ଟିପିଓଡିସିଏଲ୍‌ ପକ୍ଷରୁ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି: ୨୪ ଘଣ୍ଟିଆ କଲ୍‌ ସେଣ୍ଟର୍‌ ବ୍ୟବସ୍ଥା

ଭୁବନେଶ୍ବର : ଆସନ୍ତା ୨୫ ତାରିଖରେ ସାମୁଦ୍ରିକ ବାତ୍ୟା ‘ୟାସ୍‌’ ଓଡ଼ିଶା ଉପକୂଳରେ ମାଡ଼ ହେବା ଯୋଗୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବା ସମ୍ଭାବନା ରହିଛି। ବାତ୍ୟାର ମୁକାବିଲା କରିବା ପାଇଁ ଟିପିଓଡିସିଏଲ୍‌ ଏକ ସମ୍ପୂର୍ଣ୍ଣ ବିଜିନେସ୍‌ କଣ୍ଟିନିୟୁଟି ଆଣ୍ଡ୍‌ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ପ୍ଲାନ୍‌ (ବିସିଡିଏମ୍‌ପି) ପ୍ରସ୍ତୁତ କରିଛି। ଏଥିପାଇଁ ଏକ ୨୪ ଘଣ୍ଟିଆ ଟୋଲ୍‌ ଫ୍ରି କଲ୍‌ ସେଣ୍ଟର ଖୋଲାଯିବ। କଲ୍‌ ସେଣ୍ଟର ନମ୍ବରଗୁଡ଼ିକ ହେଲା ୧୯୧୨ ଓ ୧୮୦୦୩୪୫୭୧୨୨କୁ କୌଣସି ଜରୁରୀ ସେବା ଲାଗି ଜନସାଧାରଣ କଲ୍‌ କରିପାରିବେ। ଏ ନେଇ ଟିପିଓଡିସିଏଲ୍‌ ପକ୍ଷରୁ ଏକ ପ୍ରେସ୍‌ ବିବୃତି ଜାରି କରି ସୂଚନା ଦିଆଯାଇଛି।

ପ୍ରେସ୍‌ ବିବୃତି ଅନୁଯାୟୀ ରୋଗୀଙ୍କ ଚିକିତ୍ସାରେ ଜରୁରୀ ଅକ୍ସିଜେନ୍‌ ପ୍ଲାଣ୍ଟ ପାଇଁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣକୁ ଅବ୍ୟାହତ ରଖାଯିବ। ଏହାସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ବିଦ୍ୟୁତ ସରବରାହ ଯେପରି ବ୍ୟାହତ ନହେବ, ସେଥିପାଇଁ କ୍ବିକ୍‌ ରେସ୍‌ପନ୍‌ସ ଟିମ୍‌ ଗଠନ କରାଯାଇଛି। ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଅଞ୍ଚଳରେ ସୁରକ୍ଷା ଦୃଷ୍ଟିରୁ କେତେଗୁଡ଼ିଏ କାର୍ଯ୍ୟ ନ କରିବାକୁ ବିଦ୍ୟୁତ ବଣ୍ଟନ କମ୍ପାନି ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ଯେପରିକି ବିଜୁଳି ମାରିବା ସମୟରେ କୌଣସି ତାର କିମ୍ବା ପ୍ଲମ୍ବିଂକୁ କେହି ସ୍ପର୍ଶ କରିବେ ନାହିଁ। ଅତ୍ୟଧିକ ପବନ, ବଜ୍ରପାତ ଓ ବୃଷ୍ଟିପାତ ସମୟରେ କୌଣସି ବୃକ୍ଷ କିମ୍ବା ସାମୟିକ ଢାଞ୍ଚା ତଳେ ଆଶ୍ରୟ କେହି ନେବେ ନାହିଁ। ଓଦା ହାତରେ କିମ୍ବା ବିନା ଗ୍ଲୋବ୍‌ସ୍‌, ସୁରକ୍ଷା ଜୋତା ନ ପିନ୍ଧି କୌଣସି ବିଦ୍ୟୁତ ଉତ୍ସକୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି। ବର୍ଷା ପରେ ପାଣି ବୋହିଯାଉଥିବା ଡ୍ରେନ୍‌ ନିକଟରେ ପିଲାମାନଙ୍କୁ ଖେଳିବାକୁ ନ ଦେବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର