ସମ୍ଭାବ୍ୟ ବାତ୍ୟା ଅସାନି ପାଇଁ ପୂର୍ବତଟ ରେଳପଥର ପ୍ରସ୍ତୁତି

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ‘ଅସାନି’ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ନିରାପତ୍ତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ରେଳ ପୋଲ, ଟ୍ରାକ୍‌, ୟାର୍ଡ ଓ ସିଗନାଲିଂ ପଦ୍ଧତିଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ପାଣି ଜମିବା ଓ ସାଇଡ୍‌ ଡ୍ରେନ୍‌ ଉପରେ ପଡ଼ିଥିବା ପଙ୍କ, ଗଛଲତା ଓ ଅନ୍ୟାନ୍ୟ ପ୍ରତିବନ୍ଧକ ପରିଷ୍କାର କରାଯାଇଛି। ସେହିପରି ପାଟ୍ରୋଲମ୍ୟାନ୍‌ ଓ ୱାଚ୍‌ମ୍ୟାନଙ୍କ ଦ୍ବାରା ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପ୍ରହରା ବ୍ୟବସ୍ଥା କରାଯାଇଛି। ଟ୍ରାକ୍‌ ରକ୍ଷଣାବେକ୍ଷଣ ସଂରକ୍ଷିତ ସାମଗ୍ରୀକୁ ପର୍ଯ୍ୟାପ୍ତ ପରିମାଣରେ ରଖିବା ଲାଗି ବ୍ୟବସ୍ଥା କରାଯାଇଛି। ଖୁବ୍‌ଶୀଘ୍ର ପୂର୍ବତଟ ରେଳପଥ ପକ୍ଷରୁ ଅତିରିକ୍ତ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ହେଲ୍ପଲାଇନ୍‌ ନମ୍ବର ଜାରି କରାଯିବ ବୋଲି ସୂଚନା ମିଳିଛି।

ବାତ୍ୟା କିମ୍ବା ପ୍ରବଳ ବର୍ଷା ଦ୍ୱାରା ରେଳ ଟ୍ରାକ୍ ପ୍ରଭାବିତ ଆଶଙ୍କା ଥିବାରୁ ପୂର୍ବତଟ ରେଳପଥର ବିଶାଖାପଟନମ୍, ଖୋର୍ଦ୍ଧା ରୋଡ୍ ଏବଂ ସମ୍ବଲପୁର ମୁଖ୍ୟାଳୟରେ ୨୪ଘଣ୍ଟିଆ ବିପର୍ଯ୍ୟୟ ପରିଚାଳନା ସେଲ୍‌ ଖୋଲାଯାଇଛି। ‌ସେହିପରି ଆପତ୍‌କାଳୀନ ଟ୍ରେନ୍‌ ଚଳାଚଳ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଟ୍ରାକ୍‌ର ଶୀଘ୍ର ପୁନରୁଦ୍ଧାର, ସାଙ୍କେତିକ ପ୍ରଣାଳୀ ଏବଂ ବିଦ୍ୟୁତୀକରଣ ଇତ୍ୟାଦି ପାଇଁ ସ୍ୱତନ୍ତ୍ର ଦଳ ନିୟୋଜନ କରାଯାଇଛି। ବିଦ୍ୟୁତ୍‌ ସରବରାହ ବ୍ୟାଘାତ ହେଲେ, ଟ୍ରେନ୍‌ ଚଳାଚଳ ପାଇଁ ଡିଜେଲ ଇଂଜିନ୍‌ଗୁଡ଼ିକୁ ବିଭିନ୍ନ ସ୍ଥାନରେ ରଖାଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଦାୟିତ୍ୱରେ ଥିବା ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଟ୍ରେନ୍‌ ଚଳାଚଳକୁ ସୁରକ୍ଷିତ କରିବା ଲାଗି ଏବଂ କୌଣସି ଜରୁରୀକାଳୀନ ପରିସ୍ଥିତି ଯଥା ରେଳ ଟ୍ରାକ୍‌ ନିକଟରେ ବନ୍ୟା ସ୍ଥିତି ପ୍ରତି ସଜାଗ ରହିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର