ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି: ବ୍ୟାପକ ସଚେତନତା ସୃଷ୍ଟି ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ବ

ଭୁବନେଶ୍ୱର : ଚଳିତ ବର୍ଷ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତର ମୁକାବିଲା ନିମନ୍ତେ ପ୍ରଶାସନିକ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦିଆଯାଇଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିସନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଗ୍ରୀଷ୍ମ ପ୍ରବାହ ମୁକାବିଲା ସମ୍ବନ୍ଧିତ କାର୍ଯ୍ୟପନ୍ଥା ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକରେ ଅଂଶୁଘାତ ଚିକିତ୍ସା, ବନାଗ୍ନି ନିରୋଧ ଆଦି ବ୍ୟବସ୍ଥାକୁ ପୁନଃ ପରଖିବା ସହ ସେସବୁକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ସଜାଗ ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ପାନୀୟ ଜଳ ଉତ୍ସର ବିଶୁଦ୍ଧୀକରଣ ସହ ନିୟମିତ ଯାଞ୍ଚ୍ ଓ ଆବଶ୍ୟକ ସ୍ଥଳେ ଆଶୁ ମରାମତି ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ନଳକୂପ ଓ କୂଅ ଆଦି ନିକଟରେ ପଶୁପକ୍ଷୀମାନଙ୍କ ନିମନ୍ତେ ଜଳକୁଣ୍ଡ ନିର୍ମାଣ, ଜଙ୍ଗଲରେ ବୋହୁଥିବା ଝରଣାରେ ବାଲି ବସ୍ତା ଦେଇ ଛୋଟ ଛୋଟ ଆଡ଼ିବନ୍ଧ ନିର୍ମାଣ, ଆବଶ୍ୟକସ୍ଥଳେ ଜଳକୁଣ୍ଡ ସ୍ଥାପନ ଆଦି ଉପରେ ସେ ଗୁରୁତ୍ବାରୋପ କରିଥିଲେ। ସହର ଓ ଗ୍ରାମାଞ୍ଚଳରେ ନିଜ ନିଜ ବାସଗୃହ ନିକଟରେ ପଶୁପକ୍ଷୀଙ୍କ ପାଇଁ ଜଳକୁଣ୍ଡ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା।

ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ କହିଥିଲେ ଯେ ଯେତେବେଳେ କୌଣସି ସ୍ଥାନରେ ସର୍ବାଧିକ ତାପମାତ୍ରା ଲଗାତାର ଭାବେ ୪୫ ଡିଗ୍ରି ସେଲସିଅସ୍‌ରୁ ଅଧିକ ରହେ ସେତେବେଳେ ସାଧାରଣତଃ ଗ୍ରୀଷ୍ମପ୍ରବାହ ସ୍ଥିତି ସୃଷ୍ଟି ହୋଇଥାଏ। ଏଥି ପାଇଁ ପ୍ରତ୍ୟେକ ପାଣିପାଗ ସବ୍ ଡିଭିଜନରେ ଦୈନିକ ତାପମାତ୍ରାର ଅନୁଧ୍ୟାନ କରାଯିବ। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୩୦ ଟି ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଉଛି। ଉନ୍ନୟନ କମିସନର ଶ୍ରୀ ଜେନା ଜଣାଇଥିଲେ ଯେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ମୁକାବିଲା ପ୍ରସ୍ତୁତି ଫେବ୍ରୁଆରି ମାସରୁ ଆରମ୍ଭ କରାଯାଇଛି। ନିର୍ଦ୍ଧାରିତ କାର୍ଯ୍ୟଧାରା ପଦ୍ଧତି (ଏସ୍ଓପି) ସମସ୍ତ ବିଭାଗକୁ ପଠାଯାଇଛି। ସଂପୃକ୍ତ ବିଭାଗମାନେ ନିଜ ନିଜ ମୁକାବିଲା ଯୋଜନାର କାର୍ଯ୍ୟାନ୍ୱୟନ ଅଗ୍ରଗତି ବିଷୟରେ ନିୟମିତ ଭାବେ ସ୍ୱତନ୍ତ୍ର ରିଲିଫ୍ କମିସନ ଅଫିସଙ୍କୁ ଅବଗତ କରାଇବା ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧିତ ସତର୍କତା ଗୁଡିକ ବିଷୟରେ ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଳଗାତର ଜାରି ରଖିବାକୁ ଉନ୍ନୟନ କମିସନର ଜିଲ୍ଲା ଓ ବ୍ଳକ୍ ସ୍ତରୀୟ ଅଧିକାରୀମାନଙ୍କୁ କହିଥିଲେ ।

ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ବୈଠକ କରି ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଗ୍ରୀଷ୍ମ ପ୍ରବାହ ବିଷୟରେ ଆଗୁଆ ସତର୍କ ସୂଚନାର ଉପଯୁକ୍ତ ପ୍ରସାରଣ ନିମନ୍ତେ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମୁଖ୍ୟତଃ ପାନୀୟ ଜଳ ଯୋଗାଣ, ଅଂଶୁଘାତ ଚିକିତ୍ସା ବ୍ୟବସ୍ଥା, ଅଙ୍ଗନବାଡ଼ି ଏବଂ ଆଶାକର୍ମୀଙ୍କ ପାଖରେ ଓ.ଆର.ଏସ୍ ପ୍ୟାକେଟ ମହଜୁଦ, ପଶୁପକ୍ଷୀମାନଙ୍କ ନିମନ୍ତେ ଜଳ ଓ ଚିକିତ୍ସା ବ୍ୟବସ୍ଥା, ଶ୍ରମିକ ମାନଙ୍କ ନିମନ୍ତେ କାର୍ଯ୍ୟସ୍ଥଳୀରେ ଜଳ ଓ ବିଶ୍ରାମ ସ୍ଥଳ ନିର୍ମାଣ, ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡ଼ିମାନଙ୍କରେ ସମୟ ନିର୍ଘଣ୍ଟରେ ଆବଶ୍ୟକୀୟ ପରିବର୍ତ୍ତନ, ଯାତ୍ରୀବାହୀ ଯାନବାହାନରେ ପାଣି ଓ ଅଧିକ ଭିଡ଼ ନିୟନ୍ତ୍ରଣ, ଫାଷ୍ଟଏଡ୍ ବ୍ୟବସ୍ଥା, ନିରନ୍ତର ବିଦ୍ୟୁତ ଯୋଗାଣ, କେନାଲରେ ପାଣି ଛାଡ଼ିବା, ଅଂଶୁଘାତ ଆକ୍ରାନ୍ତ ଲୋକଙ୍କ ପାଇଁ ସହାୟତା ଆଦି ବିଷୟରେ ସବିଶେଷ ଆଲୋଚନା ହୋଇ ଆବଶ୍ୟକୀୟ ନିଷ୍ପତ୍ତିମାନ ନିଆଯାଇଥିଲା। ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର