ପୁରୀ : ସାତୋଟି ଦେଶର ଆନ୍ତର୍ଜାତିକ ସଂଗଠନକୁ ନେଇ ଗଠିତ ‘ବେ ଅଫ୍ ବେଙ୍ଗଲ ଇନିସିଏଟିଭ୍ ଫର୍ ମଲ୍ଟି-ସେକ୍ଟୋରିଆଲ ଟେକ୍ନିକ୍ ଆଣ୍ଡ୍ ଇକୋନୋମିକ୍ କୋଅପରେସନ୍(ବିମ୍ଷ୍ଟେକ୍)’ ପକ୍ଷରୁ ଆଜି ଦ୍ବିତୀୟ ପ୍ରସ୍ତୁତି ବୈଠକ ପୁରୀରେ ଉଦ୍ଘାଟିତ ହୋଇଯାଇଛି। ପୁରୀ ମେ ଫେୟାର ହୋଟେଲ୍ ପରିସରରେ ଏନ୍ଡିଆରଏଫ୍ର ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ପିଭିଏସ୍ଏମ୍ର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ୍ ଜେନେରାଲ ଏନ୍ ସି ମାରୱା, ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା, ବିମ୍ଷ୍ଟେକ୍ର ନିର୍ଦ୍ଦେଶକ ପଙ୍କଜ ହଜାରିକା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଏନ୍ଡିଆରଏଫ୍ ଡିଜି ସତ୍ୟନାରାୟଣ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
ବିମ୍ଷ୍ଟେକ୍ର ପ୍ରଥମ ବୈଠକ ଦିଲ୍ଲୀରେ ହୋଇଥିବା ବେଳେ ଦ୍ବିତୀୟ ପ୍ରସ୍ତୁତି ବୈଠକ ପୁରୀରେ ଆୟୋଜନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ବିଗତ ଦିନରେ ପୁରୀ ‘ଫନି’ ଭଳି ବାତ୍ୟାର ସମ୍ମୁଖୀନ ହେବା ଏବଂ ଏଠାରେ ରାଜ୍ୟ ସରକାରଙ୍କ ସଂଯୋଜନାରେ ଜିଲ୍ଲା ପ୍ରଶାସନ ଖୁବ ଭଲ ଭାବରେ ପୁନରୁଦ୍ଧାର କାର୍ଯ୍ୟକୁ ପରିଚାଳନା କରି ପ୍ରଶଂସନୀୟ ହୋଇଥିଲା। ଆଗାମୀ ଦିନରେ ପୁରୀ କୋଣାର୍କ ଭଳି ପ୍ରତ୍ନତାତ୍ତ୍ବିକ ସହରକୁ କିପରି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରାଯାଇପାରିବ ସେଦିଗକୁ ନେଇ ଏଠାରେ ଆଜି ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ଭାରତ ବ୍ୟତୀତ ବଙ୍ଗଳାଦେଶ, ମିଆଁମାର୍, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ନେପାଳ ଏବଂ ଭୁଟାନ ଦେଶର ପ୍ରତିନିଧିମାନେ ଯୋଗ ଦେଇଥିଲେ। ପୁରୀ, କୋଣାର୍କ ଓ ଭୁବନେଶ୍ବର ମନ୍ଦିରମାଳିନୀ ସହର ହୋଇଥିବା କାରଣରୁ ଏଠାରେ ଭୂମିକମ୍ପ କିମ୍ବା ବାତ୍ୟା ସମୟରେ ଆଧ୍ୟାତ୍ମିକ ପ୍ରତିଷ୍ଠାନର ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ସେହିପରି ବାତ୍ୟା ହେଉ କିମ୍ବା ଭୂମିକମ୍ପ, ଏହି ସମୟରେ ଏଠାରେ କିପରି ମନ୍ଦିରଗୁଡ଼ିକୁ ସୁରକ୍ଷା ଯୋଗାଇ ଦିଆଯିବ ଏବଂ କ୍ଷତିଗ୍ରସ୍ତ ମନ୍ଦିରଗୁଡ଼ିକୁ କିପରି ପୁନଃନିର୍ମାଣ କରାଯିବ ସେଦିଗ ପ୍ରତି ଧ୍ୟାନ ଦେବାକୁ ମଧ୍ୟ ଆଲୋଚନା ହୋଇଥିଲା।
ଏହି ଅବସରରେ ଏଠାରେ ସାତୋଟି ଦେଶର ପ୍ରତିନିଧିମାନେ ବାତ୍ୟା ସମୟର ଅଭିଜ୍ଞତା ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ। ପୁରୀରେ କିପରି ବାତ୍ୟା ସମୟରେ ମନ୍ଦିରଗୁଡ଼ିକୁ ସୁରକ୍ଷିତ ରଖାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଶେଷ କରି ବନ୍ୟା, ବାତ୍ୟା ଏବଂ ଭୂମିକମ୍ପ ସମୟରେ ଟେବୁଲ ଟପ୍ ଏକ୍ସରସାଇଜ୍, ଫିଲ୍ଡ ଟ୍ରେନିଂ ଏକ୍ସରସାଇଜ୍ ଏବଂ ଆଫ୍ଟର୍ ଆକ୍ସନ୍ ରିଭ୍ୟୁ ସମ୍ପର୍କରେ ଆଲୋଚନା କରାଯାଇଥିଲା।