ଭୁବନେଶ୍ବର: ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ବଢ଼ୁଥିବାରୁ ଏହାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ଏବେଠାରୁ ପ୍ରସ୍ତୁତ ହୋଇଛନ୍ତି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର ସୋମବାର ଏନେଇ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧୀକ୍ଷକଙ୍କୁ ଚିଠି ଲେଖି କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କଟକ ଏସ୍ସିବି, ବ୍ରହ୍ମପୁର ଏମ୍କେସିଜି, ବୁର୍ଲାର ଭିମ୍ସାର ଓ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ କୋଭିଡ-୧୯ ଆକ୍ରାନ୍ତଙ୍କ ପାଇଁ ୨୦ଟି ବେଡ୍ ଓ ୨ଟି ଆଇସିୟୁ ବେଡ ପ୍ରସ୍ତୁତ ରଖାଯିବ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ମେଡିକାଲ କଲେଜରେ ୧୦ଟି ବେଡ ସହିତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ସଂକ୍ରମିତଙ୍କ ଲାଗି ୬ଟି ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ମଧ୍ୟ ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧,୮୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦୦ରୁ ଯଥେଷ୍ଟ ଅଧିକ ହୋଇଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୮୦୫ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି।
ସେହିପରି ସମସ୍ତ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡର ଓ କନସେନ୍ଟ୍ରେଟର ଚଳମାନ ଅବସ୍ଥାରେ ପ୍ରସ୍ତୁତ ରଖିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସବୁ ମେଡିକାଲ କଲେଜ ହସ୍ପିଟାଲ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ ପାଇଁ କହାଯାଇଛି । ଏଥିସହ ପୂର୍ବଭଳି ଫିଭର କ୍ଲିନିକ୍ ଚାଲୁ କରିବାକୁ ମଧ୍ୟ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ ୧୦ ଓ ୧୧ ତାରିଖରେ ସବୁ ଡାକ୍ତରଖାନାରେ ମକ୍ଡ୍ରିଲ କରାଯିବ। ଏହି ସମୟରେ ଔଷଧ, ବେଡ, ଆଇସିୟୁ ବେଡ୍, ଅନ୍ୟାନ୍ୟ ଭିତ୍ତିଭୂମି କେମିତି ରହିଛି, ସେନେଇ ସମୀକ୍ଷା କରାଯିବ।