ଜଗତସିଂହପୁର : ପାରାଦୀପରେ ଆଜିଠାରୁ ଅନୁଭୂତ ହୋଇସାରିଛି ବାତ୍ୟା 'ୟାସ୍'ର ପ୍ରଭାବ। ଆଜି ଦିନ ୧୧ଟାରୁ ଆକାଶ ମେଘାଚ୍ଛନ୍ନ ରହିବା ସହିତ ବର୍ଷା ଓ ପବନ ଲାଗି ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରରେ ୪ ନମ୍ବର ବିପଦସଙ୍କେତ ଦିଆଯାଇଛି। ବନ୍ଦରରୁ ୧୨ଟା ସୁଦ୍ଧା ବର୍ଥରେ ଥିବା ସମସ୍ତ ଜାହାଜକୁ ସମୁଦ୍ର ଭିତରକୁ ପଠାଇ ଦିଆଯାଇଛି। ଆଜି ସନ୍ଧ୍ୟାରୁ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ଥଇଥାନ କରାଯିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ପାରାଦୀପ ସାହି ବସ୍ତିରୁ ଶହେରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତଟରକ୍ଷୀ ବାହିନୀ ପକ୍ଷରୁ ଉଭୟ ଜଳ ଓ ଆକାଶ ମାର୍ଗରୁ ପଇଁତରା ମରାଯାଉଛି।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ପ୍ରାଶାସନିକ ଅଧିକାରୀ ଶାଶ୍ବତ ମିଶ୍ର ଓ ଆଇପିଏସ୍ ଅମିତାଭ ଠାକୁରଙ୍କୁ ସ୍ବତନ୍ତ୍ର ଭାବେ ଦାୟିତ୍ବ ଦିଆଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ମଧ୍ୟ ୪ ନମ୍ବର ଫାଟକ ପାଖରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ବନ୍ଦର ଅଧ୍ୟକ୍ଷ ବିନିତ କୁମାର ଏ ନେଇ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ବିଶେଷ କରି ପ୍ରବଳ ବର୍ଷା ଯୋଗୁଁ ଯେମିତି ପାଣି ନିଷ୍କାସନରେ କୌଣସି ସମସ୍ୟା ରହିବ ନାହିଁ, ସେଥିପାଇଁ ଡ୍ରେନ ସଫା କରିବା ଉପରେ ଗୁରୁତ୍ବ ଦିଆଯାଇଛି। ୪ଟି ଟିମ୍ ଗଠନ କରାଯାଇ ବାତ୍ୟା ପରେ ଗଛ ଉପୁଡ଼ିଲେ ତୁରନ୍ତ ତାହା ସଫା କରି ଯାତାୟାତକୁ ସୁଗମ କରାଯିବ। ପାରାଦୀପ ବନ୍ଦରରେ ସମସ୍ତ କାର୍ଯ୍ୟ ବନ୍ଦ କରାଯିବ। ସମସ୍ତ ଜାହାଜକୁ ସମୁଦ୍ର ମଧ୍ୟକୁ ଆଙ୍କରେଜ୍ କରିବା ପାଇଁ ପଠାଇ ଦିଆଯାଇଛି। ପାରାଦୀପ ବନ୍ଦର ପକ୍ଷରୁ ୫ଟି ବାତ୍ୟା ଆଶ୍ରୟସ୍ଥଳରେ ପ୍ରାୟ ଦୁଇ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେମାନଙ୍କ ନିମନ୍ତେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ।
ପାରାଦୀପରେ ବର୍ତ୍ତମାନ ସୁଦ୍ଧା ୨୦ ଜଣିଆ ଓଡ୍ରାଫ୍ ଓ ୨୮ ଜଣିଆ ଏନଡିଆରଏଫ୍ ଟିମ୍ ପହଞ୍ଚିଛନ୍ତି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସୂଚନା ମୁତାବକ, ଜିଲ୍ଲାରେ ୬ ହଜାର ପଲିଥିନ୍ ସିଟ୍, ୨୬ଟି ପାୱାର ବୋଟ୍, ୨୦ଟି ଜେସିବି ପ୍ରସ୍ତୁତ ରହିଛି। ଏହାସହ ପ୍ରସ୍ତୁତ ହୋଇ ରହିଥିବା ୪୨ଟି ଆଶ୍ରୟସ୍ଥଳୀ ଓ ୧୮୧ଟି ବିକଳ୍ପ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି। ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ୩ ଜଣ ଲେଖାଏଁ ସରକାରୀ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ପାରାଦୀପ କୋଭିଡ୍ ହସ୍ପିଟାଲ୍ ନିମନ୍ତେ ୩୨୧ଟି ଅକ୍ସିଜେନ୍ ସେଣ୍ଟର ଓ ୯୫ଟି କନସେନଟ୍ରେଟର ମହଜୁଦ ରହିଛି।
ଅନ୍ୟପଟେ ପାରାଦୀପରେ ଥିବା ସାର କାରଖାନା ଗୁଡ଼ିକରେ ଯେପରି ଆମୋନିଆ ଗ୍ୟାସ୍ ଲିକ୍ ନ ହୁଏ, ସେଥିପାଇଁ ସତର୍କ ଓ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି।