ଡ. ହରେକୃଷ୍ଣ ମହତାବଙ୍କ ୧୨୦ତମ ଜୟନ୍ତୀ ଉତ୍ସବ ଲାଗି ବ୍ୟାପକ ପ୍ରସ୍ତୁତି

ଦେଶର ବିଭିନ୍ନ ମହାନଗର ସମେତ ରାଜ୍ୟର ପ୍ରମୁଖ ସହରରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମ

ଭୁବନେଶ୍ବର : ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୦ତମ ଜୟନ୍ତୀ ଉତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ର ନିର୍ମାଣରେ ତାଙ୍କର ମହନୀୟ ଭୂମିକା ଓ ସ୍ୱାଧୀନତା ଆନ୍ଦୋଳନର ବଳିଷ୍ଠ ଯୋଗଦାନ ଓ ତ୍ୟାଗକୁ ନୂଆପିଢ଼ିଙ୍କ ପାଖରେ ପହଞ୍ଚାଇବା ପାଇଁ ତାଙ୍କର ୧୨୦ତମ ଜୟନ୍ତୀ ଉତ୍ସବ ଦେଶର ବିଭିନ୍ନ ମହାନଗରୀ ସମେତ ରାଜ୍ୟର ପ୍ରମୁଖ ସହରରେ ଏକ ବର୍ଷବ୍ୟାପୀ ମହାସମାରୋହରେ ପାଳନ କରାଯିବା ପାଇଁ ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଛି। ଏହି ଉପଲକ୍ଷେ ରାଜ୍ୟ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କୋଲକାତାର କଳାମନ୍ଦିର ପ୍ରେକ୍ଷାଳୟରେ ଆସନ୍ତା ଫେବ୍ରୁଆରି ୯ ତାରିଖରେ ଏକ ଦିବସ ବ୍ୟାପୀ ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଡ. ମହତାବଙ୍କ ଜୀବନୀକୁ ନେଇ ଏକ ପ୍ରମାଣିକ ଚଳଚ୍ଚିତ୍ର ନିର୍ମାଣ ସାଙ୍ଗକୁ ଏକ ସ୍ମାରକୀ ଗ୍ରନ୍ଥ ଓ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓ ରାଜ୍ୟମନ୍ତ୍ରୀମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକମାନେ ଯୋଗଦେବେ।

ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ, ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ସହିତ ରାଜ୍ୟର ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ ବାଲେଶ୍ବରଠାରେ ଅନୁଷ୍ଠିତ ହେବ। ଆଧୁନିକ ଓଡ଼ିଶା ଗଠନରେ ଡ. ମହତାବଙ୍କ ଭୂମିକାକୁ ନୂଆପିଢ଼ିର ଯୁବକ ଛାତ୍ରଙ୍କ ନିକଟରେ ପହଞ୍ଚାଇବା ପାଇଁ, ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଆଲୋଚନାଚକ୍ର, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯିବ। ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ଓ ଜାତୀୟ ଶାନ୍ତି ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ପଦ୍ମଶ୍ରୀ ଭାବନୀ ପଟ୍ଟନାୟକ ମୁଖ୍ୟ ପୃଷ୍ଠପୋଷକ ଥିବା ବେଳେ ଶ୍ରୀ ମଲ୍ଲିକ ପ୍ରମୁଖ ସଂଯୋଜକ, ଉପସଭାପତି ଭାବେ ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ଅଧକ୍ଷ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତି ଏହି କମିଟିର ଉପସଭାପତି ରହିଛନ୍ତି। ପ୍ରଫେସର ଉପେନ୍ଦ୍ର ପାଢ଼ୀ ଆବାହକ ଅଛନ୍ତି। ବିଧାୟକ ପ୍ରଫୁଲ୍ଲ ସାମଲ, ଅଶ୍ୱିନୀ ପାତ୍ର, ଅନନ୍ତ ନାରାୟଣ ଜେନା, ଅନନ୍ତ ଦାସ, ସୁରେଶ କୁମାର ରାଉତରାୟ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଦୁଃଶାସନ ସ୍ବାଇଁ ପ୍ରମୁଖ କାର୍ଯ୍ୟକାରୀ କମିଟିର ସଭ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର