ରାଉରକେଲା: ବିପିୟୁଟି ପରିସରରେ ବିଶ୍ବର ସର୍ବବୃହତ୍ ହକି ଷ୍ଟାଡିୟମର ନିର୍ମାଣକାର୍ଯ୍ୟ ବେଗ ଧରିଛି। ନିର୍ମାଣାଧୀନ ଗ୍ୟାଲେରୀ, ଖେଳାଳିଙ୍କ ପାଇଁ ରେଷ୍ଟ୍ରୁମ୍, ସ୍ବିମିଂ ପୁଲ୍ ସମେତ ଅନ୍ୟାନ୍ୟ ଭିତ୍ତିଭୂମି ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ସମ୍ପନ୍ନ ହେବ। ଏହି ଷ୍ଟାଡିୟମର ଅନ୍ୟତମ ଅଂଶ ହେଉଛି ପ୍ରାକ୍ଟିସ୍ ଗ୍ରାଉଣ୍ଡ୍।
ଅନ୍ତର୍ଜାତୀୟ ମ୍ୟାଚ୍ ପୂର୍ବରୁ ଏହି ପଡ଼ିଆରେ ହିଁ ଖେଳାଳିମାନେ ଅଭ୍ୟାସ କରିବେ। ତେବେ ମ୍ୟାଚ୍ର ଢ଼େର୍ ପୂର୍ବରୁ ଏହି ପଡ଼ିଆକୁ ଅଭ୍ୟାସ ଉପଯୋଗୀ କରାଯିବା ଜରୁରୀ। ଏଣୁ ଷ୍ଟାଡିୟମ ଭିତରେଥିବା ମୁଖ୍ୟ ପଡ଼ିଆ ତିଆରି ପୂର୍ବରୁ ଏହାକୁ ପ୍ରସ୍ତୁତ କରାଯାଇଛି। କିଛି ଦିନ ପୂର୍ବେ ଏହି ଅଭ୍ୟାସ ପଡ଼ିଆରେ ଆଷ୍ଟ୍ରୋଟର୍ଫ୍ ବିଛା ଯାଇଥିଲା। ଆଜି ଏଠାରେ ଗୋଲ୍ପୋଷ୍ଟ୍ ଖଞ୍ଜାଯାଇଛି। ନୂତନଭାବେ ଖଞ୍ଜାଯାଇଥିବା ଏହି ସଂପ୍ରତି ଟର୍ଫ୍ ଅପେକ୍ଷାକୃତ କଠିନ ଅବସ୍ଥାରେ ରହିଛି। ଏଣୁ ର୍ଟଫ୍କୁ ସାମାନ୍ୟ ନରମ କରିବାର ଆବଶ୍ୟକତା ରହିଛି। ଏଣୁ ଆଗାମୀ ୧/୨ ଦିନ ଭିତରେ ଏଠାରେ ଅଭ୍ୟାସ ଆରମ୍ଭ ହୋଇଯିବ। ସ୍ଥାନୀୟ ପାନପୋଷ କ୍ରୀଡ଼ା ଛାତ୍ରାବାସର ଖେଳାଳିମାନେ ଏଠାରେ ଅଭ୍ୟାସ କରିବେବୋଲି ଜଣାପଡ଼ିଛି।
ଏହି ନୂଆ ଷ୍ଟାଡିୟମରେ ନିର୍ଦ୍ଦିଷ୍ଟ କେତୋଟି ମ୍ୟାଚ୍ ଖେଲାଯିବା ସେନେଇ ଜିଲ୍ଲାବାସୀ ଉତ୍ସୁକତାର ସହ ଚାହିଁବସିଛନ୍ତି। ଏନେଇ ଯଦିଓ କିଛି ସ୍ପଷ୍ଟ ଦିଆଯାଇନି; ତଥାପି ଏଠାରେ ବିଶ୍ବକପ୍ ପୂର୍ବରୁ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଆୟୋଜନ ହେବବୋଲି ବିଶ୍ବସ୍ତସୂତ୍ରରୁ ପ୍ରକାଶ। ହକି ମହାସଂଘ ନିୟମାନୁଯାୟୀ, ନମନିର୍ମିତ ଷ୍ଟାଡିୟମରେ ବିଶ୍ବକପ୍ ମ୍ୟାଚ୍ ଆୟୋଜନ କରାଯାଇପାରିବ ନାହିଁ। ଉକ୍ତ ପଡ଼ିଆରେ ଅନ୍ତତଃ ୨/୩ଟି ଅନ୍ତର୍ଜାତୀୟସ୍ତରର ମ୍ୟାଚ୍ ଖେଳାଯିବା ଅନିବାର୍ଯ୍ୟ।
ଏଣୁ ଏହି ନିମୟର କଡ଼ା ପାଳନ ପୂର୍ବକ ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ଏଠାରେ ଆବଶ୍ୟକ ସଂଖ୍ୟକ ମ୍ୟାଚ୍ ଆୟୋଜନ ନିଶ୍ଚିତ। ଆଗାମୀ ଅକ୍ଟୋବର ମାସରେ ହେବାକୁ ଥିବା ପୁରୁଷ ହକି ପ୍ରୋ-ଲିଗ୍ର କିଛି ମ୍ୟାଚ୍ ଖେଳାଯିବାର ସମ୍ଭାବନା ରହିଛି। ପ୍ରକାଶଥାଉକି, ଆସନ୍ତା ଅକ୍ଟୋବର ୨୮ରୁ ୨୦୨୩ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ହକି ମହାସଂଘ ଆୟୋଜିତ ‘ହକି ପ୍ରୋ-ଲିଗ୍ ୨୦୨୨-୨୩’ ଭାରତ ସମେତ ଗ୍ରେଟ୍ବ୍ରିଟେନ୍, ନେଦରଲ୍ୟାଣ୍ଡ୍ରେ ଖେଳାଯିବ।
ଏଥିରେ ଭାରତୀୟ ଦଳ ମୋଟ୍ ୧୬ଟି ମ୍ୟାଚ୍ ଖେଳିବାକୁ ଥିବାବେଳେ ୮ଟି ମ୍ୟାଚ୍ ଘରୋଇ ପଡ଼ିଆରେ ହିଁ ଖେଳିବେ। ଭାରତୀୟ ଦଳ ପ୍ରତିପକ୍ଷ ନ୍ୟୁଜିଲାଣ୍ଡ୍, ସ୍ପେନ, ଜର୍ମାନୀ ଓ ଅଷ୍ଟ୍ରେଲିଆ ବିରୋଧରେ ୨ଟି ଲେଖାଏଁ ମ୍ୟାଚ୍ ହୋମ୍ ଗ୍ରାଉଣ୍ଡ୍ରେ ଖେଳିବେ। ସମ୍ଭବତଃ ଏହି ୪ ବିଦେଶୀ ଦଳ ସହ ଭାରତୀୟ ଦଳର ୨/୩ଟି ମ୍ୟାଚ୍ ରାଉରକେଲାରେ ଆୟୋଜନ କରାଯିବାର ସମ୍ଭାବନା ସର୍ବାଧିକ। ଏମିତିକି ଏନେଇ ପ୍ରୟାସ ଆରମ୍ଭ ହୋଇଯାଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ଏତଦ୍ବ୍ୟତୀତ ଦ୍ବିଦେଶୀୟ ଟେଷ୍ଟ୍ ସିରିଜ୍ ଖେଳାଯିବାର ସମ୍ଭାବନା ରହିଛି।