ଖଲିଆପାଲିରେ ମାଘମେଳା ପାଇଁ ପ୍ରସ୍ତୁତି ବୈଠକ : କୋଭିଡ୍ ଗାଉଡ୍‌ଲାଇନ୍‌ରେ ନୀତିକାନ୍ତି ମଧ୍ୟରେ ପାଳନ କରାଯିବ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ସନ୍ଥକବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିରେ ହେବାକୁ ଥିବା ମାଘମେଳା ନିମନ୍ତେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ମାଘମେଳା ଆୟୋଜନ କମିଟି ଦ୍ବାରା ଆଲୋଚନା କରାଯାଇ ଚଳିତ ବର୍ଷ ସମାରୋହକୁ ସରକାରଙ୍କ କୋଭିଡ୍ ମାର୍ଗଦର୍ଶିକା ଅନୁଯାଇ ନୀତିକାନ୍ତି ମଧ୍ୟରେ ପାଳନ କରାଯିବା ନେଇ ଆଲୋଚନା ହୋଇଛି। ଆସନ୍ତା ୨୫ ତାରିଖରୁ ୨୭ ତାରିଖ ୨ଦିନ ମନ୍ଦିର ଖୋଲାଯାଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ।

ପ୍ରତ୍ୟେକ ବର୍ଷ ଯେପରି ମେଳା ମହୋତ୍ସବ କରାଯାଉଥିଲା, ଚଳିତ ବର୍ଷ ତାହାକୁ ବନ୍ଦ ରଖାଯାଇ ନିରାଡ଼ମ୍ବର ପାଳନ ପାଇଁ ନି‌ଷ୍ପତି ହୋଇଛି। ସରକାରଙ୍କ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁସାରେ ମେଳା ଉଦ୍ଦେଶ୍ୟରେ ବାହାରୁ କୌଣସି ପ୍ରକାର ଦୋକାନ, ବଜାର, ମୀନାବଜାର ଇତ୍ୟାଦି ବାରଣ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସମାରୋହ ଅନୁଷ୍ଠିତ ହେବନାହିଁ। ପୀଠ ପରିସରରେ ଏକତ୍ରିତ ଭାବରେ ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପ୍ରତ୍ୟେକ ଭକ୍ତ ଓ ଶ୍ରଦ୍ଧାଳୁ ମୁହଁରେ ମାସ୍କ ରହିବା ସହ ୬ଫୁଟର ସାମାଜିକ ଦୂରତ୍ବ ପାଳନ, ହାତକୁ ବିଶୋଧନ କରି ମନ୍ଦିରକୁ ଶୃଙ୍ଖଳିତ ଦର୍ଶନ ପାଇଁ ଯାଇପାରିବେ। ପୀଠ ପରିସରରେ କିମ୍ବା ବାହାରେ କୌଣସି ସ୍ଥିତିରେ ୫ଶହରୁ ଅଧିକ ଲୋକଙ୍କୁ ଭିଡ଼ ନକରାଇବା ଉପରେ ଆବଶ୍ୟକ ଯତ୍ନବାନ ହେବାକୁ ଜିଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଟ୍ରଷ୍ଟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି।

ମେଳାରେ ଆବଶ୍ୟକ ଶାନ୍ତିଶୃଙ୍ଖଳା ନିମନ୍ତେ ପୁଲିସ ମୁତୟନ କରିବା, ଜରୁରୀକାଳୀନ ସେବା ନିମନ୍ତେ ଅଗ୍ନିଶମ ବିଭାଗ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ସଜାଗ ରହିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହ ତତ୍ପର ରହିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଏସ୍‌ପି ରମେଶ ଚନ୍ଦ୍ର ପାଣିଗ୍ରାହୀ, ଭୀମ ଭୋଇ ସମାଧି ପୀଠର ‌ମେନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ଭୀମ ଭୋଇ ସମାଧି ପୀଠର ସଂପାଦକ ଜନ୍ମେଜୟ ସ୍ବାଇଁ, ବାବା ସନ୍ନ୍ୟାସୀ ଦାସ, ଖଲିଆପାଲି ସରପଞ୍ଚ ରଘୁନାଥ ଅଗ୍ରୱାଲ, ସୁମନ୍ତ ପୁଟେଲ, ମହାଦେବ ବଗର୍ତ୍ତି, ମଙ୍ଗୁଳୁ ପିରା ପ୍ରମୁଖ ଟ୍ରଷ୍ଟ ସଦସ୍ୟ ତଥା ସୋନପୁର ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଗଜେନ୍ଦ୍ର ବାରିକ, ଦୀପକ କର, ରମେଶ ନାଗ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର