ପୁରୀ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ନୌସେନାର ଅଭ୍ୟାସ। ଡିସେମ୍ବର ୪ରେ ପ୍ରଦର୍ଶିତ ହେବ ଅସଲ ପରାକ୍ରମ। ସୁରକ୍ଷା ଦୃଷ୍ଟିରୁ ପୁରୀରେ ହାଇଆଲର୍ଟ ଜାରି ହୋଇଛି। ରାଷ୍ଟ୍ରପତି ତଥା ତିନି ସେନାବାହିନୀର ମୁଖ୍ୟ ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ୪ ତାରିଖ ଅପରାହ୍ଣ ୩ଟା ୫୫ରେ ବ୍ଲୁ ଫ୍ଲାଗ୍ ନିକଟରେ ପହଞ୍ଚିବା ପରେ ୪ଟାରେ ମଞ୍ଚାସୀନ ହେବେ। ୪ଟା ୭ରେ ଜାତୀୟ ସଂଗୀତ ଗାନ କରାଯିବ। ୪ଟା ୧୦ରେ ନୌସେନାର ପରାକ୍ରମୀ ପ୍ରଦର୍ଶନ ଆରମ୍ଭ ହେବ। ସନ୍ଧ୍ୟା ୫ଟା ୨୦ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ମେରାଇନ୍ କମାଣ୍ଡୋ (ମାର୍କୋସ୍)ମାନେ ସେମାନଙ୍କ ରଣକୌଶଳ ପ୍ରଦର୍ଶନ କରିବେ। ରାଷ୍ଟ୍ରପତି ପ୍ରସ୍ଥାନ କରିବା ପରେ ଲେଜର୍ ସୋ, ସମୁଦ୍ରରେ ଫାୟାର ୱାର୍ ଓ ଡ୍ରୋନ୍ ସୋ ପ୍ରଦର୍ଶିତ ହେବ। ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ଏହି ଅନନ୍ୟ ପ୍ରଦର୍ଶନୀ ଜାରି ରହିବ ବୋଲି ଆଜି ସ୍ବତନ୍ତ୍ର ପ୍ରଦକ୍ଷିଣ ଗୃହରେ ନୌସେନା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ନୌସେନାର କମାଣ୍ଡର ପ୍ରଦୀପ ପଟେଲଙ୍କ କହିବା ମୁତାବକ, ମୋଟ୍ ୧୫ଟି ଯୁଦ୍ଧଜାହାଜ ସମେତ ୪୦ଟି ଏୟାରକ୍ରାଫ୍ଟ ସେମାନଙ୍କ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ଉଭୟ ସମୁଦ୍ର ଓ ଆକାଶରେ ୨୦ ପ୍ରକାର ରଣକୌଶଳ ପ୍ରଦର୍ଶିତ ହେବ। ଏହାବ୍ୟତୀତ ଏନ୍ସିସି କ୍ୟାଡେଟ୍ଙ୍କ ନିଆରା ନୃତ୍ୟ ତଥା ଡ୍ରିଲ୍, ନାଭାଲ୍ ମ୍ୟୁଜିକ୍ ବ୍ୟାଣ୍ଡ୍ ଏବଂ ମଞ୍ଚ ଉପରେ ନୌସେନାଙ୍କ ରୋମାଞ୍ଚକାରୀ ଡ୍ରିଲ୍ ଦର୍ଶକଙ୍କୁ ନିଆରା ଅନୁଭବ ଆଣିଦେବ। କେବଳ ସେତିକି ନୁହେଁ; ବୁଡ଼ାଜାହାଜ, ପାଣି ଜାହାଜ, ଟ୍ୟାଙ୍କ୍, ପାରା ଜମ୍ପର୍ସଙ୍କ ପ୍ରଦର୍ଶନ ମଧ୍ୟ ଦେଖିବାର ସୁଯୋଗ ମିଳିବ।
ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଅପରାହ୍ଣ ୪ରୁ ଆରମ୍ଭ ହେବ ଭବ୍ୟ ସମାରୋହ
ଆଇଏନ୍ଏସ୍ ଚିଲିକାର କମାଣ୍ଡର ଦୀପକ ଅନିଲ କହିଛନ୍ତି, ନୌବାଣିଜ୍ୟ ଯାତ୍ରାର ପ୍ରତୀକ ଭାବେ ବାଲିଯାତ୍ରା ପାଳନ କରାଯାଉଥିବା ବେଳେ ଆମ ନୌବାହିନୀ ଏହି ଐତିହ୍ୟ ସହ ସମ୍ପୃକ୍ତ। ୧୯୭୧ ମସିହା ଯୁଦ୍ଧରେ ଭାରତୀୟ ନୌସେନା ପାକିସ୍ତାନର ବନ୍ଦର ସହର କରାଚି ଉପରେ ଭୟଙ୍କର ଆକ୍ରମଣ କରି କରାଚିକୁ ଧ୍ବଂସବିଧ୍ବଂସ କରିଦେଇଥିଲା। ଏହାର ସ୍ମୃତିରେ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରାଯାଇଆସୁଛି। ଏହା ଆମ ନୌସେନାର ପରାକ୍ରମୀ ଦକ୍ଷତାର ପରିଚାୟକ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଥିଲେ, ଓଡ଼ିଶାରେ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଗର୍ବର ବିଷୟ। ଲକ୍ଷାଧିକ ପର୍ଯ୍ୟଟକ ତଥା ଦର୍ଶକଙ୍କ ସମାଗମକୁ ନଜରରେ ରଖି ଆଜିଠାରୁ ସ୍ବତନ୍ତ୍ର ସୁରକ୍ଷା ଓ ଟ୍ରାଫିକ କଟକଣା ଲାଗୁ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/02/89JQ5dAw95sWv9XHeuQi.jpg)