ଭୋଟଗଣତି ପାଇଁ ପ୍ରସ୍ତୁତ ବୋଲି କହିଲେ ସିଇଓ, ଏଥର ବିଳମ୍ବରେ ଫଳାଫଳ

ଭୁବନେଶ୍ବର : ଆଉ ଦିନକ ପରେ ଓଡ଼ିଶାରେ ୨୧ଟି ଲୋକସଭା ସମେତ ୧୪୬ଟି ବିଧାନସଭା ପାଇଁ ଭୋଟଗଣତି ହେବ। ଭୋଟଗଣତି ପାଇଁ ଭାରତ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସକାଳ ୮ଟାରୁ ଭୋଟ ଗଣତି ହେବା ସହ ପ୍ରତି ଲୋକସଭା ନିର୍ବାଚନମଣ୍ଡଳୀ ସମେତ ପ୍ରତିଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ଟି ଲେଖାଏଁ ବୁଥର ଭିଭିପାଟ ଚିରକୁଟ ଗଣାଯିବା ବ୍ୟବସ୍ଥା ହୋଇଥିବାରୁ ଫଳାଫଳ ଜାଣିବାରେ ଅଧିକ ସମୟ ଲାଗିବ। ଓଡ଼ିଶାରେ ମୋଟ ୬୩ଟି ସ୍ଥାନରେ ଭୋଟଗଣତି ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ଚଳିତ ଥର ଭୋଟଗଣତି ପାଇଁ ମୋଟ ୬ ହଜାର ୭୦୦ କର୍ମଚାରୀ ନିୟୋଜିତ ହେବେ।

୧୫୨ଟି ହଲରେ ଭୋଟଗଣତି କରିବାକୁ ବ୍ୟବସ୍ଥା କରାଯାଇଛି। ପ୍ରତି ହଲରେ ଅନ୍ୟୂନ ୭ଟି ଟେବୁଲ ବିଧାନସଭା ପାଇଁ ଓ ୭ଟି ଲୋକସଭା ଇଭିଏମ ଗଣତି କରିବାକୁ ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଟାବୁଲେସନ ପାଇଁ ମଝିରେ ଗୋଟିଏ ଟେବୁଲ ଗଣତି ହଲରେ ପଡ଼ିବ।

ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ସହାୟକ ଓ ଜଣେ ମାଇକ୍ରୋ ଅବଜରଭର ନିୟୋଜିତ ହେବେ। ୨୦୧୪ ଅପେକ୍ଷା ଚଳିତ ଥର ଓଡ଼ିଶାରେ ୧୭୬୧ଟି ବୁଥ୍ ମତଦାନ ପାଇଁ ଅଧିକ ହୋଇଥିବାରୁ ଭୋଟଗଣତି ପାଇଁ ଅଧିକ ଟେବୁଲର ଆବଶ୍ୟକତା ପଡ଼ିଛି। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିସ କ୍ରମେ ୨ ହଜାର ୫୧ଟି ଟେବୁଲ ସ୍ଥାନରେ ୨୨ଟି ଜିଲ୍ଲା ପାଇଁ ୪୧୧ଟି ଟେବୁଲ ଅଧିକ ନିର୍ବାଚନ କମିସନ ଅନୁମୋଦନ କରିଛନ୍ତି। ମୋଟ ୨ ହଜାର ୪୬୨ଟି ଟେବୁଲରେ ଗଣତି କାର୍ଯ୍ୟ ସମ୍ପାଦନ କରାଯିବ। ସେହିପରି ବୁଥ୍ ସଂଖ୍ୟା ଅଧିକ ହୋଇଥିବାରୁ ଭୋଟଗଣତି ରାଉଣ୍ଡରେ ମଧ୍ୟ ବୃଦ୍ଧି କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାର କହିଛନ୍ତି, ଏଥରକ ଭୋଟଗଣତି ହାରାହାରି ୩୦ ରାଉଣ୍ଡ ପର୍ଯ୍ୟନ୍ତ ଚାଲିପାରେ। ପାଟଣାଗଡ଼ ବିଧାନସଭା ପାଇଁ ସର୍ବାଧିକ ୪୯ ରାଉଣ୍ଡ ଓ ସମ୍ବଲପୁର ଲୋକସଭା ପାଇଁ ସର୍ବନିମ୍ନ ୧୯ ରାଉଣ୍ଡ ପର୍ଯ୍ୟନ୍ତ ଗଣତି ହେବ। ଭୋଟଗଣତି କେନ୍ଦ୍ରର ସୁରକ୍ଷା ଦୃଷ୍ଟିରୁ ସିସିଟିଭି ସମେତ ଗଣତିର ଭିଡିଓଗ୍ରାଫି କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପ୍ରତି ଭୋଟଗଣତି କେନ୍ଦ୍ର ପାଇଁ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ତଦାରଖ କରିବାକୁ ନିୟୋଜିତ ହେବେ। ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ଗୋଟିଏ କିମ୍ବା ୩ଟି ହଲ ତଦାରଖ କରିବା ନେଇ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଭୋଟ ଗଣତିର ଯଥେଷ୍ଟ ସମୟ ପୂର୍ବରୁ ଷ୍ଟ୍ରଙ୍ଗରୁମରୁ ଇଭିଏମ ଓ ଭିଭିପାଟକୁ କଡ଼ା ସୁରକ୍ଷା ଭିତରେ କାଉଣ୍ଟିଂ ହଲକୁ ଅଣାଯିବ। ଗଣତିରେ ସ୍ବଚ୍ଛତା ପାଇଁ ନିୟୋଜିତ କର୍ମଚାରୀଙ୍କୁ ଗୁରୁବାର ସକାଳ ସାଢ଼େ ୫ଟାରେ ତତ୍କାଳ ଟେବୁଲ ଆବଣ୍ଟନ କରାଯିବ।

ଚଳିତ ଥର ପୋଷ୍ଟାଲ ବାଲଟ ଗଣତି ନିୟମରେ ଭାରତ ନିର୍ବାଚନ କମିସନ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ପୋଷ୍ଟାଲ ବାଲଟ ଗଣତି ସରିବା ପରେ ଇଭିଏମ ମେସିନ ଗଣତି କରିବା ନିୟମ ଥିଲା। କିନ୍ତୁ ଚଳିତ ଏହି ନିୟମରେ ପରିବର୍ତ୍ତନ କରାଯାଇ ସକାଳ ୮ଟାରେ ଭୋଟଗଣତି ଆରମ୍ଭ ହେବା ମାତ୍ରେ ପ୍ରଥମେ ଇଟିପିବିକୁ (ଇଲେକ୍ଟ୍ରୋନିକାଲି ଟ୍ରାନସମିଟେଡ୍ ପୋଷ୍ଟାଲ ବାଲଟ) ଗଣତି କରାଯିବ। ଗଣତି ଆରମ୍ଭ ହେବାର ପ୍ରଥମ ଅଧଘଣ୍ଟାକ ପରେ ଇଭିଏମ କଣ୍ଟ୍ରୋଲ ୟୁନିଟ୍ ଗଣାହେବ। ୨୦୧୪ରେ ପୋଷ୍ଟାଲ ବାଲଟ ସଂଖ୍ୟା ମୋଟ ୩୧ ହଜାର ୩୨୬ ଥିବାବେଳେ ଚଳିତ ଥର ଏହି ସଂଖ୍ୟା ପାଖାପାଖି ୧ ଲକ୍ଷ ହୋଇଛି। ସେଥିରୁ ୪୩ ହଜାର ୩୫୭ଟି ପୋଷ୍ଟାଲ ବାଲଟ ଜରିଆରେ କର୍ମଚାରୀମାେନ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେଥିରେ ବରଗଡ଼, କଳାହାଣ୍ଡି, ଭଦ୍ରକରେ ୫ ହଜାରରୁ ଅଧିକ ଅଛନ୍ତି। ଯଦି ଭୋଟଗ୍ରହଣ ଦିନର ମକ୍ ପୋଲ କୌଣସି ଇଭିଏମ ମେସିନରେ ରେକର୍ଡ଼ ରହିଯାଇଥିବ ତାହେଲେ ତା ପାଇଁ ଭିଭିପାଟ୍ ସ୍ଲିପ୍ ଯାଞ୍ଚ କରି ଗଣତି କରିବାକୁ ବ୍ୟବସ୍ଥା କରାଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭୋଟଗଣତିର ସ୍ବଚ୍ଛତା ଓ ବିଶ୍ବସନୀୟତା ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀର ୫ଟି ବୁଥ ପାଇଁ ଲଟେରି କରାଯାଇ ସେସବୁ ବୁଥର ଭିଭିପାଟ ମେସିନ ଚିରକୁଟ ସହିତ ଇଭିଏମ ମେସିନରେ ପଡ଼ିଥିବା ଭୋଟ ସହ ମେଳ କରାଯିବ। ଏଥିପାଇଁ ଭାରତ ନିର୍ବାଚନ କମିନସଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତି ଲୋକସଭା ପାଇଁ ୫ଟି ଓ ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୫ଟି ବୁଥ୍ ଲେଖାଏଁ ଏପରି ଗୋଟିଏ ଲୋକସଭା ପାଇଁ ଉଦ୍ଦିଷ୍ଟ ଥିବା ମୋଟ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୩୫ଟି ବୁଥକୁ ଲଟେରି ମାଧ୍ୟମରେ ଚୟନ କରାଯାଇ ସମ୍ପୃକ୍ତ ଭିଭିପାଟ ମେସିନର ଚିରକୁଟ ଗଣତି କରାଯିବ।

ନିୟମାନୁଯାୟୀ ପ୍ରତି ନିର୍ବାଚନମଣ୍ଡଳୀର ବୁଥଵାରୀ କ୍ରମାନ୍ବୟରେ ଗଣତି ହେବ। ଭିଭିପାଟ ମେସିନର ଚିରକୁଟ ସହ ଭିଭିଏମ କଣ୍ଟ୍ରୋଲ ୟୁନିଟ ଓ ବାଲଟ ୟୁନିଟ୍ ମେଳ କରିବାକୁ ଥିବାରୁ ଭୋଟଗଣତି ଫଳାଫଳ ମିଳିବାରେ ଯଥେଷ୍ଟ ବିଳମ୍ବ ଘଟିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ପ୍ରଥମ ରାଉଣ୍ଡର ଫଳାଫଳ ଅନ୍ୟୁନ ୪୫ ମିନିଟରୁ ୧ ଘଣ୍ଟା ପରେ ମିଳିବ। ଭୋଟ ଗଣତି ପ୍ରକ୍ରିୟା ବିଳମ୍ବିତ େହବାସହିତ ଖରାଦିନରେ ପ୍ରବଳ ଗରମ ହେଉଥିବାରୁ ସବୁ ଭୋଟଗଣତି କେନ୍ଦ୍ରକୁ ଶୀତାତପନିୟନ୍ତ୍ରିତ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ଭାରତ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶଅନୁଯାୟୀ, କୌଣସି କାଉଣ୍ଟିଂ ସୁପରଭାଇଜର, ଅବଜରଭର କିମ୍ବା କାଉଣ୍ଟିଂ ଏଜେଣ୍ଟ କୌଣସି ମୋବାଇଲ କିମ୍ବା ବୈଦୁତିକ ସଂରଜାମ ଗଣତି ହଲ ଭିତରକୁ ନେଇ ଯାଇପାରିବେ ନାହିଁ। କେବଳ ପୋଷ୍ଟାଲ ବାଲଟ ଗଣତି ପୂର୍ବରୁ କ୍ୟୁଆର କୋଡ଼ ଯାଞ୍ଚ ପାଇଁ ରିଟର୍ଣ୍ଣିଂ ଅଫିସର କିମ୍ବା ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରମାନେ ସେମାନଙ୍କ ମୋବାଇଲ ବ୍ୟବହାର କରିପାରିବେ।

ସେହିପରି ଗଣତି କେନ୍ଦ୍ର ପାଇଁ ପ୍ରବେଶ ଅନୁମତି ପତ୍ର ପାଇଥିବା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବିନା ମୋବାଇଲରେ ୪ରୁ ୫ଜଣ ହୋଇ ଭୋଟଗଣତି କେନ୍ଦ୍ର ପରିଦର୍ଶନ କରିପାରିବେ ବୋଲି ଶ୍ରୀ କୁମାର କହିଛନ୍ତି। କାଉଣ୍ଟିଂ କର୍ମଚାରୀ ଭୋଟଗଣତି ଆରମ୍ଭ ହେବା ପରଠୁ ଶେଷ ନହେବା ପର୍ଯ୍ୟନ୍ତ ଦାୟିତ୍ବମୁକ୍ତ ହେବେ ନାହିଁ। କୌଣସି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ ମଧ୍ୟ ଭୋଟଗଣତି କେନ୍ଦ୍ର ଛାଡ଼ି ଯାଇପାରିବେ ନାହିଁ। କେବଳ ଅସୁସ୍ଥତା କ୍ଷେତ୍ରରେ ଏହି ନିମୟକୁ କୋହଳ କରାଯାଇପାରିବ। ଭୋଟଗଣତି କେନ୍ଦ୍ରରେ ଗୋଟିଏ ରାଉଣ୍ଡ ଗଣତି ସରିବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ସ୍ବାକ୍ଷର ପରେ ସୁବିଧା ଆପରେ ପୁନଃ ଯାଞ୍ଚ ପାଇଁ ଅପଲୋଡ କରାଯିବ। ଫଳାଫଳର ସୂଚନା ଜିଲ୍ଲା ସୂଚନା ଅଧିକାରୀ ଗଣମାଧ୍ୟମକୁ ପ୍ରଦାନ କରିିବେ। ଫଳାଫଳ ପ୍ରକାଶ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଏଲଇଡିର ବ୍ୟବସ୍ଥା କରାଯିବା ସହ ଭୁବନେଶ୍ବରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଏଲଇଡି ଟିଭି ସ୍କ୍ରିନ୍ ସ୍ଥାପନ କରାଯାଇଛି। ସେହିଭଳି ଜିଲ୍ଲା ସ୍ତରରେ ମଧ୍ୟ ସର୍ବସାଧାରଣଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ଶ୍ରୀ କୁମାର କହିଛନ୍ତି। ଭୋଟଗଣତି ଫଳାଫଳ ଜାଣିବା ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ େଵବସାଇଟ www.results.eci.gov.in କିମ୍ବା ମୋବାଇଲର ପ୍ଲେ ଷ୍ଟୋରକୁ ଯାଇ voterhelpline app ଡାଉନଲୋଡ କରି ସାଧାରଣ ଲୋକେ ଜାଣିପାରିବେ।

ସମ୍ବନ୍ଧିତ ଖବର