୨୦୨୩ ହକି ପୁରୁଷ ବିଶ୍ୱକପ୍‌ର ପୂର୍ବପ୍ରସ୍ତୁତି ଲାଗି ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ସହ ୟୁରୋପ ଗଲେ ତୁଷାରକାନ୍ତି

ଭୁବନେଶ୍ୱର : ୨୦୨୩ରେ ଓଡ଼ିଶା ପୁଣିଥରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି। ଏହା ସମଗ୍ର ଓଡ଼ିଆବାସୀଙ୍କ ଲାଗି ଗର୍ବର ବିଷୟ। ରାଜ୍ୟରେ ଅନୁଷ୍ଠିତ ଯେକୌଣସି ଇଭେଣ୍ଟ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପ୍ରତ୍ୟେକ ବର୍ଗର ଲୋକେ ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ସେଥିନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସବୁବେଳେ ସଜାଗ ରହିଥାଏ। ଏହି ଦୃଷ୍ଟିରୁ ଆଗାମୀ ୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌କୁ ସଫଳ କରିବା ବିଭାଗ ପ୍ରଥମ ଲକ୍ଷ୍ୟ। ଏଥିପାଇଁ ପୂର୍ବ ପ୍ରସ୍ତୁତି ସ୍ୱରୂପ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ସହ ୟୁରୋପ ଗସ୍ତରେ ଯାଉଛନ୍ତି। ଏଥିରେ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, କ୍ରୀଡ଼ା ବିଭାଗର ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର କୁମାର ଜେନା, ରଞ୍ଜିତ ପରିଡ଼ା, ଯୁଗ୍ମ ଶାସନ ସଚିବ ତଥା ବିଭାଗୀୟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କୈଳାଶ ଚନ୍ଦ୍ର ଦାସ, ବିଭାଗର ବରିଷ୍ଠ ଅଧିକାରୀଗଣ ତଥା ବିଭିନ୍ନ ଡିସିପ୍ଲିନ୍‌ରେ କାର୍ଯ୍ୟରତ ବିଶେଷଜ୍ଞମାନେ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ଅଛନ୍ତି।

ବର୍ତ୍ତମାନ ୟୁରୋପର ନେଦରଲ୍ୟାଣ୍ଡ ଏବଂ ସ୍ପେନ୍‌ରେ ମହିଳା ବିଶ୍ୱକପ୍‌ ଆୟୋଜିତ ହେଉଛି। ଆୟୋଜକ ଏଫ୍‌ଆଇଏଚ୍‌ର ନିମନ୍ତ୍ରଣରେ କ୍ରୀଡ଼ା ଓ ଯୁବସେବା ବିଭାଗର ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀବେହେରାଙ୍କ ନେତୃତ୍ୱରେ ଶୁକ୍ରାବର ଗସ୍ତ କରିଛନ୍ତି। ସେଠାରେ ପହଞ୍ଚିବା ପରେ ଭାରତ ମ୍ୟାଚ୍‌ ଦେଖିବାର କାର୍ଯ୍ୟକ୍ରମ ଅଛି। ଏହି ପ୍ରତିନିଧି ମଣ୍ଡଳୀ ସେଠାରେ ପୂରା ୧୦ ଦିନ ରହି ବିଭିନ୍ନ ମ୍ୟାଚ୍‌ ପରିଦର୍ଶନ କରିବା ସହ ମେଗା ଇଭେଣ୍ଟର ଆୟୋଜନ, ଆତିଥ୍ୟ ଶୈଳୀ, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସୁପରିଚାଳନା, ଖେଳର ପ୍ରଚାରପ୍ରସାର, ଖେଳାଳିମାନଙ୍କ ରହଣି, ଯିବାଆସିବା ଏବଂ ସୁରକ୍ଷା ବ୍ୟବସ୍ଥା ଆଦି ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବେ। ଏହି ପ୍ରତିନିଧି ମଣ୍ଡଳୀ ସେଠାକାର ଖେଳ ପରିଚାଳନାର ବିଭିନ୍ନ ଭଲ ଦିଗକୁ ଅନୁଧ୍ୟାନ କରି ଏହାକୁ କିପରି ୨୦୨୩ରେ ହେବାକୁ ଥିବା ପୁରୁଷ ବିଶ୍ୱକପ୍‌ରେ ପ୍ରତିଫଳିତ କରାଯାଇପାରିବ ସେଥିପ୍ରତି ଗୁରୁତ୍ୱ ଦେବେ। ବିଧାନସଭା ଯୋଗୁଁ ଏହି ଗସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ୧୩ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ଥିବାବେଳେ ଅନ୍ୟ ସଦସ୍ୟମାନେ ପୂରା ୧୦ ଦିନ ସେଠାରେ ରହି ସେଠାକାର ବିଶ୍ୱକପ ହକି ପରିଚାଳନା ଅନୁଧ୍ୟାନ କରିବେ।

ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ସବୁବେଳେ କ୍ରୀଡ଼ା ଭ୍ରାତୃତ୍ୱଭାବକୁ ଗୁରୁତ୍ୱ ଦେଇ ଆସିଥିବା ବେଳେ ଆଗକୁ ଏହି ଧାରା ବଜାୟ ରହିବ। ସର୍ବଶେଷରେ ରାଉରକେଲା ଓ ଭୁବନେଶ୍ୱରରେ ହେବାକୁଥିବା ୨୦୨୩ ହକି ବିଶ୍ୱକପ୍‌କୁ କିପରି ଅଧିକ ସରସସୁନ୍ଦର କରି ହେବ ଏବଂ ଯେଉଁ ମହତ ଉଦ୍ଦେଶ୍ୟ ନେଇ ଓଡିଶା ଦଳ ବିଦେଶ ଗସ୍ତରେ ଯାଉଛନ୍ତି ତାହା କିପରି ସଫଳ ହେବ ସେଥିନେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଖେଳାଳିଙ୍କୁ ନଗଦ ପୁରସ୍କାର ପ୍ରଦାନ ସଂଶୋଧିତ ଯୋଜନାର ଶୁଭାରମ୍ଭ

ଭୁବନେଶ୍ବର : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର ନୂଆଦିଲ୍ଲୀଠାରେ ଖେଳାଳିମାନଙ୍କୁ ନଗଦ ପୁରସ୍କାର, ଜାତୀୟ କଲ୍ୟାଣ ଏବଂ ପେନ୍‌ସନ୍‌ର ସଂଶୋଧିତ ଯୋଜନା, କ୍ରୀଡ଼ା ବିଭାଗର ଯୋଜନାଗୁଡିକ ନିମନ୍ତେ ୱେବ୍ ପୋର୍ଟାଲ୍ dbtyas-sports.gov.in ଏବଂ ଜାତୀୟ କ୍ରୀଡା ବିକାଶ ପାଣ୍ଠିର ୱେବ୍‌ସାଇଟ୍ nsdf.yas.gov.in ର ଶୁଭାରମ୍ଭ କରିଛନ୍ତି। ଶ୍ରୀ ଠାକୁର ସୂଚନା ଦେଇଥିଲେ ଯେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅନ୍ତର୍ଜାତୀୟ କ୍ରୀଡ଼ା କାର୍ଯ୍ୟକ୍ରମରେ ପଦକ ବିଜେତା ଖେଳାଳି ଏବଂ ସେମାନଙ୍କର ପ୍ରଶିକ୍ଷକମାନଙ୍କୁ ନଗଦ ପୁରସ୍କାର ଯୋଜନା, ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟ ଜାତୀୟ କ୍ରୀଡ଼ାବିତ୍ କଲ୍ୟାଣ ଯୋଜନା (ପିଡିୟୁଏନ୍‌ଡବ୍ଲ୍ୟୁଏଫ୍‌ଏସ୍‌) ଏବଂ ମେଧାବୀ ଖେଳାଳିମାନଙ୍କୁ ପେନ୍‌ସନ୍ ଯୋଜନାରେ ଅନେକ ମହତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। କ୍ରୀଡ଼ା ବିଭାଗ ଏହି ଯୋଜନାଗୁଡ଼ିକୁ ଉପଯୋଗକର୍ତାମାନଙ୍କ ପାଇଁ ଅଧିକ ଅନୁକୂଳ, ବ୍ୟବହାର କରିବାରେ ସହଜ ଏବଂ ସ୍ୱଚ୍ଛ କରାଇବା ଦୃଷ୍ଟିକୋଣରୁ ସଂଶୋଧିତ କରିଛନ୍ତି। ଖେଳାଳିମାନଙ୍କ ନିମନ୍ତେ ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟ ଜାତୀୟ କ୍ରୀଡାବିତ୍ କଲ୍ୟାଣ ଯୋଜନା ଏବଂ ମେଧାବୀ ଖେଳାଳିମାନଙ୍କୁ ପେନସନ୍ ପ୍ରଦାନ ଯୋଜନା ବ୍ୟବସ୍ଥାକୁ ଅନଲାଇନ୍ କରାଯାଇଛି। ସଂଶୋଧିତ ଯୋଜନାଗୁଡ଼ିକ ଖେଳାଳି ମାନଙ୍କୁ ରେକର୍ଡ କରିବା ସମୟରେ ଲାଭ ପ୍ରଦାନ କରିବା ନିମନ୍ତେ ଅଧିକ ସ୍ୱଚ୍ଛ ଏବଂ ଉତ୍ତରଦାୟୀ ହୋଇ ପାରିବ ବୋଲି ଅନୁରାଗ ଠାକୁର କହିଛନ୍ତି। ବ୍ୟକ୍ତି ବିଶେଷ, ସଂସ୍ଥା ଏବଂ କର୍ପୋରେଟ୍ ସଙ୍ଗଠନଗୁଡିକ ଏନ୍‌ଏସ୍‌ଡିଏଫ୍ ପୋର୍ଟାଲ୍ ମାଧ୍ୟମରେ ଖେଳାଳି ମାନଙ୍କୁ, ଖେଳ ସୁବିଧାଗୁଡ଼ିକ ପାଇଁ ଏବଂ ଖେଳ ଆୟୋଜନ ନିମନ୍ତେ ସିଧାସଳଖ ଯୋଗଦାନ ଦେଇପାରିବେ। କ୍ରୀଡା ମନ୍ତ୍ରଣାଳୟ ଖେଳାଳିମାନଙ୍କୁ ନଗଦ ପୁରସ୍କାରଗୁଡିକର ଲାଭ ପ୍ରଦାନ କରିବା ନିମନ୍ତେ ଆବେଦନ କରିବାର ସୁବିଧା ପାଇଁ ୱେବ୍‌ପୋର୍ଟାଲ୍ ଏବଂ କ୍ରୀଡା ମନ୍ତ୍ରଣାଳୟ ଏନ୍‌ଏସ୍‌ଡିଏଫ୍ ନିମନ୍ତେ ଇଂଟରଆକ୍ଟିଭ୍‌ ୱେବ୍‌ ସାଇଟ୍ ମଧ୍ୟ ଶୁଭାରମ୍ଭ କରାଯାଇଛି ‌ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର