ଶପଥ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ : ଯୋଗ ଦେଇପାରନ୍ତି ନାମୀଦାମୀ ଶିଳ୍ପପତି, ପ୍ରଧାନମନ୍ତ୍ରୀ, ସବୁ ରାଜନୈତିକ ଦଳକୁ ନିମନ୍ତ୍ରଣ

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଲାଗିବ ସିସିଟିଭି, ଜଗିବେ ୨୫ ପ୍ଲାଟୁନ୍ ପୁଲିସ୍

ଭୁବନେଶ୍ବର : ତାରିଖ ମେ’ ୨୯, ୨୦୧୯। ସମୟ ସକାଳ ୧୦ଟା ୩୦। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ। ତାଙ୍କ ସହ ଶପଥ ନେବେ ମନ୍ତ୍ରିମଣ୍ଡଳର ସଦସ୍ୟ। ସରକାର ଗଠନ ପାଇଁ ଗତକାଲି ଠାରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜଭବନ, ସଂସଦୀୟ ବ୍ୟାପାର ବିଭାଗ, ପୁଲିସ୍‌ ସମସ୍ତେ ଶପଥ ଗ୍ରହଣ ଉତ୍ସବକୁ ସଫଳ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ଚଳାଇଛନ୍ତି। ଶାସକ ବିଜେଡି ପକ୍ଷରୁ ମଧ୍ୟ ସିଧାସଳଖ ଭାବେ ପ୍ରସ୍ତୁତିର ତଦାରଖ କରାଯାଉଛି।

ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୫ ହଜାର ଲୋକଙ୍କ ସମାବେଶ ହେବ। କିନ୍ତୁ କେଉଁ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି ଓ କେଉଁମାନେ ଯୋଗ ଦେ‌େବ, ତାହା ଉପରେ ଏବେ ସମସ୍ତଙ୍କ ନଜର। ନିର୍ଦ୍ଦିଷ୍ଟ ଭାବେ ଏ ପର୍ଯ୍ୟନ୍ତ ଅତିଥିଙ୍କ ତାଲିକା ସମ୍ପର୍କରେ କେହି ସ୍ପଷ୍ଟ କରୁ ନାହାନ୍ତି। ନିର୍ବାଚନ ପ୍ରଚାର ‌େବଳେ ମୁଖ୍ୟମନ୍ତ୍ରୀ କଟାକ୍ଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ରହିଲା ବୋଲି କହିଥିଲେ। ତେଣୁ ଏବେ ପ୍ରଧାନମନ୍ତ୍ରୀଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଡକାଯିବ କି ନାହିଁ ଏବଂ ‌ଯଦି ଡକାଯିବ, ସେ ଆସିବେ କି ନାହିଁ, ତାହା ଏବେ ଆଲୋଚନାର ବିଷୟ ହୋଇଛି।

ଉତ୍ସବର ଅତିଥି ତାଲିକା ନେଇ ସଂସଦୀୟ ବ୍ୟପାର ବିଭାଗ ପକ୍ଷରୁ କିଛି କୁହାଯାଇ ନ ଥିଲେ ମଧ୍ୟ ଆଜି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ନିଶ୍ଚିତ ଭାବେ ନିମନ୍ତ୍ରଣ କରାଯିବ। ଓଡ଼ିଶାରେ ବିଜେପି, କଂଗ୍ରେସ ସମେତ ସବୁ ରାଜନୈତିକ ଦଳକୁ ନିମନ୍ତ୍ରଣ କରାଯିବ। ବିଜେଡି ସମେତ ସବୁ ଦଳର ବିଧାୟକ ଓ ସାଂସଦମାନଙ୍କୁ ଡକାଯିବ। ଶିକ୍ଷକ, କୃଷକ, ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତିନିଧିମାନଙ୍କୁ ଏହି ଉତ୍ସବରେ ସାମିଲ କରାଯିବ। ବିଜେଡିର ସବୁ କାର୍ଯ୍ୟକର୍ତ୍ତା ଓ ପର୍ଯ୍ୟବେକ୍ଷକମାନେ ମଧ୍ୟ ଉତ୍ସବରେ ଉପସ୍ଥିତ ରହିବେ।

ମେକ୍ ଇନ୍ ଓଡ଼ିଶାରେ ସାମିଲ ହୋଇ ରାଜ୍ୟର ବିକାଶରେ ସହଯୋଗର ହାତ ବଢ଼ାଇଥିବା ରାଜ୍ୟ ତଥା ଦେଶର ଶିଳ୍ପପତିମାନଙ୍କୁ ଶପଥ ଗ୍ରହଣ ଉତ୍ସବକୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯିବ ବୋଲି ଶ୍ରୀ ଦେବ ସୂଚନା ଦେଇଛନ୍ତି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ଶିଳ୍ପପତି ଉତ୍ସବରେ ଯୋଗ ଦେବାକୁ ସମ୍ମତି ଜଣାଇଛନ୍ତି, ସେ ସମ୍ପର୍କରେ ଶ୍ରୀ ଦେବ ସ୍ପଷ୍ଟ କରି ନାହାନ୍ତି। ତେବେ ରତନ ଟାଟା, ମୁକେଶ ଅମ୍ବାନୀ, ନବୀନ ଜିନ୍ଦଲଙ୍କ ପରି ଶିଳ୍ପପତିମାନେ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ଚାଲିଛି।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ପ୍ରଫେସର ଗ‌େଣଶୀ ଲାଲଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ତାହା ପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ। ଶ୍ରୀ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳ ୨୯ ତାରିଖରେ ଶପଥ ନେବେ ବୋଲି ରାଜଭବନ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ବାହାରର ଅତିଥି ତାଲିକା ସ୍ପଷ୍ଟ ହୋଇ ନ ଥିଲେ ବି କମିସନରେଟ୍‌ ପୁଲିସ ପକ୍ଷରୁ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରବିବାର ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଉତ୍ସବସ୍ଥଳୀକୁ ଯାଞ୍ଚ କରିଥିଲେ। ଆସନ୍ତାକାଲି ଅପରାହ୍‌ଣ ୫ଟାରେ କାର୍‌କେଡ୍‌ ଅଭ୍ୟାସ ହେବ। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ଓ ଓଡ଼ିଶା ମୁଖ୍ୟ ବିଚାରପତିଙ୍କ ଆସିବା ପାଇଁ ପ୍ରସ୍ତୁତ ହୋଇଥିବା ରୁଟ୍‌ମ୍ୟାପ୍‌ ଅନୁସାରେ ଏହି କାର୍‌କେଡ୍‌ ଅଭ୍ୟାସ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ପଡ଼ିଆକୁ ପ୍ରବେଶ କରିବା ପାଇଁ ୫ଟି ଦ୍ବାର ରହିଛି। କେଶରୀ ଟକିଜ୍‌ ଦେଇ ପ୍ରାଥମିକ ଶିକ୍ଷକ ଭବନ କଡ଼ରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନେ ପ୍ରବେଶ କରିବେ। ବିଧାୟକମାନେ ହାଉସିଂବୋର୍ଡ ଛକରୁ ମଧୁସୂଦନ ମାର୍ଗ ଦେଇ ଦ୍ବିତୀୟ ଦ୍ବାରରେ ପ୍ରବେଶ କରିବେ। ସେମାନଙ୍କର ସମର୍ଥକ ଓ ନିମନ୍ତ୍ରିତ ଅତିଥିମାନେ ରାମମନ୍ଦିର ଦେଇ ତୃତୀୟ ଦ୍ବାରରେ ପ୍ରବେଶ କରିବେ। ଅନ୍ୟ ନିମନ୍ତ୍ରିତ ଅତିଥିମାନେ ଚତୁର୍ଥ ପ୍ରବେଶ ଦ୍ବାର ଦେଇ ପ୍ରବେଶ କରିବେ। ପଞ୍ଚମ ଦ୍ବାର ସରକାରୀ ଅଧିକାରୀ ତଥା ପୁଲିସ କର୍ମଚାରୀଙ୍କ ପାଇଁ ସଂରକ୍ଷିତ ରହିବ। ଆବଶ୍ୟକ ପଡ଼ିଲେ ଏହି ଦ୍ବାର ସାଧାରଣ ପ୍ରବେଶ ପାଇଁ ବ୍ୟବହୃତ ହେବ।

ପାର୍କିଂ: ପୂର୍ବାହ୍ନ ୧୦ଟା ୩୦ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ଯୋଜନା ରହିଛି। ଏଣୁ ସକାଳ ୮ଟାରୁ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ମଧୁସୂଦନ ମାର୍ଗକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରଖାଯିବ। ତିନିଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ୟୁନିଟ-୩ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଦୁଇଚକିଆ ସହ ଚାରିଚକିଆ ପାର୍କିଂ ବ୍ୟବସ୍ଥା ଥିବା ବ‌େଳେ ମଧୁସୂଦନ ମାର୍ଗର ଉଭୟପାର୍ଶ୍ବ ମଧ୍ୟ ପାର୍କିଂ ପାଇଁ ବ୍ୟବହାର କରାଯିବାକୁ ବ୍ୟବସ୍ଥା ହୋଇଛି। ଇମର୍ଜେନସି ତଥା ଭିଆଇପିଙ୍କ ଗାଡ଼ି ପାର୍କିଂ ପାଇଁ ପଡ଼ିଆ ଭିତରେ ମଧ୍ୟ ଏକ ଜାଗା ଚିହ୍ନଟ କରାଯାଇଛି। ଏହି ସମସ୍ତ ଯାନ ପାଇଁ ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା କରାଯାଇଛି। ବିନା ପାସ୍‌ରେ କୌଣସି ଗାଡ଼ିକୁ ଏହି ସବୁ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ ପାଇଁ ସୁଯୋଗ ଦିଆଯିବ ନାହିଁ।

ସୁରକ୍ଷା: ଭିଆଇପିଙ୍କ ଆସିବା ରାସ୍ତାଠାରୁ ଆରମ୍ଭ କରି ଶପଥ ଗ୍ରହଣସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୫ ପ୍ଲାଟୁନ୍‌ ଫୋର୍ସ ସମେତ ସନ୍ଧାନୀ କୁକୁର, ଅଣ୍ଡର ମିରର୍‌ ବ୍ୟବହାର କରାଯିବା ପାଇଁ ଯୋଜନା ହୋଇଛି। ପ୍ରତ୍ୟେକ ଦ୍ବାରରେ ମେଟାଲ ଡିଟେକ୍ଟର୍‌ରେ ଯାଞ୍ଚ କରାଯିବ। ବିନା ନିମନ୍ତ୍ରଣ ପତ୍ରରେ କୌଣସି ବ୍ୟକ୍ତିଙ୍କୁ ପ୍ରବେଶ ସୁଯୋଗ ଦିଆଯିବ ନାହିଁ। ବାହାରେ ସନ୍ଦେହଜନକ ଭାବରେ ବୁଲୁଥିବା ବ୍ୟକ୍ତି ଉପରେ ମଧ୍ୟ ନଜର ରହିବ। ‌ମଞ୍ଚଠାରୁ ଶହେ ଫୁଟ ପର୍ଯ୍ୟନ୍ତ ଖାଲି ରଖାଯିବା ସହ ୨୫ ସିସିଟିଭି ଖଞ୍ଜାଯିବ। ପଡ଼ିଆ ଭିତରେ ଏଲ୍‌ସିଡି ସ୍କ୍ରିନ୍‌ ଜରିଆରେ କାର୍ଯ୍ୟକ୍ରମ ଦେଖିବା ପାଇଁ ସୁଯୋଗ ରହିଛି। ଏଥିପାଇଁ ସ୍ବତନ୍ତ୍ର ଟେଣ୍ଟ ରହିଛି। ଏଠାରେ ବସି ଦେଖୁଥିବା ଅତିଥିଙ୍କ ସୁରକ୍ଷା ପାଇଁ ମଧ୍ୟ ପୁଲିସ ମୁତୟନ ରହିବେ।

ସମ୍ବନ୍ଧିତ ଖବର