ନବୀନଙ୍କୁ ସ୍ୱାଗତ ପାଇଁ ବିଜେଡିର ବ୍ୟାପକ ପ୍ରସ୍ତୁତି, ସାମିଲ ହେବେ ୫୦ ହଜାର ଲୋକ

୩୦ ପ୍ଲାଟୁନ ଫୋର୍ସ ମୁତୟନ କରିବ କମିସନରେଟ ପୁଲିସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନୂଆଦିଲ୍ଲୀ ଗସ୍ତ ଶେଷ କରି ୬ ତାରିଖ ପୂର୍ବାହ୍ନରେ ଭୁବନେଶ୍ବର ଫେରିବେ। ଭୁବନେଶ୍ବରରେ ବିଜେଡି ପକ୍ଷରୁ ଏକ ବିଶାଳ ସ୍ବାଗତ ଶୋଭାଯାତ୍ରାର ଆୟୋଜନ କରାଯାଉଛି। ଦଳୀୟ ସାଂସଦ, ବିଧାୟକ ଓ ସବୁ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଏଥିପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ରାଜ୍ୟର ସବୁ ଅଞ୍ଚଳରୁ କର୍ମୀମାନଙ୍କୁ ଭୁବନେଶ୍ବର ଆଣିବା ପାଇଁ ବିଧାୟକମାନେ ବ୍ୟବସ୍ଥା କରିଛନ୍ତି। ଏକ ବିରାଟ ପଟୁଆରରେ ବିମାନବନ୍ଦରରୁ ନବୀନ ନିବାସ ଯାଏ ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର ଦଳୀୟ କର୍ମୀ ପାଛୋଟି ନେବେ। କୋଭିଡ୍‌ ପରେ ରାଜଧାନୀରେ ଏହା ସବୁଠାରୁ ବଡ଼ ରାଜନୈତିକ କାର୍ଯ୍ୟକ୍ରମ ହେବ ବୋଲି ଚର୍ଚ୍ଚା ଚାଲିଛି। ତେବେ ଏହି ସ୍ୱାଗତ ଶୋଭାଯାତ୍ରା ପାଇଁ କମିସନରେଟ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି | ୫୦ ହଜାର ଲୋକ ସ୍ୱାଗତ ପାଇଁ ଆସିବାକୁ ଥିବାବେଳେ ସବୁ ଛକରେ ପୁଲିସ ଫୋର୍ସ ମୁତୟନ ହେବେ |

ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ଓ ଅନ୍ୟ ଯାତ୍ରୀଙ୍କ ଯିବା ଆସିବା ରେ ଯେଭଳି କୌଣସି ଅସୁବିଧା ନ ହେବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି | ୧ ଘଣ୍ଟାର କାର୍ଯ୍ୟକ୍ରମ ଥିବାବେଳେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ | ୧୦୦ ରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ ସୁରକ୍ଷା ଉପରେ ନଜର ରଖିବେ | ଉଲ୍ଲେଖ ଥାଉ କି କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମର୍ଯ୍ୟାଦାଜନକ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯାଇଥିଲା । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର(ଆଇଆଇସି)ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକଙ୍କୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି. ରମଣା ଏହି ସମ୍ମାନ ପ୍ରଦାନ କରିଥିଲେ । ଆଉ ଏଥିପାଇଁ ନବୀନଙ୍କୁ ଶୁଭେଚ୍ଛା ଜଣାଇବାକୁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି |

ସମ୍ବନ୍ଧିତ ଖବର