ବାଲେଶ୍ବର: କରୋନା ଟିକାକରଣ ପାଇଁ ବାଲେଶ୍ବର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଡ୍ରାଏ ରନ୍ ବା ପ୍ରସ୍ତୁତି ପର୍ବ। ଶନିବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଡ୍ରାଏରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଡିଏମ୍ଙ୍କ ସମେତ ୫ ଜଣିଆ ବିଶେଷଜ୍ଞ ଟିମ୍ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ସହରର ବିଭିନ୍ନ ୱାର୍ଡରୁ ଟିକା ପାଇବା ପାଇଁ ପଞ୍ଜୀକରଣ କରିଥିବା ୨୫ଜଣ ଆଶାକର୍ମୀଙ୍କୁ ସାମିଲ କରାଯାଇଥିଲା। ଉପସ୍ଥିିତ ଥିବା ବିଶେଷଜ୍ଞ ଟିମ୍ ସମ୍ପୃକ୍ତ ଆଶାକର୍ମୀମାନଙ୍କୁ ଟିକାକରଣ ସମ୍ପର୍କରେ ସଚେତନ କରିବା ସହ ଡେମୋ ଦେଖାଇଥିଲେ। ଯେଉଁଥିରେ ସେମାନଙ୍କୁ ମିଛିମିଛିକା ଟିକା ମଧ୍ୟ ଦିଆଯାଇଥିଲା। ଟିକା ଦେବା ପରେ କିଭଳି ନୀରିକ୍ଷଣରେ ରଖାଯିବ। ପ୍ରତିଟି ପଦକ୍ଷେପକୁ ନେଇ ବିଶେଷଜ୍ଞମାନେ ତାଲିମ୍ ଦେଇଥିଲେ।
ଟିକା ନେଉଥିବା ବ୍ୟକ୍ତିର କାଳେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବ ସେଥିପାଇଁ ତାଙ୍କୁ ଟିକା ଗ୍ରହଣ କରିବାର ଅଧଘଣ୍ଟା ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯିବ। ଯଦି ସେଭଳି କୌଣସି ଲକ୍ଷଣ ଦେଖାଦିଏ ତୁରନ୍ତ ସେଠାରେ ଉପସ୍ଥିତ ଥିବା ଡାକ୍ତରୀ ଦଳ ସେମାନଙ୍କୁ ଚିକିତ୍ସା କରିବେ। ଯଦି କେହି ଅଧିକ ଗୁରୁତର ହୁଅନ୍ତି ତୁରନ୍ତ ସେମାନଙ୍କୁ ବଡ଼ ଡାକ୍ତରଖାନାକୁ ଅଣାଯିବ। ଏଥିପାଇଁ ସମସ୍ତ କେନ୍ଦ୍ରରେ ସ୍ବତନ୍ତ୍ର ଡାକ୍ତରୀଦଳକୁ ମୁତୟନ କରାଯିବ। ଡ୍ରାଏ ରନ୍ ସମୟରେ କୋଭିଡ-୧୯ରୁ ସମସ୍ତ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସିଡିଏମ୍ଓ ଏବଂ ବିଶେଷଜ୍ଞ ଟିମ୍କୁ ପରାମର୍ଶ ଦେଇଥିଲେ।
ଟିକା ନେଉଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ରହିବ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା
ତେବେ ପ୍ରଥମ ପର୍ଯ୍ୟାୟରେ ପଞ୍ଜୀକରଣ କରିଥିବା ୧୩,୬୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ମାଗଣାରେ ଟିକା ଦିଆଯିବ। ଯେଉଁଥିରେ ଡାକ୍ତର, ନର୍ସ, ଏଏନ୍ଏମ୍, ଆଶା ଏବଂ ଅଙ୍ଗୱାଡି କର୍ମୀ ସାମିଲ୍ ଅଛନ୍ତି। ଏଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୩୪ଟି କେନ୍ଦ୍ର ଚିହ୍ନଟ କରାଯାଇଛି। ବିଶେଷକରି ସ୍କୁଲ୍ଗୁଡ଼ିକୁ ଟିକା ପ୍ରଦାନ କେନ୍ଦ୍ରଭାବେ ଚିହ୍ନଟ କରାଯାଇଛି। ଯେଉଁଥିରେ ଅତିକମ୍ରେ ୩ଟି ରୁମ୍ ଏବଂ ପାଇଖାନାର ବ୍ୟବସ୍ଥା ରହିଥିବ। ସମ୍ପୃକ୍ତ ୩ଟି ରୁମ୍ ଟିକାକରଣ ଗୃହ, ପ୍ରତୀକ୍ଷାଳୟ ଓ ନୀରିକ୍ଷଣ ଗୃହ ଭାବରେ ବ୍ୟବହାର କରାଯିବ। ପ୍ରତିଦିନ ଉକ୍ତ କେନ୍ଦ୍ରରେ ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସିଡିଏମ୍ଓ ଡାକ୍ତର ଦୁଲାଲ୍ସେନ୍ ଜଗଦେବ ସୂଚନା ଦେଇଛନ୍ତି। ଉପସ୍ଥିତ ଥିବା ବିଶେଷଜ୍ଞ ଟିମ୍ରେ ଡିପିଏଚ୍ଓ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, ଏଡିଏମ୍ଓ(ମେଡିକାଲ୍) ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ଏଡିଏମ୍ଓ(ପରିବାର କଲ୍ୟାଣ) ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ଡିପିଏମ୍ ଡାକ୍ତର ଅନିଲ୍ କୁମାର ମହାନ୍ତି ଉପସ୍ଥିତ ଥିଲେ।