ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷ ନାମଲେଖା ପୂର୍ବରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ମତାମତ ଲୋଡ଼ିବ ଉଚ୍ଚଶିକ୍ଷା ବିଭାଗ। ଏନେଇ ଆସନ୍ତା ୧୨ତାରିଖରେ ଉଚ୍ଚଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ସେଥିରେ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ଓ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ସାମିଲ ହେବେ। ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ସାଢ଼େ ୧ଟା ପର୍ଯ୍ୟନ୍ତ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନା କରାଯିବ। ସମସ୍ତ ଅଧିକାରୀମାନେ ଜିଲ୍ଲାର ଓସ୍ବାସ ଭବନରେ ଉପସ୍ଥିତ ରହି ଭିଡିଓ କନ୍‌ଫରେନ୍ସିଂରେ ସାମିଲ ହେବାକୁ ଉଚ୍ଚଶିକ୍ଷା ବିଭାଗ ପରଫର୍ମାନ୍ସ ଟ୍ରାକିଂ ସେଲ୍‌ର ଅଫିସର୍‌-ଇନ୍‌-ଚାର୍ଜ ମିହିର କୁମାର ଦାଶ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀଜଗନ୍ନାଥ ସଂସ୍କତ ବିଶ୍ବବିଦ୍ୟାଳୟ ଓ ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ବବିଦ୍ୟାଳୟ ଏଥିରେ ସାମିଲ ହେବେ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ ଦ୍ବାରା ପରିଚାଳିତ ବିଭିନ୍ନ ସେମିଷ୍ଟର୍‌ ପରୀକ୍ଷାର ସମୀକ୍ଷା କରାଯିବ। ଏଥିସହ ପ୍ରଥମଥର ଲାଗି ଲାଗୁ ହେବାକୁ ଯାଉଥିବା ଏକକ ପିଜି ପ୍ରବେଶିକା ଓ ୨୦୨୦-୨୧ ଶିକ୍ଷାବର୍ଷ ନାମଲେଖା ସମ୍ପର୍କରେ ବି ଆଲୋଚନା କରାଯିବ। ଏକକ ପିଜି ପରୀକ୍ଷା ପରିଚାଳନା ଲାଗି ଉତ୍କଳ ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ କେତେ ପ୍ରସ୍ତୁତ ରହିଛନ୍ତି, ସେନେଇ ବି ମାନସମନ୍ଥନ ହେବ। ଏଥିସହ ଆଉ କିଛି ଗୁରୁତ୍ବପୂର୍ଣ୍ଣ ବିଷୟରେ ବି ଆଲୋଚନା ହୋଇପାରେ।

ଶିକ୍ଷାନୀତି ଉପରେ ବିଚାରବିମର୍ଶ କରିବେ ରାଜ୍ୟ ସରକାର
ଭୁବନେଶ୍ବର : ଜାତୀୟ ଶିକ୍ଷା ନୀତି-୨୦୨୦ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏନେଇ ବକ୍ତବ୍ୟ ରଖିଛନ୍ତି। ଶିକ୍ଷାନୀତିର ଆବଶ୍ୟକତା, ଉପକାରିତା ଆଦି ବିଷୟରେ ଦେଶର ଜନସାଧ‌ାରଣଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରଥମଥର ଲାଗି ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି ପରେ ୱେବ୍‌ସାଇଟ୍‌ରେ ଜାତୀୟ ଶିକ୍ଷାନୀତିର ଅଳ୍ପ କିଛି ପଏଣ୍ଟ ଉପଲବ୍ଧ ହୋଇଛି। ସମ୍ପୂର୍ଣ୍ଣ ପଲିସି ଆସିଲେ, ତାହାକୁ ତର୍ଜମା କରାଯିବା ସହ ଏହା ଉପରେ ବ୍ୟାପକ ବିଚାରବିମର୍ଶ କରିବୁ। ବିଶେଷକରି ଓଡ଼ିଶା ପରିପ୍ରେକ୍ଷୀରେ କ’ଣ କ’ଣ ସୁବିଧା ହୋଇପାରିବ, ଓଡ଼ିଶା କିପରି ଲାଭବାନ୍‌ ହେବ, ସେନେଇ ତର୍ଜମା କରି ମନ୍ତବ୍ୟ ଦିଆଯିବ।

କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ କୋଭିଡ-୧୯ ଗାଇଡଲାଇନ୍‌ ଅନୁସାରେ ଆମକୁ ଆଗେଇବାକୁ ପଡ଼ୁଛି। ପର୍ଯ୍ୟାୟକ୍ରମେ କେନ୍ଦ୍ର ସରକାର ନିର୍ଦେଶାବଳି ଜାରି କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ପ୍ରତି ମାସର ସ୍ଥିତିକୁ ଦେଖି ଗାଇଡ୍‌ଲାଇନ୍‌ ଜାରି କରୁଛନ୍ତି। ସେହି ଗାଇଡ୍‌ଲାଇନ୍‌ ଅନୁଯାୟୀ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ସ୍ଥିତିକୁ ଦେଖି ଯାହା କିଛି ନିଷ୍ପତ୍ତି ନିଆଯିବ।