ପୁରୀ : ଆସନ୍ତା ଜୁନ୍ ମାସ ୪ ତାରିଖ ଦିନ ଶ୍ରୀଜୀଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ଏଥିପାଇଁ ପୁଲିସ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ପୁରୀ ଏସ୍ପି ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ସିଂହଦ୍ବାର ସମ୍ମୁଖରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହା ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ କିମ୍ବା ନାହିଁ ସେ ନେଇ ସ୍ପଷ୍ଟ ଚିତ୍ର ମିଳିନଥିବା ବେଳେ, ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ନେଇ ଏସ୍ପି ଆଜି ସମୀକ୍ଷା କରିଛନ୍ତି। ନମ୍ସା କାଟି ବିଭିନ୍ନ ପ୍ରସଙ୍ଗରେ ଏନେଇ ଆଲୋଚନା କରିଛନ୍ତି। ଆଜି ଏସ୍ପି ଡା. କେ ବିଶାଳ ସିଂହଙ୍କ ନେତୃତ୍ବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା, ଶ୍ରୀମନ୍ଦିର ଡେପୁଟି କମାଣ୍ଡାଣ୍ଟ୍ କୌଶିକ ନାୟକ, ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ଘନଶ୍ୟାମ ହେମ୍ରମ୍, ଗୃହରକ୍ଷୀ ବିଭାଗ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ଜିତେନ୍ଦ୍ର ଦେହୁରୀ, ସିଟି ଡିଏସ୍ପି କେକେ ହରିପ୍ରସାଦ, ରିଜର୍ଭ ଇନ୍ସ୍ପେକ୍ଟର ଚନ୍ଦ୍ରଶେଖର ଦାଶ, ଡିଆଇବି ଇନ୍ସ୍ପେକ୍ଟର ଗାୟତ୍ରୀ ମିଶ୍ର, ସିଂହଦ୍ବାର ଥାନା ଇନ୍ସ୍ପେକ୍ଟର ଗୋକୁଳରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଦେବସ୍ନାନ ପୂର୍ଣ୍ଣିମାରେ ପୁଲିସର ପ୍ରସ୍ତୁତି ନେଇ ଯୋଜନା କରିଥିଲେ। ଶ୍ରୀମନ୍ଦିର ପରିକ୍ରମାକୁ ନଜରରେ ରଖି ଏକ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତି କରାଯାଇଝତ। ବିଶେଷ କରି ଚଳିତବର୍ଷ ଶ୍ରଦ୍ଧାଳୁମାନେ କିପରି ସ୍ନାନମଣ୍ଡପରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବେ ସେନେଇ ଆଲୋଚନା କରାଯାଇଥିଲା। ଏଥିପାଇଁ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଇବା ପାଇଁ ଏସ୍ପି ଡା. ସିଂହ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଶ୍ରୀମନ୍ଦିର ଚାରିକଡ଼ରେ ବ୍ୟାରିକେଟ୍ ବ୍ୟବସ୍ଥା ସହ ଶ୍ରଦ୍ଧାଳୁମାନଙ୍କ ଯାତାୟାତ ରାସ୍ତା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଚଳିତବର୍ଷ ଅଧିକ ସଂଖ୍ୟାରେ ପୁଲିସ ଫୋର୍ସଙ୍କୁ ନିୟୋଜନ ପାଇଁ ପୁଲିସ ଯୋଜନା କରିଛି।