ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବୌଦ୍ଧ ଚଳଚଞ୍ଚଳ

ବୌଦ୍ଧ/ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଳା ଗସ୍ତରେ ସୋମବାର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନୀମଣ୍ଡଳୀରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ମୋଟ ୯୭୦ କୋଟି ଟଙ୍କାର ୧୩୦ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସୋମବାର ସକାଳ ପ୍ରାୟ ୧୦.୩୦ମି.ରେ ନବୀନ ନିବାସ ଭୁବନେଶ୍ବରରୁ ବାହାରି ୧୦. ୪୦ମି.ରେ ବିଜୁ ପଟ୍ଟନାୟକ ଏୟାରପୋର୍ଟ ଛାଡ଼ିବେ। ପୂର୍ବାହ୍ନ ୧୧.୫୦ମି.ରେ ବୌଦ୍ଧ ଜିଲ୍ଳା କଣ୍ଟାମାଳ ନିର୍ବାଚନମଣ୍ଡଳୀ‌ର ଘଣ୍ଟାପଡ଼ା ହାଇସ୍କୁଲ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ୧୨.୪୫ମିନିଟ‌ରେ ବୌଦ୍ଧ କଚେରି ପଡ଼ିଆ ଠାରେ ଆୟୋଜିତ ସମାବେଶରେ ଯୋଗଦେବା ସହ ଜିଲ୍ଳାବାସୀଙ୍କୁ ସମ୍ବୋଧିତ କରିବେ। ବୌଦ୍ଧ ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରି ବୌଦ୍ଧ ସର୍କିଟ ହାଉସକୁ ପ୍ରତ୍ୟାବର୍ତ୍ତନ କରିବେ। ସେଠାରେ ୫୦ ମିନିଟର ରହଣୀ ପରେ ୨.୨୫ ମିନିଟରେ ଭଂଜନଗର ଅଭିମୁଖେ ବାହାରିବେ ବୋଲି ବୌଦ୍ଧ ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂଙ୍କ ତତ୍ତ୍ବାବଧାନରେ ବ୍ରହ୍ମପୁର ଏସପି ପିନାକୀ ମିଶ୍ର ବୌଦ୍ଧ ସମାବେଶ ଏବଂ ବୌଦ୍ଧ ଏସପି ସୁଧାଂଶୁ ଶେଖର ମିଶ୍ର କଣ୍ଟାମାଳ ସମାବେଶର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ବରେ ରହିଛନ୍ତି। ପାଖାପାଖି ୩୦-୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର