତୋଷ ସ୍ୱାଇଁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାର ଡା. କାହ୍ନୁ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/5fa18b0b-5d47-463a-a1fc-b52c447c79ab.jpg)