ଦଶପଲ୍ଲା: ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଷୋଷଯାତ୍ରା ୨୦୨୪ ନିମନ୍ତେ ଆଜି ରଥକାଠ ଅନୁକୂଳ ପାଇଁ ଶୁଭଦିନ ନିର୍ଘଣ୍ଟ ହୋଇଛି। ବିଶେଷକରି ମଙ୍ଗଳବାର ଦିନ ଏହି ପୂଜାନୀତି ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା ଜାନୁଆରି ମାସ ୨ ତାରିଖ କିମ୍ବା ୯ ତାରିଖ ପାଇଁ ଦୁଇଟି ଶୁଭଦିନ ନିର୍ଘଣ୍ଟ କରାଯାଇଛି। ତେବେ ୨ ତାରିଖ ଅପେକ୍ଷା ୯ ତାରିଖ ଦିନଟି ପୂଜାପାଇଁ ଉତ୍ତମ ଥିବା କୁହାଯାଇଛି। ଆଜି ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ ଏବଂ ଅବସରପ୍ରାପ୍ତ ବନପାଳ ତଥା ଗଣକ ପ୍ରଫୁଲ୍ଲ କୁମାର ଦାଶ ମା’ ବଡ଼ରାଉଳଙ୍କ ରଥକାଠ ଅନୁକୂଳ ପୂଜକ ଗଣିଆ ବ୍ରାହ୍ମଣ ଶାସନସାହିସ୍ଥିତ ପ୍ରସନ୍ନ କୁମାର ଦାଶଙ୍କ ନିକଟରେ ପହଞ୍ଚି ପାଞ୍ଜିଗଣନା କରି ଶୁଭଦିନ ନିର୍ଦ୍ଧାରଣ କରିଛନ୍ତି। ପରମ୍ପରା ତଥା ରିତିନୀତି ଅନୁଯାୟୀ ନୟାଗଡ଼ ଜିଲ୍ଲା ଗଣିଆ ବଡମୂଳସ୍ଥିତ ମା’ ବଡ଼ରାଉଳଙ୍କ ପୀଠରେ ରଥକାଠ ଅନୁକୂଳ ପୂଜା କରିବା ପରେ ପ୍ରତିବର୍ଷ ରଥକାଠ କଟାଯିବା କାର୍ଯ୍ୟ ଆରମ୍ଭ ହୋଇଥାଏ।

Advertisment

ଆବାହମାନ କାଳରୁ ଏହି କାଠକୁ ନୟାଗଡ଼ ବନଖଣ୍ଡ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳରୁ ଯୋଗାଇ ଦିଆଯିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ମା’ ବଡ଼ରାଉଳଙ୍କ ପୀଠରେ ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ଆସି ପହଞ୍ଚିବା ପରେ ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ଏହି ପୂଜାନୀତି ଅନୁଷ୍ଠିତ ହୋଇଥାଏ। ଏହି ପୂଜା ପ୍ରତିବର୍ଷ ପୌଷ ମାସରେ ଅନୁଷ୍ଠିତ ହୁଏ। ମା’ ବଡ଼ରାଉଳଙ୍କ ପୀଠରେ ପୂଜାପରେ ମାଘ ମାସ ଶୁକ୍ଳ ପଞ୍ଚମୀ ଅର୍ଥାତ୍ ସରସ୍ବତୀ ପୂଜା ଦିନ ରଥଖଳାରେ ରଥ ନିର୍ମାଣ ପାଇଁ ଅନୁକୂଳ ପୂଜା ନିମନ୍ତେ ପ୍ରଥମ ପର୍ଯ୍ୟାୟ ରଥକାଠ ଦଶପଲ୍ଲା ବନାଞ୍ଚଳରୁ ହିଁ ରଥଖଳାରେ ପହଞ୍ଚିଥାଏ। ରଥଖଳାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୧୨ ଫୁଟ ଲମ୍ବର ୩ଟି ଧଉରା କାଠ ପହଞ୍ଚିବାର ନିୟମ ରହିଛି। ପୂଜକଙ୍କ ଟିପ୍ପଣୀକୁ ବନଖଣ୍ଡ ଅଧିକାରୀଙ୍କ ନିକଟକୁ ପଠାଇବା ପରେ ଶ୍ରୀମନ୍ଦିର ପ୍ରଶାସକଙ୍କ ନିକଟକୁ ଏହାକୁ ପଠାଯିବ। ଏହି ଦୁଇଟି ଦିନ ମଧ୍ୟରୁ ଯେ କୌଣସି ଗୋଟିଏ ଦିନ ଶ୍ରୀମନ୍ଦିର ପ୍ରଶାସକ ଧାର୍ଯ୍ୟ କରିବେ। ମା’ ବଡ଼ରାଉଳଙ୍କ ପୀଠରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ପୂଜା ଉତ୍ସବ ଅନୁଷ୍ଠିତ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।