ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜରେ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ନାମଲେଖା ପ୍ରକ୍ରିୟା ସାମ୍‌ସ ମାଧ୍ୟମରେ ହେଉଥିବାରୁ ଯେତେଶୀଘ୍ର ସମ୍ଭବ କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ସମସ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ବିଭାଗୀୟ ଉପନି‌‌ର୍ଦ୍ଦେଶକ ରାଜେଶ କୁମାର ସାହୁ ଆଜି ସମସ୍ତ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ଓ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ସାମ୍‌ସ ପୋର୍ଟାଲରେ ମାଷ୍ଟର ଡାଟାବେସ୍‌ ଅପଡେସନ୍‌ କରିବା ଦିଗରେ ପଦକ୍ଷେପ ନିଅନ୍ତୁ। ଏଥିପାଇଁ ଜୁନ୍‌ ୨୮ରୁ ଆବଶ୍ୟକ ଲିଙ୍କ୍‌ ଉପଲବ୍ଧ ହେବ। ନାମଲେଖା ଫି’ ସମେତ କୋର୍ସ ଫି’, ବ୍ୟାଙ୍କ ଆକଉଣ୍ଟର ସମ୍ପୂର୍ଣ୍ଣ ବିବରଣୀ, ହଷ୍ଟେଲ ତଥ୍ୟ, କଲେଜ ନାମ, ମୋବାଇଲ୍‌ ନମ୍ବର(ହ୍ବାଟସ୍‌ଆପ୍‌ ନମ୍ବର), ଅଧ୍ୟକ୍ଷଙ୍କ ଇ-ମେଲ୍‌, ନାମଲେଖା ଅଧିକାରୀ, ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କ ତଥ୍ୟ ଦେବା‌କୁ କୁହାଯାଇଛି।

Advertisment

୨୦୨୧-୨୨ ଶିକ୍ଷାବର୍ଷର ତଥ୍ୟ ଯଦି ଏଥର ଥିବ, ତେବେ ବି ପୁଣିଥରେ ଡାଟା ଅପ୍‌ଡେଟ୍‌ କରି ଦାଖଲ କରିବାକୁ ହେବ। ନ ହେଲେ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଦାଖଲ ସମୟରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ନାମ ଦେଖାଇବ ନାହିଁ। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନେ ଇତି ମଧ୍ୟରେ ସେମାନଙ୍କ ମାଷ୍ଟର ଡାଟାବେସ୍‌ ସାମ୍‌ସ ପୋର୍ଟାଲରେ ଦାଖଲ କରିସାରିଛନ୍ତି। ଯଦି ସେଥିରେ କୌଣସ ପରିବର୍ତ୍ତନ ଆବଶ୍ୟକ, ତାହା ହେଲେ ଜୁଲାଇ ୯ ସୁଦ୍ଧା ତାହାକୁ ଶେଷ କରିବାକୁ କୁହାଯାଇଛି। ସେପଟେ ଯୁକ୍ତ୩ ନାମଲେଖା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ଠାରୁ ସମ୍ପୂର୍ଣ୍ଣ ତଥ୍ୟ ମଗାଯାଇଛି। ୨୦୧୩ରୁ ୨୦୨୨ ମଧ୍ୟରେ ଯୁକ୍ତ୨ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ସିଡି/ଡିଭିଡି/ପେନ୍‌ ଡ୍ରାଇଭ୍‌/ଇ-ମେଲ୍‌ ମାଧ୍ୟମରେ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ପରିଷଦ ଅଧ୍ୟକ୍ଷଙ୍କୁ କୁହାଯାଇଛି।