ପୁରୀ: ଜୁନ୍ ୨୨ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। କିନ୍ତୁ ଚଳିତବର୍ଷ କ୍ଷୟ କାରଣରୁ ଅଣସର ନୀତି ୧୩ ଦିନ ପଡ଼ୁଛି। ତେଣୁ ଯେଉଁ ଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଏଭଳି ସ୍ଥିତିରେ ଏତେ ଅଧିକ ନୀତିକାନ୍ତି କିଭଳି ସୁରୁଖୁରରେ ଶେଷ ହେବ, ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଛି। ରଥଯାତ୍ରା ଓ ସ୍ନାନଯାତ୍ରାର ପ୍ରମୁଖ ନିଯୋଗ ଦଇତାପତି ନିଯୋଗ ଓ ପୂଜାପଣ୍ଡା ନିଯୋଗ ସହ ଆଜି ଏ ଉପରେ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। କିଭଳି ନୀତିକାନ୍ତି ଶୃଙ୍ଖଳିତ ହେବ, ସେ ଉପରେ ବିଚାରବିମର୍ଶ କରିଛି। ତେବେ ଦଇତାପତିମାନେ ୧୯୭୧ ମସିହାରେ ରଥଯାତ୍ରା କେଉଁ ଆଧାରରେ ହୋଇଥିଲା, ତାର ଜବାବ ମାଗିଛନ୍ତି। ଏଣୁ ପୁଣିଥରେ ଖୁବଶୀଘ୍ର ଏ ଉପରେ ବୈଠକ ଡାକି ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଛି।
ଚଳିତବର୍ଷ ରଥଯାତ୍ରା ୧୯୭୧ ମସିହା ରଥଯାତ୍ରା ଆଧାରରେ କରିବାକୁ ପୂଜାପଣ୍ଡା ନିଯୋଗ ମତଦେଇଛି। ୧୯୭୧ ମସିହାରେ ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସି ରଥରେ ଲାଗି ହୋଇଥିଲା। ପରେ ତିନିରଥ ସିଂହଦ୍ବାର ଚକଡ଼ାକୁ ବିଜେ କରିଥିଲେ। ଚଳିତବର୍ଷ ଅଣସର ଘରେ ଥିବା ଠାକୁରଙ୍କ ପାଖରୁ ଅଜ୍ଞାମାଳ ଆସିବ କି ପଟିଦିଅଁଙ୍କଠାରୁ ଆଜ୍ଞାମାଳ ଆସିବ, ତାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଏହି ଦ୍ବନ୍ଦ୍ବ ଭିତରେ ଆଜି ଶ୍ରୀମନ୍ଦିର ପ୍ରଶାସନ ପ୍ରଥମେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଲୋଚନା କରିଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର ୧୯୭୧ ରଥଯାତ୍ରାର ତଥ୍ୟ ପ୍ରମାଣ ମାଗିଥିଲେ। ଶ୍ରୀ ଦାସମହାପାତ୍ର କହିଥିଲେ, ଆମେ ଶୃଙ୍ଖଳିତ ରଥଯାତ୍ରା କରିବାକୁ ପ୍ରସ୍ତୁତ ଅଛୁ। କିନ୍ତୁ ଯାହା ବି ଆଲୋଚନା ହେଉଛି, ତାହାର ସ୍ପଷ୍ଟତା ରହୁ। ଯଦି ଆମେ ୧୯୭୧ ମସିହା ରଥଯାତ୍ରା ତଥ୍ୟ ଆଧାରରେ ଚଳିତବର୍ଷ ରଥଯାତ୍ରା କରିବାକୁ ଯାଉଛେ, ତେବେ ୧୯୭୧ ମସିହାରେ କେଉଁ ଆଧାରରେ ରଥଯାତ୍ରା ହୋଇଥିଲା, ତାହାର ତଥ୍ୟ ଆଗ ଉପସ୍ଥାପନ କରାଯାଉ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏ ଉପରେ କୌଣସି ତଥ୍ୟ ରଖି ପାରିନଥିଲା। ସେହିଭଳି ଦଇତାପତିଙ୍କ ପ୍ରାପ୍ୟ ପାଉଣା, ନୀତିକାନ୍ତି ଶୃଙ୍ଖଳା ଆଦି ଉପରେ ବି ଆଲୋଚନା ହୋଇଥିଲା। ନୂଆ ସରକାର ଆସିବା ପରେ ଏ ଉପରେ ପୁଣିଥରେ ବୈଠକ କରି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ସ୍ଥିର ହୋଇଥିଲା। ଦଇତାପତିଙ୍କ ବୈଠକ ଶେଷ ପରେ ପୂଜାପଣ୍ଡା ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ବୈଠକ ବସିଥିଲା। ଏଥିରେ ବି ସ୍ନାନଯାତ୍ରା ଓ ରଥଯାତ୍ରା ନୀତିକାନ୍ତି ଶୃଙ୍ଖଳା ଉପରେ ଆବଶ୍ୟକ ପରାମର୍ଶ ଲୋଡ଼ାଯାଇଥିଲା।