ଭୁବନେଶ୍ବର : ୨୦୨୩ ମସିହା ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଶନିବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି। ଏଥିପାଇଁ ନଭେମ୍ବର ୯ରୁ ଡିସେମ୍ବର ୮ତାରିଖ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।

Advertisment

ନିର୍ବାଚନ ଆ‌େୟାଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ନଭେମ୍ବର ୯ରୁ ଡିସେମ୍ବର ୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଭୋଟରଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଅବଗତ କରାଯିବ। ୧୭ ବର୍ଷରୁ ଉର୍ଦ୍ଧ୍ବ ଭୋଟରମାନଙ୍କୁ ଆଗତୁରା ଆବେଦନ ପତ୍ର ଦାଖଲର ସବୁପ୍ରକାରର ସୁବିଧା କରାଇବା, ବର୍ଷରେ ଗୋଟିଏ ଯୋଗ୍ୟତାସୂଚକ ତାରିଖ ବଦଳରେ ଗୋଟିଏ ବର୍ଷରେ ୪ଟି ଯୋଗ୍ୟତାସୂଚକ ତାରିଖ ଯଥା ଜାନୁଆରି ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖର ସୁବିଧା ଯୋଗାଇଦେବା। ନୂତନ ଭୋଟରମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ପଞ୍ଜୀକରଣ ନିମନ୍ତେ ଆକୃଷ୍ଟ କରିବା ପାଇଁ ବିଶେଷ ଧ୍ୟାନ ଦେବାକୁ ପଞ୍ଜୀକରଣ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

publive-image
ସେହିପରି ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଭୋଟରମାନେ ବିଶେଷକରି ଯୁବ ଭୋଟରମାନେ ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ଭୋଟର୍‌ ହେଲ୍‌ପଲାଇନ୍ ଆପ୍‌ ଡାଉନ୍‌ଲୋଡ୍‌ କରି ନିଜେ ଘରେ ଆବେଦନ କରିପାରିବେ ଓ ନିକଟସ୍ଥ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଜରିଆରେ ‘ଗରୁଡ଼ ଆପ୍‌’ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରାଇପାରିବେ। ଓଡ଼ିଶା ଅନ୍‌ଲାଇନ୍‌ ମାଧ୍ୟମରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କ୍ଷେତ୍ରରେ ସର୍ବଭାରତୀୟସ୍ତରରେ ଉଲ୍ଲେଖନୀୟ ସ୍ଥାନରେ ରହିଥିବାରୁ ଏଥର ବି ଏହି ସଫଳତା ଜାରି ରଖିବାକୁ କୁହାଯାଇଛି।

ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ଜନସାଧାରଣ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ। ତାଲିକାରେ ନାମ ଯୋଗ ନିମନ୍ତେ ଫର୍ମ ନଂ-୬, ତାଲିକାରୁ ନାମ ବାଦ୍‌ କିମ୍ବା ଅଭିଯୋଗ କରିବା ପାଇଁ ଫର୍ମ ନଂ-୭ରେ ଆବେଦନ ଓ ତ୍ରୁଟି ସଂଶୋଧନ, ସ୍ଥାନାନ୍ତରଣ କିମ୍ବା ଫଟୋ ଲଗାଇବା ନିମନ୍ତେ ଫର୍ମ ନଂ-୮ରେ ଆବେଦନ କରିବାକୁ ପଡ଼ିବ।

ସେହିପରି ସମସ୍ତେ ଭୋଟରକାର୍ଡରେ ଆଧାର ନମ୍ବର ସଂଯୋଗ କରି ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିବାକୁ କୁହାଯାଇଛି। ଭୋଟର ତାଲିକା ସଂଶୋଧନ ସମୟ ମଧ୍ୟରେ ୪ଟି ‘ସ୍ୱତନ୍ତ୍ର ଅଭିଯାନ’ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏହି ସ୍ୱତନ୍ତ୍ର ଅଭିଯାନ ନଭେମ୍ବର ୧୨, ୧୩, ୨୬ ଓ ୨୭ରେ ହେବ। ଏହି ୪ଦିନ ରାଜ୍ୟର ସବୁ ବୁଥ୍‌ରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସହ ଅନ୍ୟାନ୍ୟ ସମସ୍ତ ସୁବିଧା ଯୋଗାଇଦେବେ। ପ୍ରତ୍ୟେକ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ରୋଲ୍‌ ପର୍ଯ୍ୟବେକ୍ଷକ ଭାବେ ଉକ୍ତ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମକୁ ପରିଦର୍ଶନ କରିବେ।

ଆଜିର ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ସଂଘମିତ୍ରା ଶତପଥୀ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଆସିଷ୍ଟାଷ୍ଟ ଇଂଜିନିୟର ଇଦିରଶ୍‌ ଖାନ୍‌, ରାମଚନ୍ଦ୍ର ଟୁଙ୍ଗା ଓ ଯୋଗେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।