ଏନ୍‌ଆଇଆରଏଫ୍‌ ରାଙ୍କିଙ୍ଗ୍‌ ପାଇଁ ମାନସମନ୍ଥନ: ଅନୁକରଣ କରିବେ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରା‌ଳୟର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ରାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ(ଏନ୍‌ଆଇଆରଏଫ୍‌)ରେ ଓଡ଼ିଶାର ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନର ଦୟନୀୟ ଚିତ୍ର ଏଥର ବି ପଦାକୁ ଆସିଛି। କୌଣସି ଗୋଟିଏ ହେଲେ ବି ସରକାରୀ ଶିକ୍ଷାନୁଷ୍ଠାନ ୧୧ଟି ବିଭାଗର ଶ୍ରେଷ୍ଠ ଶହେ ଭିତରକୁ ଆସି ପାରି ନାହାନ୍ତି। ଭିଏସ୍‌ଏସ୍‌ୟୁଟି, ବୁର୍ଲା ବିଶ୍ବବିଦ୍ୟାଳୟ ବର୍ଗରେ ୧୫୦ରୁ ୨୦୦ ରାଙ୍କ୍‌ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଇଞ୍ଜିନିୟରିଂ ବର୍ଗରେ‌ ୧୧୧ତମ ସ୍ଥାନରେ ରହିଛି। ଆଇଆଇଆଇଟି ଭୁବନେଶ୍ବର ୨୦୦ରୁ ୨୫୦ ରାଙ୍କ୍‌ ମଧ୍ୟରେ ସ୍ଥାନ ପାଇଛି। ଏବେ ରାଜ୍ୟରେ ୩ଟି ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ ଓ ବହୁ ସଂଖ୍ୟକ ଯାନ୍ତ୍ରିକ କଲେଜ ରହିଥିଲେ ମଧ୍ୟ କାହାକୁ ବି ଆଖିଦୃଶିଆ ସଫଳତା ମିଳିପାରିନାହିଁ। ନୈରାଶ୍ୟଜନକ ପ୍ରଦର୍ଶନ ନେଇ ବିଭିନ୍ନ ଆଡ଼ୁ ସମାଲୋଚନା ଶିକାର ହେବା ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। କେଉଁ କାରଣ ଲାଗି ବାରମ୍ବାର ପଛରେ ପଡ଼ୁଛନ୍ତି, ସେନେଇ ଅଧିକାରୀମାନେ ମାନସମନ୍ଥନ କରୁଥିବା ଜଣାପଡ଼ିଛି।

ଦୁଇ ଦିନ ତଳେ ରାଜ୍ୟସ୍ତରୀୟ ପଲିଟେକ୍‌ନିକ୍‌ ରାଙ୍କିଙ୍ଗ୍‌ ତାଲିକା ପ୍ରକାଶ ସମୟରେ ବୈଷୟିକ ଶିକ୍ଷା‌ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ କେଉଁଥିପାଇଁ ଏନ୍‌ଆଇଆରଏଫ୍‌ରେ ଭଲ ହେଉନାହିଁ, ସେନେଇ ଅନୁଧ୍ୟାନ କରାଯାଉଛି। ରାଜ୍ୟର ଯେଉଁ ସବୁ ଶିକ୍ଷାନୁଷ୍ଠାନ ଆବେଦନ କରି ଭଲ ରୢାଙ୍କ୍‌ ପାଇଛନ୍ତି, ସେମାନଙ୍କ ସହ ଆମ ଶିକ୍ଷାନୁଷ୍ଠାନଗୁଡ଼ିକ ଯୋଗସୂତ୍ର ସ୍ଥାପନ କରି ଆବେଦନ କରିବେ। ୨୦୨୩ରେ କିଭଳି ଭଲ କରିହେବ, ସେ ଦିଗରେ ପଦକ୍ଷେପ ନେବୁ।

ଭିତ୍ତିଭୂମି ଅଭାବ, ଅଧ୍ୟାପକ ସଂକଟକୁ ଦାୟୀ କଲେ ଶିକ୍ଷାବିତ୍‌
୨୦୧୯ର ରିପୋର୍ଟ ତଲବର କୌଣସି ସୁଫଳ ମିଳିନି

ଏଭଳି ପ୍ରଦର୍ଶନ ପ୍ରଥମ ନୁହେଁ, ବରଂ ରାଙ୍କିଙ୍ଗ୍‌ ବ୍ୟବସ୍ଥା ଆରମ୍ଭ ହେବା ଦିନଠାରୁ ହିଁ ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ଏହି ଧାରା ବଜାୟ ରଖିଛନ୍ତି। ଯେତେବେଳେ କି ରାଜ୍ୟର ୧୦ରୁ ଅଧିକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ୍‌ ତାଲିକାରେ ପ୍ରତିବର୍ଷ ନିଜର ସ୍ଥିତି ଜାହିର କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଏନ୍‌ଆଇଆରଏଫ୍‌ ରୢାଙ୍କିଙ୍ଗ୍‌ ପାଇଁ ପ୍ରସ୍ତୁତ ହେବାକୁ ୨୦୧୮ ଜୁନ୍‌ ୧୩ରେ ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଚିଠି ଲେଖାଯାଇଥିଲା। ମାତ୍ର କୌଣସି ବି କଲେଜ କିମ୍ବା ବିଶ୍ବବିଦ୍ୟାଳୟ ଏହାର ଜବାବ ଦେଇ ନ ଥିଲେ। ଭିଏସ୍‌ଏସ୍‌ୟୁଟି ବ୍ୟତୀତ ଆଉ କୌଣସି ବି ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଏଥିରେ ଭାଗ ନେଲେ ନାହିଁ।

ଯେଉଁଥିପାଇଁ ବିଭାଗ ପକ୍ଷରୁ ୭ଟି ଶିକ୍ଷାନୁଷ୍ଠାନ ଯଥା ବିପିୟୁଟି କୁଳପତିଙ୍କ ସମେତ ଆଇଜିଆଇଟି ସରାଙ୍ଗ, ଭୁବନେଶ୍ବରସ୍ଥିତ ସିଇଟି, ବ୍ରହ୍ମପୁରସ୍ଥିତ ପିଏମ୍‌ଇସି, କଳାହାଣ୍ଡି ଓ କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ, କଟକସ୍ଥିତ ଆଇଏମ୍‌ଆଇଟି, ଭୁବନେଶ୍ବରସ୍ଥିତ ସିଆଇଏମ୍‌ଇ କଲେଜ ନିର୍ଦ୍ଦେଶକଙ୍କଠାରୁ ରିପୋର୍ଟ ତଲବ କରାଯାଇଥିଲା। ତା’ପରେ ବି କିଛି ସୁଫଳ ମିଳିପାରିନାହିଁ। ୨୦୧୯, ୨୦୨୦, ୨୦୨୧, ୨୦୨୨ ରୢାଙ୍କିଙ୍ଗ୍‌ରେ ମଧ୍ୟ ବୈଷୟିକ ଶିକ୍ଷାନୁଷ୍ଠାନର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି।
ସେତେବେଳେ କିଛି କଲେଜ କହିଥିଲେ କି ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଶିକ୍ଷକ, କର୍ମଚାରୀଙ୍କ ଅଭାବ ରହିଛି। କେଉଁ ବିଭାଗରେ ପର୍ଯ୍ୟାପ୍ତ ଅଧ୍ୟାପକ ନାହାନ୍ତି ତ ଆଉ କେଉଁଠି ଭିତ୍ତିଭୂମି ଅଭାବ। ତେଣୁ କେଉଁଭଳି ଭାବେ ରାଙ୍କିଙ୍ଗ୍‌ ପାଇଁ ଆବେଦନ କରିବୁ। ଇତିମଧ୍ୟରେ ୪ ବର୍ଷ ବିତିଗଲାଣି। ତଥାପି ଆଜି ପର୍ଯ୍ୟନ୍ତ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ସଜାଡ଼ିବାରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। ଯେଉଁଥିପାଇଁ ଏଥର ବି ସମାନ ସ୍ଥିତି ଉପୁଜିଥିବା ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର