ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପରିଚାଳିତ ଦେଶୀ ବିହନ ବ୍ୟାଙ୍କରେ ରହିଛି ପ୍ରାୟ ୮୦ ପ୍ରକାର ବାସମତୀ ଏବଂ ବାସ୍ନା ଧାନ ବିହନ। ଖୋର୍ଧା, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ବିଭିନ୍ନ ସ୍ଥାନରୁ ସଂଗୃହୀତ ହୋଇ ସଂରକ୍ଷିତ ରଖାଯାଇଛି। ମାତ୍ର ଆଜି ପର୍ଯ୍ୟନ୍ତ ଏହାର ଉପଯୋଗ କରାଯାଇ ବାସମତୀ ଧାନ ଚାଷ କରାଯାଉନଥିଲା। ଚଳିତ ବର୍ଷ ୧୬ଶହ ହେକ୍ଟର ଜମିରେ ବାସମତୀ ଏବଂ ବାସ୍ନା ଧାନ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କୃଷି ବିଭାଗ। ୧ ହଜାର ହେକ୍ଟରରେ ବାସ୍ନା ଚାଉଳ ଧାନ, ୪ ଶହ ହେକ୍ଟରରେ ବିହନ ଏବଂ ୨୦୦ ହେକ୍ଟରରେ ଲମ୍ବା ଚାଉଳଯୁକ୍ତ ବାସମତୀ ଧାନ ଚାଷ କରାଯିବ। ଖୁବ ଶୀଘ୍ର ଏଥିପାଇଁ ମଞ୍ଜୁରି ମିଳିବ ବୋଲି ଆଶା କରାଯାଉଛି।

Advertisment

ଅନ୍ତର୍ଜାତୀୟସ୍ତରରେ ୬୫ ପ୍ରତିଶତ ବାସମତୀ ଚାଉଳର ଚାହିଦା ପୂରଣ କରେ ଭାରତ। ଜମ୍ମୁ-କାଶ୍ମୀର, ହିମାଚଳପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶର କିଛି ସ୍ଥାନରେ ଏହା ଉତ୍ପାଦିତ ହୁଏ। କିନ୍ତୁ ଓଡ଼ିଶାରେ ଉତ୍ପାଦନ ପାଖାପାଖି ଶୂନ୍ୟ ଭଳି। ବରଗଡ଼, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନୟାଗଡ଼ ସମେତ କିଛି ସ୍ଥାନରେ ଚାଷୀ କିମ୍ବା ସାମାଜିକ ସଙ୍ଗଠନଗୁଡ଼ିକ ନିଜ ଉଦ୍ୟମରେ ଛୋଟ ବାସମତୀ ଧାନ ଚାଷ କରୁଛନ୍ତି। ସେମାନେ ମୁଖ୍ୟତଃ ମୂଳାମଞ୍ଜି, ବିଷ୍ଣୁଭୋଗ, ତୁଳସୀବାସ, କଳାଜିରା, ବୁଦ୍ଧଭୋଗ, ଗୋବିନ୍ଦଭୋଗ, ବାସକମଲ, ଦୁବରାଜ, କୁସୁମକେରି, ବାସ୍ନାଭୋଗ, ଗୋବିନ୍ଦଭୋଗ ପ୍ରଭୃତିର ବିହନ ବ୍ୟବହାର କରୁଛନ୍ତି । ଅରୁଆ ବାସ୍ନା ଚାଉଳ ଗାଁ-ଗାଁରେ ଚାଷୀ କଲେ ମଧ୍ୟ ତାହା କେବଳ ନିଜ ଘର ଖାଇବା ପାଇଁ ହୁଏ, ବାହାରେ ବିକ୍ରି କରନ୍ତି ନାହିଁ। କିନ୍ତୁ ଲମ୍ବା ବାସମତୀ ଚାଉଳ ପ୍ରାୟତଃ ହୁଏ ନାହିଁ। ଏହାକୁ ନେଇ ଚାଷୀ ସୁଦାମ ସାହୁ କହନ୍ତି, ବାସମତୀ ଚାଉଳ ଏତେ ଲମ୍ବା ଯେ ଏହାର ଉତ୍ପାଦନ ପାଇଁ ମିଲ ନାହିଁ। ସରକାରଙ୍କ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ଏମଏସପି ଘୋଷଣା କରାଯାଏ ନାହିଁ। ତେଣୁ ଏହାକୁ ନେଇ ଚାଷୀ ଆଗ୍ରହୀ ହୁଏ ନାହିଁ। ବାସମତୀ ଚାଉଳ ଚାଷ ପାଇଁ ପ୍ରୋସେସିଂ ୟୁନିଟ କରାନଗଲେ ଏହି ଚାଷକୁ ସଫଳତା ମିଳିବ ନାହିଁ। ବରଗଡ଼ ଜିଲ୍ଲାର ଲହଣ୍ଡା ଏବଂ ଚକୁଳିରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ବାସମତୀ ଚାଉଳ ପାଇଁ ଚାଷ ପରୀକ୍ଷାମୂଳକ ଭାବରେ କରାଯାଉଛି।

କୃଷି ବୈଜ୍ଞାନିକ କହିଛନ୍ତି, ରାଜ୍ୟରେ ଯଦି ୮୦ ପ୍ରକାର ଦେଶୀ ବାସମତୀ ବିହନ ରହିଛି ତେବେ ଏଠାରେ ନିଶ୍ଚିତ ଭାବରେ ଏହି ଚାଉଳ ପାଇଁ ଚାଷର ଭିତ୍ତିଭୂମି ରହିଛି। ଉଭୟ ଚାଷୀ ଏବଂ ସରକାର ଏଥିପ୍ରତି ଆଗ୍ରହ ଦେଖାଇବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ କୃଷି ବିଭାଗ ପକ୍ଷରୁ କୁହାଯାଇଛି, ଆଜି ପର୍ଯ୍ୟନ୍ତ ଓଡ଼ିଶା ପକ୍ଷରୁ ଅଣବାସମତୀ ଚାଉଳ ବାହାରକୁ ପଠାଯାଉଛି। ବାସମତୀ ଚାଉଳ ପଠାଇବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। କେଉଁ ଅଞ୍ଚଳରେ ଏହି ଚାଷ ହୋଇ ପାରିବ ଏବଂ କେତେ ଖର୍ଚ ହେବ ଏଥିପାଇଁ ପରୀକ୍ଷା ସରିଛି। ଏହା କାର୍ଯ୍ୟକାରୀ ହେଲେ ଭିଟାମିନଯୁକ୍ତ ଚାଉଳ ପରେ ବାସ୍ନା ଚାଉଳ ଯୋଗାଣରେ ବି ଓଡ଼ିଶା ସୁନାମ ଅର୍ଜନ କରିବ।