ଉଚ୍ଚ ଶିକ୍ଷା‌ନୁଷ୍ଠାନ ଖୋଲିବା ଲାଗି ସଜବାଜ, ୟୁଜିସି ଜାରି କଲା ଗାଇଡ୍‌ଲାଇନ୍‌

ସ୍ଥିତି ଦେଖି ପଦକ୍ଷେପ ନେବେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ
ଅନ୍ୟ ଶିକ୍ଷାନୁଷ୍ଠାନ ପାଇଁ ରାଜ୍ୟ ସରକାର ନେବେ ନିଷ୍ପତ୍ତି

ଭୁବନେଶ୍ୱର : କରୋନା ସଂକ୍ରମଣ ସାମାନ୍ୟ କମିବା ପରେ ଦେଶରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ବିଶ୍ବବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ମହାବିଦ୍ୟାଳୟ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ତାହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଆଜି ନିର୍ଦେଶାବଳୀ ଜାରି ହୋଇଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ କେନ୍ଦ୍ରୀୟ ଅନୁଦାନ ପାଉଥିବା ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଯଦି ସୁରକ୍ଷିତ ମଣିବେ, ତେବେ ଯାଇ ଶ୍ରେଣୀଗୃହ ପାଠପଢ଼ା ପାଇଁ ଅନୁମତି ଦେଇପାରିବେ। ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ରାଜ୍ୟ ବିଶ୍ବବିଦ୍ୟାଳୟ, ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କ ଦ୍ବାରା ଜାରି ଗାଇଡ୍‌ଲାଇନ୍‌ ଅନୁଯାୟୀ ପଦକ୍ଷେପ ନେବେ। ନଚେତ୍‌ ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରଖିବେ।

କ୍ୟାମ୍ପସ ଖୋଲିବା ପୂର୍ବରୁ କର୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଆସୁଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। କଣ୍ଟେନ୍‌ମେଣ୍ଟ ଜୋନ୍‌ ପରିସରରେ ରହୁଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ କଲେଜ ଆସିବାକୁ ଅନୁମତି ଦିଆଯିବ ନାହିଁ। ଯେତେଦୂର ସମ୍ଭବ, ଶାରୀରିକ ଦୂରତା ୬ ଫୁଟ୍‌ ରଖିବା ଦିଗରେ ପଦକ୍ଷେପ ନେବେ। ଫେସ୍‌ କଭର/ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ। ନିୟମିତ ଭାବେ ୪୦ରୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନ୍‌ରେ ହାତ ଧୋଇବେ, ଆଲକହଲ୍‌ଯୁକ୍ତ ହ୍ୟାଣ୍ଡ ସାନିଟାଇଜର୍‌ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଘସିବେ, କାସିବା ଓ ଛିଙ୍କିବା ସମୟରେ ଟିସୁ/ରୁମାଲ ଆଦି ବ୍ୟବହାର କରିବାକୁ କୁହାଯାଇଛି। ଅସୁସ୍ଥ ଥିଲେ, ଆଗୁଆ ପଦକ୍ଷେପ ନେବା ସହ କର୍ତୃପକ୍ଷଙ୍କୁ ଜଣାଇବେ। କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗୁ ହେବ। ଯେତେଦୂର ସମ୍ଭବ, ସମସ୍ତ ଛାତ୍ରଛାତ୍ରୀ, ପ୍ରଫେସର୍‌, ଅଧ୍ୟାପକ ଓ କର୍ମଚାରୀ ‘ଆରୋଗ୍ୟ ସେତୁ’ ଆପ୍‌ ଡାଉନ୍‌ଲୋଡ୍‌ କରିବା ସହ ତା’ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦ‌କ୍ଷେପ ନେଇପାରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମାବଳୀ ସହ ୟୁଜିସି ପକ୍ଷରୁ ଜାରି ହୋଇଥିବା ପରାମର୍ଶ/ନିର୍ଦେଶାବଳୀ/ନିର୍ଦେଶ ପାଳନ କରିବାକୁ ହେବ। କ୍ୟାମ୍ପସ ବିଶୋଧନ ସହ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ରକ୍ଷା, ଫେସ୍‌ କଭର ପିନ୍ଧିବା, ହାତ ଧୋଇବା ଆଦି ବିଷୟକୁ ଗୁରୁତ୍ବ ଦେବାକୁ ହେବ।

ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ କ୍ୟାମ୍ପସ ବିଶୋଧନ ସହ ଶିକ୍ଷକ, ଅଫିସର, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଲାଗି ପରିଚୟପତ୍ର ବାଧ୍ୟତାମୂଳକ କରାଯିବ। ଦରକାର ପଡ଼ିଲେ ପାଠପଢ଼ା ସମୟ ସୀମାକୁ ବୃଦ୍ଧି କରାଯାଇ ପାରିବ। କ୍ଲାସକୁ ବିଭକ୍ତ କରି ପାଠପଢ଼ା କରିପାରିବେ। କ୍ଲାସରୁମ୍‌ର ମୋଟ ଆକାରର ୫୦% ପିଲାଙ୍କୁ ବସାଇବାକୁ ଅନୁମତି ଦିଆଯିବ। ଶିକ୍ଷକଙ୍କୁ ଅନ୍‌ଲାଇନ୍‌ ପାଠପଢ଼ା ସମ୍ପର୍କରେ ଅଭ୍ୟସ୍ତ କରିବା, ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ। ଯେଉଁମାନେ ଜରୁରୀ କାମରେ ଆସୁଥିବେ, ସେମାନଙ୍କ ନାମ, ଠିକଣା ଆଦି ପ୍ରବେଶ ପଥରେ ଉଲ୍ଲେଖ କରି ଭିତରକୁ ଯିବେ। ପ୍ରବେଶ ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯଥା ଥର୍ମାଲ ସ୍କାନର, ସାନିଟାଇଜର ଆଦି ବ୍ୟବସ୍ଥା କରିବେ। କ୍ୟାମ୍ପସରେ ଯେପରି ଭିଡ଼ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବେ। ଏକାଧିକ ଫାଟକକୁ ବ୍ୟବହାର କରିବେ। ଆବଶ୍ୟକ ହେଲେ ହଷ୍ଟେଲ ଖୋଲିବେ।

ସମ୍ବନ୍ଧିତ ଖବର