୨୦୨୪ ନିର୍ବାଚନ ପାଇଁ ସଜବାଜ: ସଂଗଠନ ସଜାଡ଼ିବାରେ ବ୍ୟସ୍ତ ବିଜେଡି, ବିଜେପି

ଉଠିପାରୁନି କଂଗ୍ରେସ, ଦଳ ଛାଡ଼ୁଛନ୍ତି କର୍ମୀ

ବାରିପଦା: ୨୦୨୪ରେ ସାଧାରଣ ନିର୍ବାଚନ। ଏଥି ନିମନ୍ତେ ଏବେଠୁ ସବୁ ରାଜନୈତିକ ଦଳ ସଂଗଠନ ସଜାଡ଼ିବା ସହ କ୍ଷେତ୍ର ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଭୋଟରଙ୍କ ମନ ଜିଣିବା ପାଇଁ ଏକରକମ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ଓ ବିଜେପି ୨୦୨୪ ପାଇଁ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ କଂଗ୍ରେସ କିନ୍ତୁ ଏଥିରେ ବହୁ ପଛରେ ପଡ଼ିଛି। ଦଳରେ କାହାର ସ୍ବର କି ଶବ୍ଦ ଶୁଭୁନି। କର୍ମୀମାନେ ଅନ୍ୟ ଦଳ ମୁହାଁ ହେଉଛନ୍ତି। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ। କାରଣ ଗତ ୨୦୧୯ ନିର୍ବାଚନରେ ସମଗ୍ର ରାଜ୍ୟରେ ବିଜେଡିର ପ୍ରବଳ ହାୱା ସତ୍ତ୍ବେ ମୟୂରଭଞ୍ଜରେ ଦଳ ଫେଲ୍ ମାରଥିଲା। ସାଂସଦ ପଦ ଓ ୬ ବିଧାୟକ ପଦକୁ ବିଜେପି ଅକ୍ତିଆର କରି ନେଇଥିଲା।

ଆଉ ବିଜେଡି ଭାଗରେ ମାତ୍ର ୩ଟି ବିଧାନସଭା ଆସନ ପଡ଼ିଥିଲା। କଂଗ୍ରେସ ଦ୍ବିତୀୟରୁ ତୃତୀୟ ସ୍ଥାନକୁ ଖସିଯାଇଥିଲା। ତେବେ ୨୦୧୯ର ପୁନରାବୃତ୍ତି ଯେଭଳି ୨୦୨୪ରେ ନହେବ ସେଥି ନିମନ୍ତେ ବିଜେଡି ଏବେଠୁ ସଂଗଠନ ସଜଡ଼‌‌‌‌ା ଆରମ୍ଭ କରି ଦେଇଛି। ବିଭିନ୍ନ ପଦପଦବିରେ ମହିଳା, ପୁରୁଷ, ଯୁବ ଓ ଛାତ୍ରମାନଙ୍କୁ ନିଯୁକ୍ତ କରି ‌ଦଳ କ୍ଷେତ୍ର ପ୍ରସ୍ତୁତ କଲାଣି। ବୃକ୍ଷରୋପଣ ହେଉ କି ରକ୍ତଦାନ। ଆଉ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ପୂର୍ବ ନିର୍ବାଚନର ବଦଲା ବିଜେପିଠାରୁ ନେବାକୁ ବିଜେଡି ଏକରକମ ଅଣ୍ଟା ଭିଡ଼ିଲାଣି। ନିକଟରେ ସରକାରୀ କାର୍ଯ୍ୟକ୍ରମରେ ଆସି ଦଳର ସୁପ୍ରିମୋ ବିଗୁଲ ବଜାଇ ଦେଇ ଗଲେଣି। ତେବେ ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିର ବିପୁଳ ସଫଳତା ହାସଲ ପରେ ଆସନ୍ତା ସାଧାରଣ ନିର୍ବାଚନରେ ଜିତିବା ସହଜ ହେବ ବୋଲି ଦଳୀୟ ନେତା ବେଶ ଆଶାବାଦୀ ଅଛନ୍ତି। ବିଜେପି ବି ପଛରେ ପଡ଼ି ନାହିଁ। ଦଳର ବରିଷ୍ଠ ନେତ୍ରୀ ତଥା ଏହି ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ପରେ ବିଜେପି ବେଶ୍‌ ଉତ୍ସାହିତ ରହିଛି।

ଦ୍ରୌପଦୀଙ୍କ ନାଁ ନେଇ ଗତ ନିର୍ବାଚନର ପୁନରାବୃତ୍ତି କରିବାକୁ ଦଳର ନେତାମାନେ ଆଶାବାଦୀ ରହିଛନ୍ତି। ଦଳ ପକ୍ଷରୁ ବୃକ୍ଷରୋପଣ, ସଫେଇ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରାଯାଉଛି। ବିଜେଡି ଓ ବିଜେପି ମଧ୍ୟରେ ଆସନ୍ତା ନିର୍ବାଚନ କଡ଼ା ଟକ୍କର ହେବାକୁ ଯାଉଥିବା ବେଳେ କଂଗ୍ରେସ ଦୌଡ଼ରେ ଥିବା ଭଳି ମନେ‌ହେଉ ନାହିଁ। ୨୦୦୦ ମସିହା ପରଠୁ ମୟୂରଭଞ୍ଚରୁ କଂଗ୍ରେସରୁ ନା ସାଂସଦ ନା ବିଧାୟକ; କେହି ଜିତି ପାରିପାରୁ ନାହାନ୍ତି। ଏମିତିକି ପଞ୍ଚାୟତ ଓ ପୌର ନିର୍ବାଚନରେ ବି ଦଳ ଶୋଚନୀୟ ପରାଜୟବରଣ କରିଛି। କେନ୍ଦ୍ର ଓ ରାଜ୍ୟସ୍ତରରେ ଦଳର ଦୁର୍ବଳ ସଂଗଠନ ଯୋଗୁଁ ବରିଷ୍ଠ ନେତା ଓ କର୍ମୀ ଅନ୍ୟ ଦଳ ମୁହାଁ ହୋଇପଡ଼ିଛନ୍ତି। ମୟୂରଭଞ୍ଜରେ ବି କିଛି ହାତଗଣତି ନେତା ଓ କର୍ମୀ ଛୋଟମୋଟ କାର୍ଯ୍ୟକ୍ରମ ଆୟୋଜନ କରି କେବଳ ଉପସ୍ଥିତି ଜାହିର କରୁଛନ୍ତି ସତ ହେଲେ ଦୃଢ଼ ନେତୃତ୍ବ ଅଭାବରୁ ଦଳର ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏମିତି କି କୌଣସି କାର୍ଯ୍ୟକମରେ ଦଳୀୟ କର୍ମୀଙ୍କୁ ଆଉ ଦେଖିବାକୁ ମିଳୁନି। ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ବିଜେଡି ଓ ବିଜେପି ସେମାନଙ୍କର ରଣନୀତି ସେତିକି ଟାଣ କରି ଚାଲିଛନ୍ତି। ଆଉ ଟକ୍କର ଦେବାକୁ କଂଗ୍ରେସ ସକ୍ଷମ ହେବା ଅବସ୍ଥାରେ ନାହିଁ କି ଦଳରୁ ଫାଇଦା ପାଇଥିବା ନେତା ଓ ନେତ୍ରୀ ସଂଗଠନ ସଜାଡ଼ିବା ନିମନ୍ତେ ଇଛା ପ୍ରକାଶ କରୁ ନାହାନ୍ତି।

ସମ୍ବନ୍ଧିତ ଖବର