ପଙ୍ଗପାଳ ଆକ୍ରମଣ: ବାଟ ବଦଳିଛି, ବିପଦ ଟଳିନି

ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଆୟୋଜିତ ପ୍ରସ୍ତୁତି ବୈଠକ

ସମ୍ବଲପୁର: ସପ୍ତାହ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ପଙ୍ଗପାଳ ଆକ୍ରମଣ ଆଶଙ୍କା ରହିଛି । ମୁକାବିଲା ପାଇଁ ସମ୍ବଲପୁର ଜିଲ୍ଲା କୃଷି ମୁଖ୍ୟ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲିଛି । ଏହି ପୋକର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁଯାୟୀ ବିଭିନ୍ନ ପ୍ରକାର ଔଷଧ ମହଜୁଦ ରଖିବା ପାଇଁ କୀଟନାଶକ ଡିଲରଙ୍କୁ ନିର୍ଦେଶ ହୋଇଛି। ଯେକୌଣସି ସ୍ଥାନରେ ପଙ୍ଗପାଳ ଥିବା ସୂଚନା ମିଳିଲେ ଏହାର ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଡିଏଫଓ, ଅଗ୍ନିନିର୍ବାପକ ଅଧିକାରୀ, ଡିଡିଏ, ଡିଡିଏଚ, କେବିକେ କୃଷି ବିଜ୍ଞାନୀଙ୍କୁ ନେଇ ସ୍କ୍ବାର୍ଡ ଗଠନ ହୋଇଛି।

ପଙ୍ଗପାଳ ଆକ୍ରମଣ ନିୟନ୍ତ୍ରଣ ପାଇଁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଏଥିସଂକ୍ରାନ୍ତରେ ଆଲୋଚନା ହୋଇଛି। ଏହି ଅବସରରେ ୨୪୦୨୯୪୪ ନିୟନ୍ତ୍ରଣ କକ୍ଷ ନମ୍ବର ମଧ୍ୟ ଜାରି ହୋଇଛି। ପଙ୍ଗପାଳ ଆକ୍ରମଣରେ ସମ୍ବଲପୁର ଜିଲ୍ଲାରେ ୪୦୦ ହେକ୍ଟର ପରିବା ଚାଷ ସର୍ବାଧିକ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି।

ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅଛନ୍ତି ପଙ୍ଗପାଳ। ମୌସୁମୀ ଏବଂ ପବନ ଯୋଗୁଁ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଉଥିବା ଜଣାପଡ଼ିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବିପଦମୁକ୍ତ ହୋଇ ପାରି ନାହିଁ ପଶ୍ଚିମ ଓଡ଼ିଶା। ଏକ ସପ୍ତାହ ମଧ୍ୟରେ ଯେକୌଣସି ସମୟରେ ଏହା ପହଞ୍ଚି ବ୍ୟାପକ ପରିମାଣରେ ପରିବା ଚାଷ ନଷ୍ଟ କରିବା ନେଇ ଆଶଙ୍କା କରାଯାଉଛି। ଆହୁରି ବିଳମ୍ବ ହେଲେ ଧାନ ଚାଷର ତଳି ଘେରା ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି।

ସମ୍ବଲପୁର ଜିଲ୍ଲାର କୌଣସି ଅଞ୍ଚଳ ପଡ଼ୋଶୀ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ନାହିଁ। ପଶ୍ଚିମ ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଏଥିରେ ପ୍ରଥମେ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା କରାଯାଉଛି। ସେହି ଦୃଷ୍ଟିରୁ ବରଗଡ଼ ଜିଲ୍ଲାକୁ ଆସିଲେ ସମ୍ବଲପୁର ଜିଲ୍ଲାର କଳାମାଟି, ଗୋଶାଲା ଦେଇ ମାନେଶ୍ବର, ଯୁଯୁମୁରା, ରେଢାଖୋଲ, ତଥା ଝାରସୁଗୁଡ଼ାକୁ ଆସିଲେ ରେଙ୍ଗାଲି ଏବଂ ସୁନ୍ଦରଗଡ଼କୁ ଆସିଲେ ବାମରାକୁ ପଙ୍ଗପାଳ କ୍ଷତିଗ୍ରସ୍ତ କରିବ। ସାଧାରଣତଃ ପଙ୍ଗପାଳଗୁଡ଼ିକ ଦଳଦଳ ହୋଇ ଦିନରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଉଡ଼ି ବୁଲନ୍ତି। ରାତିରେହିଁ ସେମାନେ ଯେକୌଣସି ସ୍ଥାନରେ ଏକାସହିତ ହଜାର-ହଜାର ସଂଖ୍ୟାରେ ବସନ୍ତି।

ଗ୍ରାମସାଥୀ, କୃଷକସାଥୀମାନେ ତୁରନ୍ତ ପଙ୍ଗପାଳଙ୍କ ଗତିବିଧି ବିଷୟରେ ନିୟନ୍ତ୍ରଣ କକ୍ଷ ସୂଚନା ଦେଲେ ସ୍ବାର୍ଡ ଟିମ ନିଜ କାର୍ଯ୍ୟ ଆରମ୍ଭ କରିଦେବେ। ରାତାରାତି ପଙ୍ଗପାଳମାନଙ୍କୁ ମାରିବାକୁ ପଡ଼ିବ। ନଚେତ ସେମାନେ ପୁଣି ସକାଳେ ଉଡ଼ି ବ୍ୟାପକ କ୍ଷତି କରିବେ ବୋଲି ମଧ୍ୟ କୃଷି ଅଧିକାରୀ କହିଛନ୍ତି। କୋଭିଡ ସମୟରେ ଅଗ୍ନିନିର୍ବାପକ ବିଭାଗ ଯେଉଁଭଳି ସାନିଟାଇଜ କରୁଥିଲେ ସେହିଭଳି ପଙ୍ଗପାଳମାନଙ୍କୁ ମଧ୍ୟ କରୋନା ଭଳି ପ୍ରତିହତ କରାଯିବ। ବର୍ତ୍ତମାନ ସମୟରେ ପଙ୍ଗପାଳ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ମୁଖ୍ୟତଃ ଲୋକଙ୍କୁ ପଙ୍ଗପାଳ ଏବଂ ଝିଣ୍ଟିକା ମଧ୍ୟରେ ଥିବା ପ୍ରଭେଦ ବିଷୟରେ ସୂଚନା ଦିଆଯିବ। ପଙ୍ଗପାଳ ଆସିବା ଜାଣିଲେ ବାଜା ବଜାଇ, ଟ୍ରାକ୍ଟର ସାଇଲେନସର ଖୋଲି ଘୋଡ଼ାଇ ଦେବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି।

ସମ୍ବନ୍ଧିତ ଖବର