ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତକୁ ନେଇ ସଜେଇ ହେଉଛି ଗାଁରୁ ସହର। ରାଷ୍ଟ୍ରପତିଙ୍କ ଆଗମନ ନେଇ ଜନ୍ମମାଟି ତଥା ପୈତୃକ ଗାଁ ଉପରବେଡ଼ା ଚଳଚଞ୍ଚଳ ହୋଇ ଉଠିଛି। ସେ ଦେଶର ସର୍ବୋଚ୍ଚ ନାଗରିକ ରାଷ୍ଟ୍ରପତି ହେବା ପରେ ଉପରବେଡା ଗ୍ରାମକୁ ତାଙ୍କର ଏହା ପ୍ରଥମ ଗସ୍ତ। ତେଣୁ ସମଗ୍ର ଗାଁ ଦାଣ୍ଡରେ ଥିବା ଜନ୍ମ ସମୟର ଗଛ ପତ୍ର, ଧୂଳି ମାଟି, ଗ୍ରାମର ଘର ଦ୍ୱାର ରାସ୍ତା ଘାଟ ବିଦ୍ୟାଳୟ, ମାଆ ମାଉସୀ, ଭାଇ ଭଉଣୀ ସମେତ ବନ୍ଧ ପୋଖରୀ ମଧ୍ୟ ସଜେଇ ହେଉଛି। ରାଷ୍ଟ୍ରପତିଙ୍କ ପୈତୃକ ଘର କାନ୍ଥ ସହ ପ୍ରଥମ ଶିକ୍ଷା ପାଇଁ ପାଦ ଥାପି ଥିବା ସେହି ବିଦ୍ୟାଳୟ, ରାସ୍ତାଘାଟ ଗୁଡିକୁ ରଙ୍ଗବେରଙ୍ଗରେ ସଜାଇବା ନିମନ୍ତେ ଜୋରସୋର କାମ ଚାଲିଛି।
ଏହି ଖବର ପଢ଼ନ୍ତୁ: ଆଇନ ବ୍ୟବସ୍ଥାକୁ ସହଜ କରିପାରିଲେ ଗରିବ ଲୋକ ଉପକୃତ ହେବେ
କୁସୁମୀ ବ୍ଲକ ଅଞ୍ଚଳରେ ଥିବା ୫ଟି ୱାର୍ଡରେ ବସବାସ କରୁଥିବା ଉପରବେଡା ଗାଁରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜନ୍ମଗ୍ରହଣ କରିବା ସହିତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ। ତେଣୁ ସେ ୬ ଡିସେମ୍ବର ଦିନ ତାଙ୍କ ପୈତୃକ ଗାଁକୁ ଆସି ବିଦ୍ୟାଳୟ ପରିଦର୍ଶନ କରିବା ସହ ବର୍ତ୍ତମାନର ଶିକ୍ଷକ ଶିକ୍ଷୟିତ୍ରୀ, ସହ ନିଜେ ପଢିଥିବା ସମୟର ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ନିଜ ସହପାଠୀଙ୍କ ସହିତ ଭାବ ବିନିମୟ କରିବା ପାଇଁ ସ୍ଥିର କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ବେଶ ଉତ୍ସାହିତ ଅଛନ୍ତି। ତାଙ୍କ ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିବେ ବୋଲି ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମୁର୍ମୁ ସୂଚନା ଦେଇଛନ୍ତି।
ଗ୍ରାମବାସୀ ରାଷ୍ଟ୍ରପତିଙ୍କୁ ଆଦିବାସୀ ପରମ୍ପରାଗତ ରୀତିନୀତିରେ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବିଶେଷକରି ରାଷ୍ଟ୍ରପତିଙ୍କ ପୁତୁରା ଓ ତାଙ୍କ ପରିବାର ତାଙ୍କୁ ସ୍ବାଗତ ପାଇଁ ଉତ୍ସାହିତ ରହିଛନ୍ତି। ଚଳିତ ବର୍ଷ ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କେନ୍ଦ୍ରର ବିଶେଷ ଅନୁଦାନରୁ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି। ବିଦ୍ୟାଳୟ ପରିସରରେ ପଣ୍ଡିତ ରଘୁନାଥ ମୁର୍ମୁ କକ୍ଷ, ସହିତ ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁ, ଉତ୍କଳ ମଣି ଗୋପବନ୍ଧୁଙ୍କ ନାମିତ ସ୍ବତନ୍ତ୍ର କକ୍ଷ ରହିଛି। ବିଦ୍ୟାଳୟ ପରିସର ସହିତ କାନ୍ଥ ଗୁଡିକରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଚିତ୍ର ଅଙ୍କନ କରାଯାଉଛି।
ଏହି ଖବର ପଢ଼ନ୍ତୁ: ଶପଥ ନେଲେ ଦେବେନ୍ଦ୍ର ଫଡନାବୀସ
ଉପରବେଡା ଗାଁରୁ ବିଦ୍ୟାଳୟ ଯିବା ରାସ୍ତା ମଧ୍ୟ ଚଢାଚକ କରାଯାଉଛି। କୁସୁମୀ ବ୍ଳକ କାଦୁଆଣୀ ଗ୍ରାମ ଛକଠାରୁ ଅଳ୍ପ ଦୂରରେ ଥିବା କାହ୍ନୁ ନଦୀକୂଳରେ ଥିବା ରଙ୍ଗାମାଟିଆ ଗ୍ରାମ ପଡ଼ିଆରେ ରାଷ୍ଟ୍ରପତିଙ୍କ ୩ଟି ଵାୟୁସେନାର ହେଲିକପ୍ଟର ଅବତରଣ ପାଇଁ ୩ଟି ହେଲିପ୍ୟାଡ ନିର୍ମାଣ ହୋଇଛି। ଏହା ବ୍ୟତୀତ ଦୁଇ କିଲୋମିଟର ଦୂର ରାଞ୍ଚି ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ହାଟବାଦଡ଼ା ସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟପାଳ ରଘୁବର ଦାସଙ୍କ ହେଲିକପ୍ଟର ଅବତରଣ ପାଇଁ ମଧ୍ୟ ହେଲିପ୍ୟାଡ଼ ନିର୍ମାଣ କରାଯାଇଛି।
ରାଷ୍ଟ୍ରପତି ରଙ୍ଗାମାଟିଆ ପଡ଼ିଆଠାରେ ଅବତରଣ କରିବା ପରେ ପ୍ରାୟ ଏକ କିଲୋମିଟର ଦୂର ନିଜ ଗ୍ରାମକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହିତ ସଡ଼କ ମାର୍ଗରେ ନିଜ ଜନ୍ମମାଟି ଉପରବେଡା ଗାଁକୁ ଯିବେ। ସେଠାରେ ସେ ପଢିଥିବା ପ୍ରାଥମିକ ବିଦ୍ୟାଳୟକୁ ଯାଇ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ ବୋଲି ସୂଚନା ମିଳିଛି। ଏହା ପରେ ସଡ଼କ ପଥରେ ରାଇରଙ୍ଗପୁରସ୍ଥ ନିଜ ବାସ ଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଉପଖଣ୍ଡ ଚିକିତ୍ସାଳୟରେ ଶୀତ ତାପ ବିଶିଷ୍ଟ ଆମ୍ବୁଲାନ୍ସ ସେବା ଓ ଏଲଆଇସି ପକ୍ଷରୁ ପ୍ରଦାନ କରାଯାଇଥିବା ସର୍ଗରଥକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସେଠାରୁ ଦାଣ୍ଡବୋଷ ବିମାନ ବନ୍ଦର, ଜନ ଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର ଏବଂ ଉପଖଣ୍ଡ ଚିକିତ୍ସାଳୟର ଶିଳାନ୍ୟାସ କରିବେ ବୋଲି ସୂଚନା ମିଳିଛି। ପରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଗସ୍ତ କରି ସେଠାରେ ଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାଙ୍କ ସହିତ ଭାନ ବିନିମୟ କରିବେ।
ଏହି ଖବର ପଢ଼ନ୍ତୁ: କୃଷକଙ୍କ ଦିଲ୍ଲୀ ଅଭିଯାନକୁ ଭିନେଶଙ୍କ ସମର୍ଥନ
ସେଠାରୁ ଫେରିବା ପରେ କୁଚେଇବୁଢୀସ୍ଥ ବାବା ପୂର୍ଣ୍ଣେଶ୍ବର ମହାଦେବ ଯେଉଁଠିକି ରାଷ୍ଟ୍ରପତି ହେବା ପରେ ଝାଡ଼ୁ ମାରି ମନ୍ଦିର ସଫା କରିଥିଲେ ସେହି ମନ୍ଦିର ପରିସରରେ ଗଣେଶଙ୍କ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି। ରାତିରେ ମହୁଲଡିହାସ୍ଥ ନିଜ ବାସଭବନରେ ବିଶ୍ରାମ ଓ ଭୋଜନ କରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ସହର ରାଇରଙ୍ଗପୁର ଓ ଉପରବେଡା ଅଞ୍ଚଳରେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏନେଇ ଜିଲ୍ଲାପାଳ, ଏସପି, ଗୁଇନ୍ଦା ବିଭାଗ, ଟ୍ରାଫିକ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ରରୁ ଉଚ୍ଚ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ରାଷ୍ଟ୍ରପତିଙ୍କ ଗସ୍ତରେ କୈଣସି ତ୍ରୁଟି ନ ହୁଏ ସେ ନେଇ ତଦାରଖ କରୁଛନ୍ତି। ବିଦ୍ୟୁତ୍ରେ କୌଣସି ବିଭ୍ରାନ୍ତ ନ ଘଟୁ ଏନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଗସ୍ତ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଗସ୍ତ ପାଇଁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି।
ଏହି ଖବର ପଢ଼ନ୍ତୁ: ପୁଷ୍ପା-୨ର ମହଙ୍ଗା ଟିକେଟ ମୂଲ୍ୟ