ପୁଲିସର ରଥଯାତ୍ରା ପ୍ରସ୍ତୁତି: ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ

ରଥଯାତ୍ରା ଶୃଙ୍ଖଳା ଦେଖିବେ ସଂଜୟ କୁମାର

ପୁରୀ: ଚଳିତବର୍ଷ ବିରଳ ଓ ଦୁଇଦିନିଆ ଶ୍ରୀଗୁଣ୍ଡିଚା ଯାତ୍ରା କାରଣରୁ ଏହି ମହାପର୍ବରେ ପୂର୍ବ ବର୍ଷ ତୁଳନାରେ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ପୁଲିସ ପୂର୍ବାନୁମାନ କରୁଛି। ସେହି ଅନୁସାରେ ରଥଯାତ୍ରା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରା, ସଂଧ୍ୟାଦର୍ଶନ, ବାହୁଡ଼ାଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେରେ ଭିଡ଼ ନିୟନ୍ତ୍ରଣ, ଆଇନଶୃଙ୍ଖଳା ଆଦି ଦେଖିବାକୁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାରଙ୍କୁ ଦାୟିତ୍ବ ନ୍ୟସ୍ତ କରାଯାଇଛି। ସେହିଭଳି ସୁରକ୍ଷା ଓ ଗୁଇନ୍ଦା ବ୍ୟବସ୍ଥା ପରିଚାଳନା ଦାୟିତ୍ବ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଦିଆଯାଇଛି। ପୁରୀ ଏସ୍‌ପି ପିନାକ ମିଶ୍ରଙ୍କ ସହ ସମନ୍ବୟ ରଖି ସମସ୍ତେ କାମ କରିବେ।

ଆସନ୍ତା ଜୁଲାଇ ୭ ତାରିଖରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା, ଜୁଲାଇ ୧୪ରେ ସଂଧ୍ୟା ଦର୍ଶନ, ଜୁଲାଇ ୧୫ରେ ବାହୁଡ଼ା ଯାତ୍ରା, ଜୁଲାଇ ୧୭ରେ ସୁନାବେଶ ଓ ଜୁଲାଇ ୧୯ରେ ନୀଳାଦ୍ରି ବିଜେ। ଯେହେତୁ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡ଼ୁଛି, ନୀତିକାନ୍ତି ପାଇଁ ସମୟ ଅଭାବରୁ ଚଳିତବର୍ଷ ଜୁଲାଇ ୭ ଓ ୮ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଦୁଇଦିନ ବଡ଼ଦାଣ୍ଡରେ ରଥ ଗଡ଼ିବ। ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ପ୍ରିୟଦର୍ଶୀ ରଥଯାତ୍ରାରେ ନିରାପତ୍ତା ଓ ଗୁଇନ୍ଦା(ସ୍ପେସାଲ ବ୍ରାଞ୍ଚ) ବ୍ୟବସ୍ଥା ଆୟୋଜନର ପ୍ରତ୍ୟକ୍ଷ ଅନୁଧ୍ୟାନ କରିବେ। ତାଙ୍କୁ ଗୁଇନ୍ଦା ଆଇଜିପି ଅନୁପ କୁମାର ସାହୁ, ସ୍ପେସାଲ ବ୍ରାଞ୍ଚ ଏସ୍‌ପି ଅନନ୍ତ ଚରଣ ପତି, ସୁରକ୍ଷା ଶାଖାର ଏସ୍‌ପି ସରୋଜ କୁମାର ମହାପାତ୍ର ସହଯୋଗ କରିବେ। ସେହିଭଳି ଅନ୍ୟ ପୁଲିସ ଆୟୋଜନ ବ୍ୟବସ୍ଥା ଉପରେ ନଜର ରଖିବେ ଏଡିଜି ଶ୍ରୀ କୁମାର। ତାଙ୍କୁ କଟକ ସେଣ୍ଟ୍ରାଲ ରେଞ୍ଜ ଆଇଜିପି ସଂଜୟ କୁମାର କୌଶଲ ଓ ପୁରୀ ଏସ୍‌ପି ପିନାକ ମିଶ୍ର ସହଯୋଗ କରିବେ। ଶ୍ରୀ କୁମାରଙ୍କ ଅଧୀନରେ ଶ୍ରୀମନ୍ଦିର ଭିତର ସୁରକ୍ଷା ବ୍ୟବସ୍ଥା ରହିବ।
ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ବୟ ରଖି ଜୁଲାଇ ୭ ଓ ୮ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି କିଭଳି ସମୟ ଅନୁସାରେ ହୋଇପାରିବ, ସେ ଉପରେ ନଜର ରଖିବେ। ପୁରୀ ଏସ୍‌ପି ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେର ଅବଶିଷ୍ଟ ବ୍ୟବସ୍ଥା ଦେଖିବେ। ଏଡିଜିପି ଅପରେସନ୍‌ ଏସ. ଦେବଦତ୍ତ ପହଣ୍ଡି ଓ ରଥଯାତ୍ରା ବେଳେ ତିନିରଥର କର୍ଡନ ବ୍ୟବସ୍ଥା ଦେଖିବେ। ଭିଡ଼ ନିୟନ୍ତ୍ରଣ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ। ବାହୁଡ଼ାଯାତ୍ରା ଓ ସୁନାବେଶ ବ୍ୟବସ୍ଥା ବି ଦେଖିବେ। ଏଚ୍‌ଆର୍‌ପିସି ଡିଆଇଜି ସତ୍ୟଜିତ ନାୟକ ଓ କଟକ ଏସ୍‌ଆର୍‌ପି ଭାରପ୍ରାପ୍ତ ଅଧିକାରୀ ମିହିର କୁମାର ପଣ୍ଡା ଏଥିରେ ସହଯୋଗ କରିବେ।

ରଥଯାତ୍ରା ଶୃଙ୍ଖଳା ଦେଖିବେ ସଂଜୟ କୁମାର
ନିରାପତ୍ତା ଦାୟିତ୍ବରେ ସୌମେନ୍ଦ୍ର ପ୍ରିୟଦର୍ଶୀ
ପୁରୀ ଏସ୍‌ପିଙ୍କ ସହ ‘ସମନ୍ବୟ’ ରଖି ସମସ୍ତେ କାମ କରିବେ

ରଥଯାତ୍ରା, ସଂଧ୍ୟାଦର୍ଶନ, ବାହୁଡ଼ାଯାତ୍ରା ଓ ସୁନାବେଶ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ଦେଖିବେ ଅନୁଗୁଳ ଡିଆଇଜି ଉମାଶଙ୍କର ଦାଶ। ହେର୍ଡକ୍ବାର୍ଟର ଏଆଇଜିପି ବି. ଗଙ୍ଗୱାର, ବିବେକାନନ୍ଦ ଶର୍ମା ଓ ଅମରେଶ ପଣ୍ଡା ଏଥିରେ ସହଯୋଗ କରିବେ। ଟ୍ରାଫିକ ବ୍ୟବସ୍ଥା ଦେଖିବେ ଏଡିଜିପି ଦୟାଲ ଗଙ୍ଗୱାର। ସେ ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ ଓ ଅନ୍ୟ ମୁଖ୍ୟ ପର୍ବପର୍ବାଣୀ ସମୟରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବେ। ଏସଆଇଡବ୍ଲୁ ଡିଆଇଜି କେ. ବିଶାଲ ସିଂହ ଓ ହେର୍ଡକ୍ବାର୍ଟର ଏଆଇଜି ଯୁଗଳ କିଶୋର କୁମାର ବନୋଥ ଏଥିରେ ସହଯୋଗ କରିବେ। ରେଳବାଇ ଓ ତଟ ସୁରକ୍ଷାର ଏଆଇଜି ରାଜେଶ କୁମାର ରେଳବାଇ ପୁଲିସ ଆୟୋଜନ ବ୍ୟବସ୍ଥା ଦେଖିବେ। ରେଳବାଇ ଭିଡ଼ ନିୟନ୍ତ୍ରଣ ଓ ନିରାପତ୍ତା ବ୍ୟବସ୍ଥା ଉପରେ ନଜର ରଖିବେ। ରାଜ୍ୟ ପୁଲିସ ମୁଖ୍ୟାଳୟ ଏସ୍‌ପି ବିଜୟଲକ୍ଷ୍ମୀ ଆଚାର୍ଯ୍ୟ ଓ ରାମପ୍ରସାଦ ସାହୁ ଏଥିରେ ସହଯୋଗ କରିବେ। ଯୋଗାଯୋଗ ଦାୟିତ୍ବ ସିଗନାଲ୍‌ ଏସପି ଜେ କେ ବେହେରା ଦେଖିବେ। ସେ ଜୁଲାଇ ୫ରୁ ନୀଳାଦ୍ରି ବିଜେ ଶେଷ ପର୍ଯ୍ୟନ୍ତ ଭିଏଚ୍‌ଏଫ୍‌ ଯୋଗାଯୋଗ ବ୍ୟବସ୍ଥା ଦେଖିବେ। ଏସ୍‌ଏଜି କମାଣ୍ଡାଣ୍ଟ ଦୁର୍ବାସା ନାୟକ ଭିଆଇପିଙ୍କ ନିରାପତ୍ତା ବ୍ୟବସ୍ଥା ଦେଖିବେ। କମାଣ୍ଡାଣ୍ଟ ଏ କେ ମହାନ୍ତି କ୍ୟାମ୍ପ କମାଣ୍ଡାଣ୍ଟ ରହିବେ। ସେ ରଥଯାତ୍ରାରେ ନିୟୋଜିତ ଅଧିକାରୀ, ଫୋର୍ସଙ୍କ ରିପୋର୍ଟିଂ ସମୟ ଦେଖିବେ। ଏ ସଂପର୍କରେ ପୁରୀ ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି, ଯେହେତୁ ଚଳିତ ରଥଯାତ୍ରା ଏକ ବିରଳ ରଥଯାତ୍ରା, ସେଥିପାଇଁ ନୀତି ଶୃଙ୍ଖଳା ଉପରେ ଆମେ ଗୁରୁତ୍ବ ଦେଇଛୁ। ଏ ଉପରେ ବିଭିନ୍ନ ନିଯୋଗ ସହ ବହୁବାର ବୈଠକ ସରିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ଉପରେ ବି ନଜର ରଖାଯାଇଛି। ରାଷ୍ଟ୍ରପତି ଆସିବାର ଥିବାରୁ ସେ ନେଇ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ବି ରଥଯାତ୍ରା ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ ଉପରେ ବୈଠକ ଅନୁଷ୍ଠିତ ହୋଇଛି। ଆବଶ୍ୟକ ରୂପରେଖ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର