ବଜେଟ୍ ପ୍ରସ୍ତୁତି ରାସ୍ତାରେ ଅର୍ଥ କଣ୍ଟା, ବିଭାଗମାନଙ୍କ ହାତ ବାନ୍ଧିଦେଲେ

ଭୁବନେଶ୍ବର : ୨୦୨୦-୨୧ଆର୍ଥିକ ବର୍ଷ ଲାଗି ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଅର୍ଥ ସଚିବ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହିତ ଆଲୋଚନା ଆରମ୍ଭ କରିଛନ୍ତି। ‘୫-ଟି’ ଡରରେ ଏବେ ଗୋଟିଏ ପଟେ ସବୁ ବିଭାଗ ଆଖିଦୃଶିଆ ପ୍ରଦର୍ଶନ କରିବେ ବୋଲି ଧାରଣା ଦେବାକୁ ଅର୍ଥ ବିଭାଗ ସାମ୍ନାରେ ବଢ଼େଇଚଢ଼େଇ ଦାବି ରଖୁଛନ୍ତି। ଏଇଟା କରିଦେବୁ, ସେଇଟା ହେବା ଦରକାର, ଏମିତି ନ ହେଲେ, ବାର୍ତ୍ତା ଭୁଲ ଯିବ, ଏ ପ୍ରକଳ୍ପ ବହୁତ ଦିନ ହେଲା ଅଚଳ ହୋଇ ରହିଛି ଏମିତି ଦର୍ଶାଇ ଅର୍ଥ ମାଗିବା ଆରମ୍ଭ କରିଛନ୍ତି। ଗତବର୍ଷ ତୁଳନାରେ ଢେର୍ ଅଧିକ ଟଙ୍କା ମାଗୁଛନ୍ତି। ଏ ହିସାବକିତାବ ରାଜ୍ୟ ଅର୍ଥ ବିଭାଗର ମୁଣ୍ଡ ଗୋଳମାଳ କରିଦେଲାଣି।

ପରିସ୍ଥିତି ଏମିତି ହୋଇଛି ଯେ ବିଭାଗମାନେ ଯାହା ମାଗୁଛନ୍ତି, ତାହା ନ ଦିଆଗଲେ, ସରକାରର ପ୍ରଦର୍ଶନ ଖରାପ ଦୋଷ ମୁଣ୍ଡାଇବ ଅର୍ଥ ବିଭାଗ। ଏପଟେ ରାଜସ୍ବ ଆଦାୟ ଆକଳନ ଚିତ୍ର ଉତ୍ସାହଜନକ ନୁହେଁ। ପଞ୍ଚଦଶ ଅର୍ଥ କମିସନଙ୍କ ସୂତ୍ରରୁ ଏଥର କୌଣସି ଆଖିଦୃଶିଆ ସହାୟତା ମିଳିବା ସମ୍ଭାବନା ପ୍ରାୟତଃ ନାହିଁ।

ଏଣୁ ବିଭାଗମାନଙ୍କ ମନଇଚ୍ଛା ଦାବିକୁ ରୋକ ଲଗାଇବା ପାଇଁ ଅର୍ଥ ବିଭାଗ ନୂଆ ଫନ୍ଦି କରିଛନ୍ତି। ବଜେଟ୍ ପ୍ରକ୍ରିୟାରେ ସଂସ୍କାର ଆଳରେ ବିଭାଗମାନଙ୍କ ହାତକୁ ବାନ୍ଧି ରଖାଯିବ। ଯେତିକି ଟଙ୍କା ଅର୍ଥ ବିଭାଗ କହିବ, ବିଭାଗମାନେ ସେତିକି ଟଙ୍କାର ଚୂଡ଼ାନ୍ତ ପ୍ରସ୍ତାବ ଦେବେ। ତା ଛଡ଼ା କାହା କଥା କିଛି ଶୁଣାଯିବ ନାହିଁ। ଅର୍ଥ ବିଭାଗର ଏଭଳି ଯୋଜନା ଏବେ ସବୁ ବିଭାଗକୁ ଅସନ୍ତୁଷ୍ଟ କଲାଣି।

ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ଅର୍ଥ ବିଭାଗ ଯେଉଁ ଚିଠି କରିଛି, ସେଥିରେ ଗୋଟିଏ ସଙ୍କେତ ଦିଆଯାଇଛି, ହେଲେ ବାସ୍ତବତା ତା’ଠାରୁ ବହୁ ଦୂରରେ। ଏଥର ସରକାର ୫ ବର୍ଷିଆ ବିକାଶ ଯୋଜନାକୁ ଅଗ୍ରାଧିକାର ଦେବା କଥା କୁହାଯାଇଛି।

ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ କରିବାକୁ ଅର୍ଥ ବିଭାଗ ତା ଚିଠିରେ ଦର୍ଶାଇଛି। ବିଶେଷକରି ରାଜ୍ୟରୁ ଦାରିଦ୍ର୍ୟ ହ୍ରାସ କରିବା, କୃଷକମାନଙ୍କ ଆୟ ବଢ଼ାଇବା, ସମସ୍ତଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇବା, ସୁଲଭ ମୂଲ୍ୟରେ ଉତ୍ତମମାନର ସ୍ବାସ୍ଥ୍ୟସେବା ସୁବିଧା, ଉତ୍ତମ ଗୁଣବତ୍ତାଯୁକ୍ତ ଶିକ୍ଷା ଏବଂ ଦକ୍ଷତା ବିକାଶ, ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଆଣିବା ନିମନ୍ତେ ଭିତ୍ତିଭୂମି ବ୍ୟବସ୍ଥାରେ ବିକାଶ କରାଯିବ। କେବଳ ସେତିକି ନୁହେଁ; ମହିଳା, ଏସ୍‌ସି, ଏସ୍‌ଟି ଏବଂ ଅନ୍ୟ ଦୁର୍ବଳ ବର୍ଗର ଲୋକଙ୍କୁ ବିଭିନ୍ନ ପ୍ରକାର ଅର୍ଥନୈତିକ କାର୍ଯ୍ୟରେ ସାମିଲ କରି ସେମାନଙ୍କ ସ୍ଥିତିରେ ଉନ୍ନତି ଆଣିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ବଜେଟ୍‌ରେ ଏହା ଉପରେ ଗୁରୁତ୍ବ ଦିଆଯିବ ଓ େସ ଆଧାରରେ ବିଭାଗମାନେ ଯୋଜନା କରିବେ ଓ ଅର୍ଥ ବିଭାଗ ଟଙ୍କା ଯୋଗାଡ଼ କରିବେ। ହେଲେ ଟଙ୍କା ବେଳକୁ କୁନ୍ଥକୁନ୍ଥ। ଉଭୟ କଥା ଏକାସାଙ୍ଗରେ କେମିତି ହେବ?

ରାଜ୍ୟ ଅର୍ଥନୀତି ଚିତ୍ର ଭିନ୍ନ ସ୍ଥିତି ସଂପର୍କରେ ସୂଚାଉଛି। ମାନ୍ଦାବସ୍ଥା ଜାରି ରହିଥିବା ବେଳେ କୌଣସି ଗୋଟିଏ ସୂତ୍ରରୁ ବହୁତ ଅଧିକ ଅର୍ଥ ଆସିବା ଭଳି ଚିତ୍ର ଏଯାଏ ବାବୁମାନେ ପାଇପାରୁନାହାନ୍ତି।

ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି, ପଞ୍ଚଦଶ ଅର୍ଥ କମିସନଙ୍କ କାର୍ଯ୍ୟ ଅବଧିକୁ କେନ୍ଦ୍ର ସରକାର ଆଉ ଏକ ବର୍ଷ ବଢ଼ାଇ ଦେଇଛନ୍ତି। ଇତିମଧ୍ୟରେ କମିସନ ୨୦୨୦-୨୧ ବର୍ଷ ପାଇଁ ଅନ୍ତରୀଣ ସୁପାରିସ କରିସାରିଲେଣି। ଏହା ଉପରେ ସରକାର ନିର୍ଦିଷ୍ଟ କି ପଦକ୍ଷେପ ନେଲେ, ସେ ରିେପାର୍ଟ ସହ ଆସନ୍ତା ଅଧିବେଶନରେ କେନ୍ଦ୍ର ସରକାର ସ୍ଥିତି ସ୍ପଷ୍ଟ କରିବେ। ନୂଆ ରାଜ୍ୟ ଗଠନ ଆଦି କାରଣରୁ କମିସନଙ୍କୁ ଅଧିକ ସମୟ ଦିଆଯାଇଛି। ଯେଉଁଥିପାଇଁ ପୂର୍ଣ୍ଣାଙ୍ଗ ରିପୋର୍ଟ ଏବେ ମିଳିବାର ନାହିଁ ଓ ରଣନୀତି ସଂପର୍କରେ ଠୋସ୍ ସଙ୍କେତ ବି ମିଳିପାରିବ ନାହିଁ। ଏହାବ୍ୟତୀତ ଏଥର କମିସନଙ୍କ ରିପୋର୍ଟରେ ଆଉ ଏକ ସମସ୍ୟା ମଧ୍ୟ ରହିଛି। ତାହା ହେଲା, ଗତ ଅଗଷ୍ଟ ମାସରେ କମିସନ ଟର୍ମସ ଆଣ୍ଡ ରେଫରେନ୍ସରେ ପରିବର୍ତନ ଆଣି ସେଥିରେ ଅନ୍ତର୍ଦେଶୀୟ ସୁରକ୍ଷା ଓ ପ୍ରତିରକ୍ଷା ଖର୍ଚ୍ଚକୁ ବିଚାରକୁ ନେବା କଥା ଉଲ୍ଲେଖ କରିଥିଲେ। ଅର୍ଥାତ୍ ରାଜ୍ୟମାନଙ୍କ ପାଇଁ ରାଶି ଆବଣ୍ଟନ ପରିମାଣ ବଢ଼ିବା ଆଶା କରିବା ବୃଥା।

ବିଭାଗର କହିବା କଥା, ଚତୁର୍ଦଶ ଅର୍ଥ କମିସନ ସୁପାରିସରେ ବି ରାଜ୍ୟ ପ୍ରଚଣ୍ଡ େଧାକା ସାମ୍ନା କରିଛି। ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଓଡ଼ିଶାକୁ ୧ଲକ୍ଷ ୮୪ ହଜାର ୭୦ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଥିଲା। ମାତ୍ର ଏହି ସମୟ ମଧ୍ୟରେ ୧ଲକ୍ଷ ୫୬ ହଜାର ୮୧ କୋଟି ଟଙ୍କା ମିଳିଲା। ପାଖାପାଖି ୨୭ ହଜାର ୯୮୯ କୋଟି ଟଙ୍କା କମ୍। ଏହାର ପ୍ରଚଣ୍ଡ ପ୍ରଭାବ ବଜେଟ୍ ଉପରେ ପଡ଼ିଛି ଓ ବିକାଶ ଉପରେ ବି। ଏଣୁ ଏଥର କମିସନ କ’ଣ ସୁପାରିସ କରୁଛନ୍ତି, ତାହା ଉପରେ ନଜର ରଖାଯିବ। ରାଜ୍ୟ ପଞ୍ଚମ ଅର୍ଥ କମିସନକୁ ମଧ୍ୟ ଅନୁରୂପ ଭାବେ ନିଆଯିବ। ଜିଏସଟି ପାଇଁ ଅନୁକମ୍ପା ରାଶି (୧୪%) ମିଳୁଛି, ବୋଲି ଏବେ ଓଡ଼ିଶା ଆର୍ଥିକ ସ୍ଥିତି ବିଶେଷ ପ୍ରଭାବିତ ହେଉନାହିଁ। େହଲେ ୨୦୨୨-୨୩ ବେଳକୁ ଅତି ସାଂଘାତିକ ରୂପ ନେଇପାେର। ଏଣୁ ମନଇଚ୍ଛା ସବୁ କଥାରେ ହଁ ମାରିଲେ, ସଜାଡି ହୋଇ ଆସିଥିବା ରାଜ୍ୟ ଅର୍ଥନୀତି ପୁଣି ଥରେ ଦିଗହରା ହେବାକୁ ଅଧିକ ସମୟ ଲାଗିବ ନାହିଁ।

ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଭାଗମାନେ ସ୍ବାଭାବିକ ଭାବେ ଅଧିକ ଅର୍ଥ ଦାବି କରୁଛନ୍ତି, ଯେଉଁଥିରେ ଅନେକ କଥା ପ୍ରାସଙ୍ଗିକ ରହିଛି। ମାତ୍ର ସରକାର ଗୋଟିଏ ନିର୍ଦିଷ୍ଟ ରାସ୍ତାରେ ଯିବାକୁ ଚାହୁଁଛନ୍ତି। ଏଣୁ ବିଭାଗମାନଙ୍କୁ ଖୋଲା ହାତ ଛାଡ଼ି ଦିଆଯାଇପାରିବ ନାହିଁ। ବରଂ ସେମାନଙ୍କ ଲାଗି ଖର୍ଚ୍ଚର ସର୍ବୋଚ୍ଚ ସୀମା ସମ୍ପର୍କରେ ସୂଚୀତ କରି ଦିଆଯିବ। ଅର୍ଥ ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗ ମିଳିତଭାବେ ରାଜ୍ୟର ବିତ୍ତୀୟ ଆକଳନ କରିବେ। ନିର୍ଦ୍ଧାରିତ ବ୍ୟୟ ସୀମା ଭିତରେ ବିଭାଗଗୁଡ଼ିକର ପ୍ରସ୍ତାବକୁ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର