ବଡ଼ଦିନ ପାଇଁ ଚଳଚଞ୍ଚଳ ନବରଙ୍ଗପୁର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ବଡଦିନ ପାଳନ କରିବା ପାଇଁ ପୁରୁଣା ଲୁଥେରାନ ଚର୍ଚ୍ଚ ଠାରେ ପ୍ରସ୍ତୁତି ବୈଠକ ଜିଲ୍ଲା ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ପରିଷଦ ସଭାପତି ସୁଧିର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କିପରି ଭାବେ ଶାନ୍ତିଶୃଙ୍ଖଳାର ସହିତ ବଡଦିନ ପାଳନ କରାଯିବ ସେ ନେଇ ପ୍ରଶାସନର ସହଯୋଗ ଲୋଡାଯାଇଛି। ଆସନ୍ତା ୨୪ ତାରିଖ ମଧ୍ୟରାତ୍ରରୁ ଚର୍ଚ୍ଚ ଗୁଡିକରେ ସମୂହ ପ୍ରାର୍ଥନା କରାଯିବ। ପ୍ରସ୍ତୁତି ବୈଠକରେ ସଂଖ୍ୟାଲଘୁ ପରିଷଦ ଉପଦେଷ୍ଠ ରେଭ ତିମତୀ ଛିଞ୍ଚାଣି, ଉପସଭାପତି ରେଭ୍ ଉଲ୍ଲାସ କର, ଡିନ୍ ରେଭ୍ ଜୁଝେଶ୍ବର ନାୟକ, ଡିନ୍ ରେଭ୍ ଅନନ୍ତ ନାଗ, ସମ୍ପାଦକ ଗୌରବ କାହୁଁରୀ, ଦିବ୍ୟଦାନ ସୁନା, ଅନାଦି କର ଓ ସମିୟନ ବେପାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଆଉ ୨ଦିନ ପରେ ବଡଦିନ। ଏଥିପାଇଁ ସଜେଇ ହେଲାଣି ଗୀର୍ଜାଘର। ଆସନ୍ତା ୨୫ରେ ମହାପୁରୁଷ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ବେଶ୍ ଧୁମଧାମରେ ପାଳିବା ପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ଗତ ୫ଦିନ ହେଲା ନବରଙ୍ଗପୁର ସହରକୁ ସ୍ଥାନୀୟ ତେନ୍ତୁଳିଖୁଣ୍ଟି, ପାପଡାହାଣ୍ଡି, କୋଷାଗୁମୁଡା, ନନ୍ଦାହାଣ୍ଡି ଓ ନବରଙ୍ଗପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ରହୁଥିବା ଖ୍ରୀଷ୍ଟଧର୍ମା ବଲମ୍ବୀ ମାନେ ବିଭିନ୍ନ ପୋଷାକ ଦୋକାନରେ ଭିଡ ଜମାଇଛନ୍ତି। ନୂଆ ପୋଷାକ ଠାରୁ ଆରମ୍ଭ କରି ଉପହାର, ଖ୍ରୀଷ୍ଟମାସ ଟ୍ରି, ସାନ୍ତାକ୍ଳଜ୍ ପୋଷାକ, ଟୋପି ଆଦି କିଣିବାରେ ଲାଗିପଡିଛନ୍ତି। ବଡ ଦିନକୁ ପାଳିବା ପାଇଁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗୀର୍ଜା ଘର ମାନଙ୍କରେ ପ୍ରସ୍ତୁତି ଜୋରଦାର ଚାଲିଛି। ଡିସେମ୍ବର ୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଯୀଶୁଙ୍କ ଶେଷ ଆଗମନ କୁହାଯାଏ। ଏହି ସମୟ ମଧ୍ୟରେ ଚର୍ଚ୍ଚ ଗୁଡିକୁ ଆକର୍ଷଣର ସହ ସଜାଯାଇଛି। ବଡଦିନକୁ ଖ୍ରୀଷ୍ଟଧର୍ମାବଲାମ୍ବୀ ମାନେ ନିଜ ନିଜ ମଧ୍ୟରେ ସ୍ବାଗତ ଜଣାଇବା ପାଇଁ ଖ୍ରୀଷ୍ଟମାସ କାର୍ଡ ଗୁଡିକ କିଣୁଥିବାର ପରିଲିକ୍ଷିତ ହୋଇଛି। ଏଣୁ କାର୍ଡ ଗୁଡିକର ଚାହିଦା ବି ବଢ଼ିବାରେ ଲାଗିଛି। ଖ୍ରୀଷ୍ଟମାସ ଟ୍ରୀ ଗୁଡିକର ମୂଲ୍ୟ ୧୦୦ରୁ ଆରମ୍ଭ କରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ କରାଯାଉଥିବା ବେଳେ ଖ୍ରୀଷ୍ଟମାସ ବେଲ୍ ଗୁଡିକ ୧୦ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସାନ୍ତାକ୍ଳଜ୍ ଗୁଡିକ ବି ୫ଶହରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ବଜାରରେ ଉପଲବ୍ଧ ହୋଇଛି।

ସମ୍ବନ୍ଧିତ ଖବର