ରଥଯାତ୍ରା ପାଇଁ ଦଇତାପତି ନିଯୋଗର ପ୍ରସ୍ତୁତି: ଠାକୁରଙ୍କ ଉପରେ ଭାରା ଦେବେନି ଦଇତାପତି

ଯୁବ ଦଇତାପତିଙ୍କ ଆଚରଣ, ନୀତି ଶୃଙ୍ଖଳା ଉପରେ ଗୁରୁତ୍ବ
୮ ବରିଷ୍ଠ ଦଇତାପତିଙ୍କୁ ସମ୍ବର୍ଦ୍ଧନା

ପୁରୀ : ଆଉ ଦେଢ଼ ମାସ ପରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରାଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରଥଯାତ୍ରାକୁ ଦଇତାପତି ନିଯୋଗ ସଂପାଦନ କରିବ। ଏଥିପାଇଁ ନିଯୋଗ ପକ୍ଷରୁ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି। ରବିବାର ଦିନ ନୀଳାଦ୍ରି ଭକ୍ତ ନିବାସରେ ନିଯୋଗ ପକ୍ଷରୁ ଯୁବ ଦଇତାପତିଙ୍କୁ ନେଇ ଏକ ବଡ଼ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାରେ ନୀତି ଶୃଙ୍ଖଳା ସହ ଆଚରଣ ଓ ଉଚ୍ଚାରଣ କିଭଳି ରହିବ, ସେ ଉପରେ ଯୁବ ଦଇତାପତିଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ଯେଭଳି ଶୃଙ୍ଖଳିତ ଶେଷ ହେବ ଓ କେହି ଠାକୁରଙ୍କ ଉପରେ ଯେଭଳି ଭାରା ଦେବେନି ସେ ଉପରେ ନିଯୋଗ ନିଷ୍ପତ୍ତି ନେଇଛି। ଏହି ଅବସରରେ ମହାପ୍ରଭୁଙ୍କ ସେବା କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ୮ଜଣ ବରିଷ୍ଠ ସେବାୟତଙ୍କୁ ନିଯୋଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଦଇତାପତି ନିଯୋଗର ପୂର୍ବତନ ସଂପାଦକ ସ୍ବର୍ଗତ ପ୍ରେମାନନ୍ଦ ଦାସମହାପାତ୍ରଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରାଯାଇଛି।

ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ଯୁବ ଦଇତାପତିଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଆସୁଥିଲେ ବି ଫନି, କୋଭିଡ୍‌ଜନିତ କଟକଣା ଆଦି ପାଇଁ ଦୀର୍ଘ ବର୍ଷ ଧରି ଏହା ବନ୍ଦ ରହିଥିଲା। ଦୀର୍ଘ ବର୍ଷ ପରେ ଚଳିତବର୍ଷ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ନିଯୋଗର ସଭାପତି, ସଂପାଦକମାନେ ଉପସ୍ଥିତ ଥିଲେ। ଶତାଧିକ ଯୁବ ଦଇତାପତି ଏହି ପ୍ରଶିକ୍ଷଣରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର