ରାଜ୍ୟ ବାହାର ଫେରନ୍ତାଙ୍କ ଲାଗି ପ୍ରସ୍ତୁତି : ୫୦୩ ପଞ୍ଚାୟତ ବୁଲି ଭିତ୍ତିଭୂମି ଦେଖିବେ ଜିଲ୍ଲାପାଳ

ଗଞ୍ଜାମ : ରାଜ୍ୟ ବାହାର ଫେରନ୍ତାଙ୍କ ପାଇଁ ଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତରେ ସ୍ଥିର କରାଯାଇଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକର ଭିତ୍ତିଭୂମି ଖୋଦ୍‌ ଜିଲ୍ଲାପାଳ ଯାଇ ଅନୁଧ୍ୟାନ କରିବେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ୫୦୩ ଗୋଟି ଗ୍ରାମ ପଞ୍ଚାୟତକୁ ବ୍ୟକ୍ତିଗତ ଭାବେ ଯାଇ ତଦାରଖି କରିବେ ବୋଲି ଜଣାପଡ଼ିଛି। ସଙ୍ଗରୋଧ ପାଇଁ ଚିହ୍ନଟ ସ୍ଥାନ, ବିଜୁଳି, ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥା ଖାଇବା ବ୍ୟବସ୍ଥା ଆଦି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି। ସେହିପରି ବରିଷ୍ଠ ଅଧିକାରୀମାନେ ଗ୍ରାମ ପଞ୍ଚାୟତ ଦାୟିତ୍ବରେ ରହିବେ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

ଆଜି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ବାହାର ଫେରନ୍ତାଙ୍କ ଲାଗି ନିତ୍ୟ ବ୍ୟବହାର୍ଯ୍ୟ କିଟ୍ ଏବେଠାରୁ ପ୍ରସ୍ତୁତ କରି ରଖିବାକୁ ଜିଲ୍ଲାପାଳ ବ୍ଲକ୍ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ପଞ୍ଚାୟତ ସ୍ତରରେ ପରିଚାଳନା କମିଟିମାନ ଗଠନ କରାଯିବ। ଦାୟିତ୍ବରେ ଥିବା ଲୋକଙ୍କ ତାଲିକା ପ୍ରସ୍ତୁତ ହେବ। ଯେଉଁମାନେ ଅବହେଳା କରିବେ ସେମାନଙ୍କ ଉପରେ ଉତ୍ତର ଦାୟିତ୍ବ ଧାର୍ଯ୍ୟ କରାଯିବ । କରୋନା ଆକ୍ରାନ୍ତ ରାଜ୍ୟରୁ ଲୋକମାନେ ଫେରିବାକୁ ଥିବାରୁ ସର୍ବାଧିକ ସତର୍କତା ସହିତ ସେମାନଙ୍କର ସଙ୍ଗରୋଧ ପରିଚାଳନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସାମାଜିକ ଦୂରତ୍ବ କିପରି ଅବଲମ୍ବନ କରାଯିବ ପ୍ରତ୍ୟେକ ବ୍ଲକ୍ ନିଜ ନିଜର ଆଦର୍ଶ ମାର୍ଗଦର୍ଶିକା ପ୍ରସ୍ତୁତ କରି ଜଣାଇବାକୁ ଜିଲ୍ଲାପାଳ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଅନାମ ଚରଣ ପାତ୍ର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର