ଏମ୍‌ଏସ୍‌ଏମ୍‌ଇ ପାଇଁ ବଡ଼ କ୍ଷେତ୍ର ପ୍ରସ୍ତୁତ ହେଉଛି: ଧର୍ମେନ୍ଦ୍ର

ଏମ୍‌ଏସ୍‌ଏମ୍‌ଇ ଦିବସ ଅବସରରେ ଓଡିଆ ସମାଜର ୱେବିନାର
ଓଡ଼ିଶାର ଭିତ୍ତିଭୂମି ଓ ଭୌଗଳିକ ସ୍ଥିତି ଅପୂର୍ବ ସମ୍ଭାବନାର କ୍ଷମତା ରଖୁଛି

ଭୁବନେଶ୍ୱର : ବିଶ୍ୱ ଏମ୍‌ଏସ୍‌ଏମ୍‌ଇ ଦିବସରେ ନୂଆଦିଲ୍ଲୀର ଓଡିଆ ସମାଜ ପକ୍ଷରୁ ଆଜି ‘ଓଡିଶାରେ ଏମଏସଏମଇ ନିମନ୍ତେ ଆର୍ଥିକ ପ୍ୟାକେଜ୍ ଓ ସୁଯୋଗ’ ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସାମିଲ ହୋଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଓଡିଶାରେ ଏମ୍‌ଏସ୍‌ଏମ୍‌ଇ ସମେତ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରର ବିକାଶ କରିବା ପାଇଁ ଅର୍ଥ, ଦକ୍ଷତା, କଞ୍ଚାମାଲ, ପରିଶ୍ରମୀ ମାନବସମ୍ବଳ, ନିଜସ୍ୱ ବଜାର ପରି କୌଣସି ଜିନିଷର ଅଭାବ ନାହିଁ। ଭାରତ ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ଏମ୍‌ଏସ୍‌ଏମ୍‌ଇ ପାଇଁ ବଡ଼ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ଓଡ଼ିଶାର ଭିତ୍ତିଭୂମି ଓ ଭୌଗଳିକ ସ୍ଥିତି ଭାରତବର୍ଷର ଅନ୍ୟ ଅଞ୍ଚଳ ତୁଳନାରେ ଭିନ୍ନ ଓ ଅପୂର୍ବ ସମ୍ଭାବନାର କ୍ଷମତା ରଖୁଛି। ବିଶ୍ୱ ବାଣିଜ୍ୟ ସହ ନିଜକୁ ଯୋଡ଼ିବାରେ ଓଡିଶାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି। ଏ ଦିଗକୁ ଲକ୍ଷ୍ୟରେ ରଖି ଓଡ଼ିଶାକୁ ନୂଆ ରାସ୍ତାରେ ନେବା ପାଇଁ ପଡ଼ିବ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ସୁଯୋଗ ତିଆରି କରିବା ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯାଉ। ଓଡ଼ିଶା ଭଳି ରାଜ୍ୟରେ ବ୍ୟାଙ୍କର୍ସ ଏବଂ ଉଦ୍ୟୋଗୀ ମାନଙ୍କ ମଧ୍ୟରେ ଇକୋସିଷ୍ଟମ ତିଆରି କରାଯାଉ। ଦେଶ ଓ ବିଦେଶରେ ଓଡ଼ିଆମାନେ ଭଲ କାମ କରୁଛନ୍ତି ଏବଂ ଆର୍ଥିକ ସମ୍ବନ୍ଧୀୟ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି। ରିଜର୍ଭ ବ୍ୟାଙ୍କ୍‌, ସେୟାର ମାର୍କେଟ, ବ୍ୟାଙ୍କିଙ୍ଗ୍ ଜଗତ କିମ୍ବା ଆକାଉଣ୍ଟିଂ ଏବଂ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଓଡ଼ିଆ ଲୋକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ କାମ କରୁଛନ୍ତି। ଏହି ଲୋକମାନେ ହିଁ ନିଜର ଦାୟିତ୍ୱକୁ ଓଡ଼ିଆ ଲୋକଙ୍କ କାମରେ ଉପଯୋଗ କରନ୍ତୁ। ଆନୁଷଙ୍ଗିକ କ୍ଷେତ୍ର ସମେତ ଅର୍ଥନୈତିକ ବଜାରକୁ ମଧ୍ୟ ଗୁରୁତ୍ୱ ଦିଆଯାଉ। ତାମିଲନାଡ଼ୁ ବିଶ୍ୱ ଆକାଉଣ୍ଟିଂର ବ୍ୟାକ୍ ଅଫିସ ବନେଇ ପାରିବା ପରି ଓଡ଼ିଶାର ଭୁବନେଶ୍ୱରରେ ମଧ୍ୟ ଏହିଭଳି ପ୍ରତିଷ୍ଠାନ ତିଆରି କରାଯାଇପାରିବ।

ଭାରତ ସରକାରଙ୍କ ଅର୍ଥ ବିଭାଗର ସଚିବ ଦେବାଶିଷ ପଣ୍ଡା କହିଥିଲେ ଯେ, ଭାରତ ସରକାର ତାଙ୍କ ଆର୍ଥିକ ପ୍ୟାକେଜରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଗୁରୁତ୍ୱ ଦେଇଛନ୍ତି ଯାହା ନୂଆ ନୂଆ ଉଦ୍ୟୋଗୀ ମାନଙ୍କୁ ସୁଯୋଗ ପ୍ରଦାନ କରିବ ଓ ଆତ୍ମନିର୍ଭର ଭାରତ ଦିଗରେ ସହାୟକ ହେବ। ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଅରୁଣ ପଣ୍ଡା କହିଥିଲେ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମଧ୍ୟ ରେପୋ ରେଟ୍‌କୁ ହ୍ରାସ କରିଛି। ଓଡ଼ିଶାରେ ରାଉରକେଲା ଇସ୍ପାତ କାରଖାନା, ଯାଜପୁର କଳିଙ୍ଗ ନଗର ଭଳି ଶିଳ୍ପ ପ୍ରତିଷ୍ଠାନ ଥିବାରୁ ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଅପାର ସମ୍ଭାବନାର ସୁଯୋଗ ସୃଷ୍ଟି ହୋଇଛି।

ଓଡିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ରାଜ୍ୟରେ ଥିବା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ। ଭାରତ ସରକାରଙ୍କ ଦ୍ୱାରା ନିକଟରେ ଏହି କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ପାରାଦୀପ ପ୍ଲାଷ୍ଟିକ ପାର୍କ, ଭଦ୍ରକ ଟେକ୍ସଟାଇଲ ପାର୍କ ତଥା ଶିଳ୍ପ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ଇଡ୍‌କୋ ଅଧ୍ୟକ୍ଷ ସଞ୍ଜୟ ସିଂହ ଓ ଅଶୋକ କେ. ପ୍ରଧାନ ଓଡିଶାରେ ଏମ୍‌ଏସ୍‌ଏମ୍‌ଇକୁ ବିକଶିତ କରିବା ଦିଗରେ ନିଜ ମତ ଦେଇଥିଲେ। ଏହି ୱେବିନାର୍‌ରେ ଦେଶ ବିଦେଶରୁ ଏକ ହଜାରରୁ ଉର୍ଦ୍ଧ୍ୱ ଓଡିଆ ଭିଡିଓ କନଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିଥିଲେ। ଓଡ଼ିଆ ସମାଜର ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର