ଗୋଲାମୁଣ୍ଡା/କେଗାଁ/ଖଲିଆକାନି/କୋକସରା: ଆସନ୍ତା ୫ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜୋର୍‌ଦାର୍ ଚାଲିଛି। ବୁଧବାର ଗୋଲାମୁଣ୍ଡା ବ୍ଲକ୍‌ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଖେଳପଡ଼ିଆରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବାକୁ ଧାର୍ଯ୍ୟ ହୋଇଛି। ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଉପଜିଲ୍ଲାପାଳ ବେଦଭୂଷଣ, ବ୍ଲକ୍‌ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡିଓ ଶ୍ରୀଧର ପଣ୍ଡା, ତହସିଲଦାର ଅଶୋକ ପଟ୍ଟନାୟକ, ଏସ୍‌ଡିପିଓ ଧୀରଜ ଚୋପଦାର, ଗୋଲାମୁଣ୍ଡା ଆଇଆଇସି ରମଣୀରଂଜନ ଦଳେଇ ପ୍ରମୁଖ ବୃନ୍ଦାବାହାଲ ଖେଳପଡ଼ିଆ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଥିଲେ।

Advertisment

ଅନ୍ୟପକ୍ଷରେ ଘୋଟିଆ ଧାନ ମଣ୍ଡିରେ ଗୋଲାମୁଣ୍ଡା ବ୍ଲକ୍‌ ବିଜେଡି କର୍ମୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ୍‌ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥି, ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନୀ ରାଉତ, ମିସନ ଶକ୍ତିର ପ୍ରମୁଖ ନେତ୍ରୀ ଚେତନା ମାଝୀ, ବୃନ୍ଦାବାହଲ ସରପଞ୍ଚ ଦୀନେଶ ରାଉତ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପାୱାର ସଚିନ ପ୍ରକାଶ, ଧର୍ମଗଡ଼ ଉପ ଜିଲ୍ଲାପାଳ ଆମପାଣି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆସିବାକୁ ଥିବା ରାସ୍ତାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ତଦାରଖ କରିଛନ୍ତି। ଆମପାଣି ପଥପ୍ରାନ୍ତ କେନ୍ଦ୍ରରେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୋଷଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କୋକସରା ବିଡିଓ ଦେବବ୍ରତ କରାଟି, ବ୍ଲକ ବିଜେଡି ସଭାପତି ସୁଶାନ୍ତ ବେହେରା, ଆଦିବାସୀ ଯୁବନେତା ୠତୁରାଜ ମାଝୀ, ଭାବେଶ ଗଇନ୍ତା, ଯୁବନେତା ମାନସ ବାଗ, ମନୋରଞ୍ଜନ ବାଣୁଆ ପ୍ରମୁଖ ଆଲୋଚନା କରିଛନ୍ତି।