ଧାମରା-ଦେବୀ-ଋଷିକୁଲ୍ୟା ନଦୀ ମୁହାଣରେ ନଭେମ୍ବର ପହିଲାରୁ ମାଛଧରା ନିଷେଧ

ସମୁଦ୍ର ପାଟ୍ରୋଲିଂ ରୋକିବା ପାଇଁ ନିୟୋଜିତ ହେବ ଦ୍ରୁତଗତି ସଂପନ୍ନ ବୋଟ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା, ପ୍ରଜନନ ଏବଂ ବଂଶବୃଦ୍ଧି ନିମନ୍ତେ ରାଜ୍ୟରେ କରାଯାଉଥିବା ସମନ୍ଵିତ ମଡେଲ ସର୍ବଶ୍ରେଷ୍ଠ ପ୍ରମାଣିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଉଚ୍ଚ କ୍ଷମତା ସଂପନ୍ନ କମିଟି ବୈଠକରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଏହା ପ୍ରକାଶ କରିଛନ୍ତି। ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବୈଜ୍ଞାନିକ ଶିବ କୁମାର ଏବଂ ବିଶେଷଜ୍ଞ ଡ. ପ୍ରିୟମ୍ବଦା ମହାନ୍ତି କହିଥିଲେ ଯେ, ପ୍ରକୃତିର ଏହି ବିପଦଗ୍ରସ୍ତ ସାମୁଦ୍ରିକ ପ୍ରାଣୀର ସଂରକ୍ଷଣ ଓ ବୃଦ୍ଧି ଦିଗରେ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଓଡ଼ିଶାର ଆନ୍ତଃବିଭାଗୀୟ ଟିମ୍‌ ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କ ସହ ସମନ୍ଵିତ ସୁରକ୍ଷା ମଡେଲ୍‌ ଆନ୍ତର୍ଜାତିକ ସ୍ତରରେ ବେଶ୍‌ ପ୍ରଶଂସିତ ହୋଇଛି।

ପ୍ରକୃତିର ଏହି ଅମୂଲ୍ୟ ସଂପତ୍ତିର ସଂରକ୍ଷଣ ନିମନ୍ତେ କ୍ଷେତ୍ରସ୍ତରରେ ସମନ୍ଵିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜଙ୍ଗଲ ଓ ପରିବେଶ ବିଭାଗ, ମତ୍ସ୍ୟ ଓ ପଶୁସଂପଦ ବିଭାଗ, ପୁଲିସ, ସମୁଦ୍ରତଟ ପୁଲିସ, ତଟ ସୁରକ୍ଷା ବାହିନୀ, ସଂପୃକ୍ତ ଜିଲ୍ଲା ପ୍ରଶାସନ ଏବଂ ବନ୍ଦର କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ସାମିଲ କରି ସଚେତନତା ଓ ସୁରକ୍ଷା କାର୍ଯ୍ୟକ୍ରମକୁ ଏକ ଲୋକ-ଅଭିଯାନର ରୂପଦେବା ସହ ଏ କ୍ଷେତ୍ରରେ ଓଡ଼ିଶାର ପରିଚୟକୁ ଅଧିକ ଜାଜୁଲ୍ୟମାନ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା କଇଁଛ ସଂରକ୍ଷଣ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ଦିଗରେ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଚଳିତ ବର୍ଷ ସଂରକ୍ଷଣ କାର୍ଯ୍ୟ ନିମନ୍ତେ ଭଦ୍ରକ, ରାଜନଗର, ପୁରୀ ଏବଂ ବ୍ରହ୍ମପୁର ଆଦି ୪ଟି ବନ୍ୟଜନ୍ତୁ ବନଖଣ୍ଡମାନଙ୍କୁ ସମୁଦାୟ ୫ଟି ତୀବ୍ରଗତି ସଂପନ୍ନ ୧୩ଟି ଟ୍ରଲର ଏବଂ ସହାୟକ ବୋଟ୍‌ ଯୋଗାଇ ଦିଆଯାଇଛି। ସମୁଦ୍ର ମଧ୍ୟରେ ପାଟ୍ରୋଲିଂକୁ ଅଧିକ ସକ୍ରିୟ ଓ ଫଳପ୍ରସୁ କରିବାରେ ଏହା ଅନେକ ସହାୟକ ହେବ।

ପ୍ରଧାନ ବନ ସଂରକ୍ଷକ (ବନ୍ୟଜନ୍ତୁ) ଶଶି ପଲ୍‌ କହିଥିଲେ ଯେ, ଗତବର୍ଷ ଗହିରମଥା ଉପକୂଳରେ ପ୍ରାୟ ୩.୫ ଲକ୍ଷ କଇଁଛ ଅଣ୍ଡା ଦେଇଥିଲେ। ଏହି ଉପକୂଳରେ ମାର୍ଚ୍ଚ ୧୦ରୁ ୨୪ ତାରିଖ ମଧ୍ୟରେ ସାମୂହିକ ଅଣ୍ଡାଦାନ ହୋଇଥିଲା। ପ୍ରବର୍ତ୍ତନ କାର୍ଯ୍ୟରେ ୩୮ଟି ଟ୍ରଲର ସିଜ ସହ ୨୦୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା।

ବୈଠକରେ ଚଳିତ ବର୍ଷ ଓଲିଭ୍‌ ରିଡ୍‌ଲେ ପ୍ରଜନନ ଋତୁ ନିମନ୍ତେ ସଂରକ୍ଷଣ ଓ ସୁରକ୍ଷା କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଥିଲା। ଏଥି ନିମନ୍ତେ ୨୦୨୧ ମସିହା ନଭେମ୍ବର ୧ ତାରିଖ ଠାରୁ ୨୦୨୨ ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସମୁଦ୍ର ଉପକୂଳରୁ ୨୦କିମି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଂଚଳ ମଧ୍ୟରେ ମାଛଧରା ନିଷେଧ ଜାରି ଖରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଯନ୍ତ୍ର ଚାଳିତ ଡଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛଧରା ନିଷେଧ ହେବ। ବିନା ମଟର ବୋଟରେ ପାରଂପରିକ ଢଙ୍ଗରେ ମାଛ ଧରୁଥିବା ମତ୍ସ୍ୟଜୀବୀ ମାନଙ୍କୁ ଅଯଥାରେ ଅସୁବିଧାରେ ନପକାଇବା ପାଇଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର