ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ରାତି ୧୨ଟା ୨୦ରେ ଖୋଲିବ ଦ୍ଵାର, ୬ଟା୨୬ ପୂର୍ବରୁ ସରିବ ମଧ୍ୟାହ୍ନ ଧୂପ

ପୁରୀ : ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ବସିଛି। ଏଥିରେ ୩୧ ତାରିଖରେ ପଡ଼ୁଥିବା ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ ହୋଇଥିବା ବେଳେ ନାଟମଣ୍ଡପ ମରାମତି ନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନାଟମଣ୍ଡପରେ ଥିବା ଫାଟ ୨୨ ତାରିଖ ପୂର୍ବରୁ ସାରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ୨୭, ୨୮ ଓ ୨୯ ଭିତରେ ତିନିଦିନରେ ମରାମତି ସାରିବେ। ସ୍ନାନ ଯାତ୍ରା ପୂର୍ବରୁ ଅସ୍ଥାୟୀ ଖମ୍ବକୁ ହଟାଇବେ। ୩୧ ତାରିଖ ପୂର୍ବରୁ ସମସ୍ତ କାମ ସାରି ହାଇକୋର୍ଟରେ ରିପୋର୍ଟ ଉପସ୍ଥାପନ କରିବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ଚନ୍ଦ୍ର ଗ୍ରହଣ ୩୧ ତାରିଖ(ପୂର୍ଣ୍ଣିିମା)ରେ ଲାଗୁଛି। ସକାଳ ୬ଟା ୨୬ ମିନିଟ ୭ ସେକେଣ୍ଡ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଦ୍ଧ ଥିବାରୁ ୩୦ ତାରିଖ ରାତି ୧୨ଟା ୨୦ ମିନିଟରେ ଦ୍ଵାର ଫିଟାଇବାକୁ ନୀତି ନିର୍ଘଣ୍ଟ ହୋଇଛି। ଭିତରଶୋଧ ୧୨ଟା ୪୦ ମିନିଟରେ ହେବାକୁ ଥିବାବେଳେ ୧୨ଟା ୫୦ରେ ମଙ୍ଗଳ ଆଳତି ଓ ମଇଲମ, ଗୋଟାଏ ୫ରେ ତଡ଼ପ ଲାଗି ଓ ରୋଷ ହୋମ, ଗୋଟାଏ ୩୦ରେ ଅବକାଶ, ୨ଟା ୧୦ରେ ସୂର୍ଯ୍ୟପୂଜା, ୨ଟା ୩୦ରେ ବେଶ ଶେଷ ଓ ଦ୍ଵାରପାଳ ପୂଜା, ୨ଟା ୫୦ରେ ଗୋପାଳ ବଲ୍ଲଭ, ୩ଟାରୁ ୪ଟା ଭିତରେ ସକାଳଧୂପ, ୩ଟା ୧୦ରୁ ୫ଟା ୧୦ ଭିତରେ ଭୋଗମଣ୍ଡପ, ୪ଟା ୩୦ରୁ ୫ଟା ଭିତରେ ମଇଲମ ଓ ବେଶ, ୫ଟା୨୦ରୁ ୬ଟା ୨୦ ଭିତରେ ମଧ୍ୟାହ୍ନ ଧୂପ ହେବାକୁ ରହିଛି। ୬ଟା ୨୫ରେ ମଇଲମ ଓ ତଡ଼ପ ଲାଗି ହୋଇ ନୀତି ୬ଟା ୨୬ରେ ପାକତ୍ୟାଗ ସହ ନୀତି ଶେଷ ହେବ। ଗ୍ରହଣ ସର୍ବମୋକ୍ଷ ରାତି ୮ଟା ୪୦ମିନିଟ ୫୦ ସେକେଣ୍ଡ ରହିଛି। ଏହି ସମୟରେ ଦେବନୀତି ହେବ ନାହିଁ। କିନ୍ତୁ ଶ୍ରୀମନ୍ଦିରରେ ନିଆରା ପରମ୍ପରା ରହିଛି।

ସନ୍ଧ୍ୟା ୫ଟା ୧୭ମିନିଟ ୧୯ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ଏହି ସ୍ପର୍ଶ ପରେ ମହାପ୍ରଭୁଙ୍କର ମହାସ୍ନାନ ହୋଇ ଗ୍ରହଣ ଭୋଗ ହେବ। ଏହା ପରେ ମହାପ୍ରଭୁଙ୍କର ଗଜ ଉଦ୍ଧାରଣ ବେଶ ହେବ। ଅନ୍ୟପଟେ ୫ଟା ୧୦ ମିନିଟରେ ଭୋଗମଣ୍ଡପ ନୀତି ରହିଥିବାରୁ ଭକ୍ତମାନେ ସକାଳୁ ସକାଳୁ ମହାପ୍ରସାଦ ପାଇବାର ସୁଯୋଗ ଲାଭ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ପ୍ରଶାସକ(ନୀତି) ଡ. ପ୍ରଦୀପ କୁମାର ଦାଶ, ଶ୍ରୀମନ୍ଦିର ପ୍ରଶାସକ (ସୁରକ୍ଷା) ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖଙ୍କ ସମେତ ଛତିଶା ନିଯୋଗ ସଦସ୍ୟମାନେ ଉପସ୍ଥିତ ଥିଲେ। ମୋବାଇଲ ପ୍ରସଙ୍ଗରେ କୌଣସି ଆଲୋଚନା କରାଗଲା ନାହିଁ। ପରବର୍ତ୍ତିି ଛତିଶା ନିଯୋଗ ବୈଠକରେ ଏହା ଉପରେ ଆଲୋଚନା ହେବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର