ରାତି ସାଢେ ତିନିରୁ ବାହାରିବ ଗଜଭୋଗ

ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ବଡ଼ ଓଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ସୋମବାର ଓ ପଞ୍ଚୁକ ପାଇଁ ଭୋର୫ରୁ ଖୋଲିବ ପହଡ଼, ଝୁଲାପୋଲରେ ଯାଇପାରିବେନି ୬ଶହରୁ ଅଧିକ ଭକ୍ତ

କଟକ : ଆସନ୍ତାକାଲି କାର୍ତ୍ତିକ ମାସର ଶେଷ ସୋମବାର। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଭକ୍ତମାନେ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରିବେ ସେନେଇ ଦେବୋତ୍ତର ବିଭାଗ, ପ୍ରଶସନ, ମନ୍ଦିର କମିଟି ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସୋମବାର ସକାଳ ପ୍ରାୟ ୫ଟାରେ ମନ୍ଦିର ପହଡ ଖୋଲାଯିବ। ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ମଙ୍ଗଳଆଳତୀ ସହ ଘର୍ଷଣ ଓ ଖେଚୁଡି ଭୋଗ ପରେ ଠାକୁରଙ୍କ ନୀତିଭୋଗ କରାଯିବ। ଏହାପରେ ବାବା ଧବଳେଶ୍ୱର ଭକ୍ତଙ୍କୁ ଦର୍ଶନ ଦେବେ। ଭକ୍ତଙ୍କ ଗହଳି ଦୃଷ୍ଟିରୁ ସୋମବାର ପହଡ ପଡିବନି ଓ ସାରା ଦିନ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିବେ । ସଂଧ୍ୟା ଆଳତୀ, ବାଳଭାଗ ଓ ଉଖୁଡା ଭୋଗ ପରେ ରାତି ୮ଟାରେ ଦହି ପଖାଳ ଭୋଗ ଲାଗି କରାଯିବା ପରେ ମନ୍ଦିରରେ ପହଡ ପଡିବ ।

ତେବେ ମଙ୍ଗଳବାରଠାରୁ ପଞ୍ଚକ ଆରମ୍ଭ ହେଉଥିବାରୁ ସକାଳ ୫ଟାରୁ ମନ୍ଦିର ପହଡ ଖୋଲିବ। କିନ୍ତୁ ଗୁରୁବାର ଅର୍ଥାତ ବଡଓଷା ପାଇଁ ସାଢେ ୩ଟାରୁ ପହଡ଼ ଖୋଲାଯାଇ ଉପବାସ ତଥା ମନସ୍କାମନା କରିଥିବା ଭକ୍ତମାନେ ଗଜଭୋଗ ପାଇବେ। ତେବେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସକାଳ ୪ଟାରେ ମନ୍ଦିର ପହଡ ଖୋଲିବ ବୋଲି ମନ୍ଦିର ପୂଜକ କମିଟି ସଭାପତି ବିଷ୍ଣୁ ଚରଣ ପତ୍ରୀ ସୂଚନା ଦେଇଛନ୍ତି।

କଟକ ଧବଳେଶ୍ୱର ଘାଟ ପଟୁ ବାଉଁଶ ପୋଲ ନିର୍ମାଣ କାମ ଚାଲିଥିବା ବେଳେ ସୋମବାର ସକାଳୁ ଭକ୍ତମାନେ ବାଉଁଶ ପୋଲଦେଇ ପାଖାପାଖି ଦେଢଶହ ମିଟର ଯିବା ପରେ ସେଠାରୁ ଡଙ୍ଗାରେ ଧବଳେଶ୍ୱର ପୀଠରେ ପହଞ୍ଚିବେ। ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗାରେ ନଦୀପାର ହୋଇ ଠାକୁରଙ୍କ ଦର୍ଶନ ପାଇଁ ଯିବାର ବ୍ୟବସ୍ଥା ହୋଇଛି। ଅନ୍ୟପଟେ ମଞ୍ଚେଶ୍ୱର ଝୁଲାପୋଲ ଦେଇ ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କ ଦର୍ଶନ ପାଇଁ ଯାଉଥିବାରୁ ଝୁଲାପୋଲରେ ଭିଡ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ ଧବଳେଶ୍ୱର ପୀଠର ବାଉଁଶ ପୋଲ, ଭକ୍ତଙ୍କ ସୁରକ୍ଷିତ ଦର୍ଶନ ଓ ଯାତ୍ରାର ସୁପରିଚାଳନା ନେଇ ଜିଲ୍ଲାପାଳ ସୁଶାନ୍ତ କୁମାର ମହାପାତ୍ର ଧବଳେଶ୍ୱର ପୀଠରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୁଲିସ ପକ୍ଷରୁ ଧବଳେଶ୍ୱର ପୀଠରେ ପଞ୍ଚୁକ ଓ ବଡଓଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକ ଗ୍ରାମାଞ୍ଚଳ ଏସ୍‌ପି ମାଧବ ଚନ୍ଦ୍ର ସାହୁ, ଡିଆଇବି ଡିଏସ୍‌ପି ନାଗାର୍ଜୁନ ପ୍ରଧାନଙ୍କ ସମେତ ପୁଲିସ ଅଧିକାରୀ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ସୁରକ୍ଷା ପାଇଁ ୯ଜଣ ଅତରିକ୍ତ ଏସ୍‌ପି, ଡିଏସ୍‌ପି, ୨୪ ଇନ୍ସପେକ୍ଟର,୧୨୦ ଅଫିସର, ୨୨୫ ହୋମଗାର୍ଡ, ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୯ଜଣ କର୍ମଚାରୀଙ୍କୁ ମୁତୟନ କରାଯାଇଛି ।

ପାଇକପୁର ଗ୍ରାମର ଅଧ କିଲୋମିଟର ପୂର୍ବରୁ କୌଣସି ଚାରିଚିକିଆ ଗାଡି ଆଗକୁ ଯାଇପାରିବନି। କେବଳ ବାଇକ ପାର୍କିଂ ସ୍ଥାନରେ ରହିବ । ନୂଆପଟଣା ଆଇବି ପାଖରେ ବସ୍‌ ପାର୍କିଂ ସ୍ଥାନ କରାଯାଇଛି। ସେଠାରେ ବସ୍‌ ରହିବ। ତେବେ ପାର୍କିଂ ସ୍ଥାନରୁ ଗାଡି ଫେରିବା ସମୟରେ ନୂଆପାଟଣା ଆଇବି ଛକରୁ କଫିବାର ଛକ ଦେଇ ଚାରିଚକିଆ ଗାଡି ଫେରିବ। ତେବେ ଧୂମାବତୀ ଛକରୁ କେବଳ ଧବଳେଶ୍ୱର ବିଟ୍‌ ହାଉସ୍‌ ପାଖ ଓ ତା’ର ପଛପଟେ ମଧ୍ୟ ପାର୍କିଂ ସ୍ଥାନ କରାଯାଇଛି। ସେମାନେ ଫେରିବା ବେଳେ ସୁନିଆଁମୁହଁ ଗ୍ରାମ ଦେଇ ଏନ୍‌ଏଚ୍‌ ୫୬ରେ ବାହରିବେ।

ତେବେ ଝୁଲାପୋଲ ଦେଇ ଯେପରି ୬ଶହରୁ ଅଧିକ ଭକ୍ତ ନଯିବେ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ବିଡାନାସୀ ସାହି ଓ ମଂଚେଶ୍ୱର ସାହି ଘାଟଦେଇ ଯାଇଥିବା ଡଙ୍ଗାରେ ଯେପରି କ୍ଷମତାଠାରୁ ଅଧିକ ଯାତ୍ରୀ ନଯିବେ ତା’ ଉପରେ କଡା ନଜର ରଖାଯିବ। ୨ଟି ଓଡ୍ରାଫ୍‌ ଟିମ୍‌ ଓ ଲାଇଫ୍‌ ଜ୍ୟାକେଟ୍‌ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଯେପରି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ମନ୍ଦିରରେ ଦର୍ଶନ କରିବେ ସେନେଇ ବେରିକୋଟିଂ ବ୍ୟବସ୍ଥା ସହ ପୁଲିସ ସବୁ ସ୍ଥାନରେ ମୁତୟନ କରାଯିବ ବୋଲି ଡିଆଇବି ଡିଏସ୍‌ପି ନାଗାର୍ଜୁନ ପ୍ରଧାନ ସୂଚନା ଦେଇଛନ୍ତି।

 

 

ସମ୍ବନ୍ଧିତ ଖବର