ଭୁବନେଶ୍ବର : ଖରିଫ-୨୦୨୨ରେ ୬୨ ହଜାର ଏବଂ ରବିରେ ୧୧ ହଜାର ମେଟ୍ରିକ୍ ଟନ୍ ରସାୟନିକ ସାର କମ ଦେଇଛି କେନ୍ଦ୍ର ସରକାର। ଅର୍ଥାତ ପୂର୍ବ ବର୍ଷମାନଙ୍କ ଭଳି ୨୦୨୨ ମସିହାରେ କେନ୍ଦ୍ର ପକ୍ଷରୁ ରାଜ୍ୟର ଚାହିଦାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ନାହିଁ ସତ, କିନ୍ତୁ ଆବଶ୍ୟକ ସମୟରେ ସାର ପହଞ୍ଚିନଥିବାରୁ ବିଭିନ୍ନ ସ୍ଥାନରେ ସାରର କଳାବଜାର ହେବାରେ ସୁଯୋଗ ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଡିଲରଙ୍କଠାରେ ସାର ଷ୍ଟକ୍ ଯାଞ୍ଚ କରାଯାଉଛି।
ଖରିଫ-୨୩ ପାଇଁ ସଜବାଜ ହେଲାଣି କୃଷି ବିଭାଗ। ସାର ପ୍ରଦାନ ପାଇଁ କେନ୍ଦ୍ରକୁ ଯେଉଁ ଆଲୋକେସନ ଦିଆଯାଇଛି, ସେଥିମଧ୍ୟରେ ୪ ଲକ୍ଷ ମେଟ୍ରିକ୍ ଟନ୍ର ୟୁରିଆ, ୧ ଲକ୍ଷ ୬୫ ହଜାର ମେଟ୍ରିକ୍ ଟନ୍ର ଡିଏପି, ୨ ଲକ୍ଷ ମେଟ୍ରିକ୍ ଟନ୍ର ମିଶ୍ରିତ ସାର, ୭୫ ହଜାର ମେଟ୍ରିକ୍ ଟନ୍ର ପଟାସ୍, ୧୫ ହଜାର ମେଟ୍ରିକ୍ ଟନ୍ର ସିଙ୍ଗିଲ ସୁପରଫୁସଫେଟ୍ ଏବଂ ନେନୋ ୟୁରିଆ ରହିଛି। ସେଥିରୁ ୧୮ ହଜାର ୮୭୦ ମେଟ୍ରିକ୍ ଟନ୍ ୟୁରିଆ, ୪୮୪୧ ମେଟ୍ରିକ୍ ଟନ୍ ଡିଏପି, ୪୫୮୧ ମେଟ୍ରିକ୍ ଟନ୍ର ମିଶ୍ରିତ ସାର ଆସିଯାଇଛି।
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ପରଠାରୁ ହିଁ ରସାୟନିକ ସାର ସଙ୍କଟ ସୃଷ୍ଟି ହୋଇଛି। ଡିଏପି ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ ଅଣବିଜେପି ରାଜ୍ୟରେ ବିଶେଷ ଦେଖିବାକୁ ମିଳିଛି। ୨୦୨୦ ମସିହାର ଲକ୍ଡାଉନ୍ ଏବଂ ୨୦୨୧ ମସିହାରେ ଯୁଦ୍ଧ ଯୋଗୁଁ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ଆବଶ୍ୟକତା ଅନୁସାରେ ସାର ଦିଆଯାଇନଥିବା ଅଭିଯୋଗ ହୋଇଛି। ଏପରିକି ସାର ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର କେନ୍ଦ୍ର ସରକରଙ୍କୁ ଚିଠି ଲେଖିବାକୁ ପଡ଼ିଥିଲା। ଏପରିକି ୨୦୨୨ ମସିହାରେ ମଧ୍ୟ ଆବଶ୍ୟକ ସମୟରେ ଡିଏପି ଏବଂ ଏମ୍ଓପି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି କରିଥିଲେ। ଏହାପରେ ସାର ଆସିଥିଲେ ମଧ୍ୟ ସେତେବେଳକୁ ଚାଷୀଙ୍କ ଚାହିଦା ଶେଷ ହୋଇଯାଇଥିଲା।
ଏପରିକି ବର୍ତ୍ତମାନ ମଧ୍ୟ ପୁରୁଣା ବର୍ଷ କୋଟାର ଏମ୍ଓପି ସାର ବଳକା ପଡ଼ିଛି। ବର୍ତ୍ତମାନ ସ୍ଥିତିରେ ପଟାସ ବା ଏମ୍ଓପିକ ସାର ଦର ୫୦ କେଜି ହିସାବରେ ୧୦୫୦ରୁ ୧୭୦୦ କିମ୍ବା ୧୭୫୦ଟଙ୍କା, ଡିଏପି ଦର ବସ୍ତା ପିଛା ମଧ୍ୟ କାହିଁରେ କେତେ ବଢିଥିଲା। ଯାହା ଚାଷୀଙ୍କୁ ଖୁବ ବାଧୁଛି। ନିଜେ କେନ୍ଦ୍ର ସରକାର ମଧ୍ୟ ରସାୟନିକ ସାର ବଦଳରେ ଜୈବିକ ସାର ବ୍ୟବହାରକୁ ଗୁରୁତ୍ବ ଦେଉଛନ୍ତି। କେବଳ ସାର ସଙ୍କଟ ନୁହେଁ ନିମ୍ନମାନର ସାର ଯୋଗାଣ ମଧ୍ୟ ଚାଷୀଙ୍କ ପାଇଁ ସମସ୍ୟା ହୋଇଛି। ଗତ ଏକ ବର୍ଷ ମଧ୍ୟରେ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରୁ ୬୦୦୦ ନମୁନା ସଂଗ୍ରହ କରାଯାଇ ରାଜଧାନୀ ସ୍ଥିତ ପରୀକ୍ଷାଗାରରେ ପରୀକ୍ଷା କରାଯାଇଛି। ସେଥିରୁ ପ୍ରାୟ ୧୧୦ ନମୁନା ନିମ୍ନମାନର ବୋଲି ଜଣାପଡ଼ିଛି। ଏଥିସଂକ୍ରାନ୍ତରେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ୨୦୨୩ରେ ସାର ନେଇ କଣ ସ୍ଥିତି ରହିବ ଦେଖିବାକୁ ବାକି ରହିଲା।