ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ନରେନ୍ଦ୍ରରୁ ଉଠିଲେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀ

ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ନରେନ୍ଦ୍ରରୁ ଉଠିଲେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀ

ପୁରୀ : ଏପ୍ରିଲ ୨୩ ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦିନଠାରୁ ୨୧ ଦିନବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀରେ ଚାପ ଖେଳିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତବର୍ଷ ଚନ୍ଦନଯାତ୍ରା ଶେଷପରେ ନରେନ୍ଦ୍ରର ଗଭୀର ଜଳରାଶିରେ ବୁଡ଼ି ରହିଥିବା ନନ୍ଦା, ଭଦ୍ରା ବୈଜୟନ୍ତୀଙ୍କୁ ଗୁରୁବାର ଦିନ ଚୈତ୍ର ପୂର୍ଣ୍ଣିମା ତିଥିରେ ପାଣି ଉପରକୁ ଉଠାଯାଇଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକମାନେ ଗୁରୁବାର ଦିନ ପାଣିରେ ବୁଡ଼ି ମୋଟ୍‌ ୫ ଡଙ୍ଗାକୁ ଉପରକୁ ଆଣିଛନ୍ତି।

ପ୍ରଥା ଓ ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମା ତିଥିରେ ନନ୍ଦା, ଭଦ୍ରା ଓ ବୈଜୟନ୍ତୀ ନରେନ୍ଦ୍ରର ପାଣିରୁ ଉଠିଥା’ନ୍ତି। ୨ଟି ଲେଖାଏଁ ଡଙ୍ଗା ଯୋଡ଼ା ଯାଇ ନନ୍ଦା ଓ ଭଦ୍ରା ପ୍ରସ୍ତୁତ ହୋଇଥାଏ। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ସହ ପଞ୍ଚ ମହାଦେବ ଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ଏହି ଡଙ୍ଗାରେ ବସି ଚାପ ଖେଳିଥାନ୍ତି। ଚାପ ଖେଳିବା ସମୟରେ ବୈଜୟନ୍ତୀ ଡଙ୍ଗା ଆଗରେ ଯାଇଥାଏ।। ନନ୍ଦା ଓ ଭଦ୍ରା ତାକୁ ଅନୁଧାବନ କରିଥାନ୍ତି। ଏପ୍ରିଲ ୨୩ ତାରିଖରୁ ୨୧ ଦିନ ଧରି ଚନ୍ଦନଯାତ୍ରା ଚାଲିବ। ପ୍ରତିଦିନ ମହାପ୍ରଭୁ ପାଲିଙ୍କିରେ ଆସି ନରେନ୍ଦ୍ରରେ ଚାପ ଖେଳି ପୁଣି ଶ୍ରୀମନ୍ଦିରକୁ ଫେରିବେ। ସେହିଭଳି, ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ ଓ ଶ୍ରୀକୃଷ୍ଣ ପ୍ରତିଦିନ ନରେନ୍ଦ୍ରକୁ ବିମାନରେ ଆସି ଚାପ ଖେଳି ଫେରିବେ। ୨୧ ଦିନ ଧରି ବାହାର ଚାପ ଖେଳିବା ପରେ ଶ୍ରୀମନ୍ଦିରରେ ୨୧ ଦିନ ଭିତର ଚାପ ଖେଳ ହେବ। ଏଥିପୂର୍ବରୁ ଡଙ୍ଗାଗୁଡ଼ିକୁ ରଙ୍ଗ ଦିଆଯାଇ ସୁସଜ୍ଜିତ କରାଯିବ। ସଜେଇ ହୋଇ ଏମାନେ ମହାପ୍ରଭୁଙ୍କୁ ନରେନ୍ଦ୍ରରେ ଚାପ ଖେଳାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe