ଆନ୍ଧ୍ରର ମୁକାବିଲା ଲାଗି ପ୍ରସ୍ତୁତି, ଅନୁପ୍ରବେଶକୁ ଅଟକାଯିବ: ଜିଲ୍ଲାପାଳ

କୋରାପୁଟ : କୋଟିଆ ଅକ୍ତିଆର ପାଇଁ ବାରମ୍ବାର ଷଡ଼ଯନ୍ତ୍ର କରୁଥିବା ଆନ୍ଧ୍ରକୁ ଅନୁପ୍ରବେଶ କରିବାକୁ ଦିଆଯିବ ନାହିଁ। ରୋକ ଲଗାଇବାକୁ ପ୍ରସ୍ତୁତ ଅଛି କୋରାପୁଟ ଜିଲ୍ଲା ପ୍ରଶାସନ। ଓଡ଼ିଶା ସୀମାକୁ ସୁରକ୍ଷା ଦେବା ଆମର ପ୍ରଥମ କର୍ତ୍ତବ୍ୟ। ଜିଲ୍ଲା ପ୍ରଶାସନ ଓ କୋରାପୁଟ ପୁଲିସ ଏହି ସମ୍ଭେଦନଶୀଳ ପ୍ରସଙ୍ଗ ଉପରେ ନଜର ରଖିଛି। ଭାଷା ଭିତ୍ତିରେ ବିଭେଦ ସୃଷ୍ଟି କରିବାକୁ ଆନ୍ଧ୍ରର ଯୋଜନା ପଦାକୁ ଆସିବା ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଏମ. ଅଖତର।

ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆରେ ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବାପରେ ଆନ୍ଧ୍ରର କିଛି ରାଜନେତା ନିଜ ଉପସ୍ଥିତିକୁ ଜାହିର କରିବାକୁ ଚାହୁଛନ୍ତି। ଏକାଧିକ ତେଲୁଗୁ ଗଣମାଧ୍ୟମ ଏ ନେଇ ଖବର ପ୍ରକାଶ କରିବା ପରେ କିଛି ରାଜନେତା ପାବର୍ତୀପୁରମ ପିଓ ଆଇଟିଡିଏଙ୍କୁ ଦାବିପତ୍ର ଦେଇଛନ୍ତି। କୋରାପୁଟ ଜିଲ୍ଲା ପ୍ରଶାସନ ଏ ନେଇ ଅବଗତ ରହିଛି। ଯଦି ଆନ୍ଧ୍ର ପ୍ରଶାସନ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବ ତେବେ ବାଧା ଦେବାକୁ ଯୋଜନା ପ୍ରସ୍ତୁତ ହୋଇ ସାରିଛି ବୋଲି କୋରାପୁଟ ଜିଲ୍ଲାପାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାପରେ କୋଟିଆ ବିବାଦ ରୋଚକ ମୋଡ ନେଇଛି। ଆଗକୁ ଛକାପଞ୍ଝା ବଢ଼ିବା ସହ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହେବ ବୋଲି ମତପ୍ରକାଶ ପାଇଛି।

newindianexpress.com

ଅନ୍ୟପକ୍ଷରେ ଆନ୍ଧ୍ରର କାରସାଦି ପଦାକୁ ଆସିବା ପରେ କଡ଼ା ସମାଲୋଚନା କରିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା। ସେ କହିଛନ୍ତି ଯେ, ବିଟ୍ରିଶ୍‌ ଅମଳରେ ତତ୍କାଳୀନ ଜିଲ୍ଲାପାଳ ଆର.ସି.ଏସ ବେଲଙ୍କ ରିପୋର୍ଟ ମୁତାବକ ପଟାଙ୍ଗୀର ତାଡିବଲାସାରେ ରହିଥିବା ଶଗଡପଥ ଓଡ଼ିଶାର ବୋଲି ଉଲ୍ଲେଖ କରାଯାଇଛି।‌ ତେଣୁ ସ୍ବାଧୀନତା ପୂର୍ବର ସେହି ଦସ୍ତାବିଜ୍ ଅନୁସାରେ ଏହି ଅଞ୍ଚଳର ଓଡ଼ିଶାର। କିନ୍ତୁ କାହିଁକି ସେଠାକାର ସରକାର କୋଟିଆକୁ ଅକ୍ତିଆର ପାଇଁ ଏତେ ପରିଶ୍ରମ କରୁଛନ୍ତି ଜଣାପଡ଼ୁନାହିଁ। କିନ୍ତୁ ଆନ୍ଧ୍ର ସରକାର ଓ ପାର୍ବତୀପୁରମ ପିଓ ଆଇଟିଡିଏ କୋଟିଆ କାହାର ଭଲ ରୂପେ ଜାଣିଛନ୍ତି। ତଥାପି ଜାଣିଶୁଣି ଅନୁପ୍ରବେଶ କରୁଛନ୍ତି। ଏହା ସେମାନଙ୍କ ଅପରାଧିକ ଷଡ଼ଯନ୍ତ୍ର। ତେବେ ଏହି ଅନୁପ୍ରବେଶ ପଛରେ ବହୁତ ଦିଗ ରହିଛି।

ଯେମିତି ନିର୍ଦ୍ଦିଷ୍ଟ ଧର୍ମର ପ୍ରଚାର କରିବା ସେମାନଙ୍କର ମୂଲ୍ୟ ଲକ୍ଷ୍ୟ। ଏଥିପାଇଁ ୩ଜଣ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇ ପୋଷୁଛନ୍ତି ବୋଲି ଶ୍ରୀ ପରିଡ଼ା ଅଭିଯୋଗ କରିଛନ୍ତି। ପୁଣି କହିଛନ୍ତି, କୋରାପୁଟ ଜିଲ୍ଲାରେ କୋଭିଡ୍‌ କଟକଣା ଯୋଗୁ ଦୀର୍ଘ ଦେଢ ବର୍ଷ ଧରି ସ୍କୁଲ ବନ୍ଦ ରହିଲା। କିନ୍ତୁ ଆନ୍ଧ୍ର ଚାଳ କୁଡ଼ିଆରେ ଖୋଲିଥିବା ବିଦ୍ୟାଳୟ ନିୟମିତ ଖୋଲୁଥିଲା। ଏହି ବିଦ୍ୟାଳୟରେ ଓଡ଼ିଆ ପିଲାଙ୍କୁ ଶିକ୍ଷାଦାନ କରିବା ଆଳରେ ତେଲୁଗୁ ଭାଷା ଶିଖାଇଲେ। ପିଲାଙ୍କୁ ତେଲଗୁ ଭାଷା ଶିକ୍ଷା ଦେଇ ସେମାନଙ୍କୁ ଆନ୍ଧ୍ର ପ୍ରତି ଆକର୍ଷିତ କରାଯାଉଛି। ଏ ନେଇ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ପଦକ୍ଷେପ ନେବା କଥା। ନଚେତ ବୋରା ଅଞ୍ଚଳ ପରି କୋଟିଆ ମଧ୍ୟ ହାତରୁ ଖସିଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର