କୋଭିଡ୍‌ ମୁକାବିଲା ପାଇଁ ପ୍ରସ୍ତୁତି ଜୋର୍‌ଦାର୍‌: ୭ଦିନ ଭିତରେ ସବୁ ହସ୍ପିଟାଲ ପ୍ରସ୍ତୁତ ହେବ

ଏଥର ବି ଘରୋଇ ହସ୍ପିଟାଲକୁ ସାମିଲ୍‌ କରାଗଲା, ସବୁ ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ମୁହାଁ ହେବା ପରେ ରାଜ୍ୟ ସରକାର କୋଭିଡ ମୁକାବିଲା ନେଇ ଜୋରଦାର ପ୍ରସ୍ତୁତି କରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରସ୍ତୁତିର ସମୀକ୍ଷା କରି ନିର୍ଦ୍ଦେଶ ଦେଇଛନ୍ତି ଯେ, ୭ଦିନ ମଧ୍ୟରେ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଶଯ୍ୟା, ଆଇସିୟୁ, ଆମ୍ବୁଲାନ୍ସ, ତାଲିମପ୍ରାପ୍ତ ଡାକ୍ତର, ନର୍ସ, ସ୍ବାସ୍ଥ୍ୟ ସହାୟକ ଷ୍ଟାଫ୍‌ମାନଙ୍କୁ ମୁତୟନ କରାଯିବ। ଏନେଇ ସମସ୍ତ ଜିଲ୍ଲାପାଳ, ପୌର କମିସନର, ସରକାରୀ ଓ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଆବଶ୍ୟକୀୟ ପଦକ୍ଷେପ ନେବେ।

ଗୁରୁବାର ଦିନ ଲୋକସେବା ଭବନରୁ ମୁଖ୍ୟ ସଚିବ ଡିଜିଟାଲ ମୋଡରେ ଜିଲ୍ଲାପାଳ, ପୌରସଂସ୍ଥା କର୍ତ୍ତୃପକ୍ଷ, ସରକାରୀ ଓ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ଜିଲ୍ଲା, ପୌରାଞ୍ଚଳ ସମେତ ରାଜ୍ୟ ସ୍ତରରେ ନିର୍ଦ୍ଧାରିତ ପ୍ରୋଟକଲ୍ ଅନୁଯାୟୀ ରାପିଡ୍ ରେସ୍ପନ୍ସ ଟିମ୍, କଲ୍ ସେଣ୍ଟର, ନିୟନ୍ତ୍ରଣ କକ୍ଷ, ଆମ୍ବୁଲାନ୍ସ ଆଦି ଠିକ୍ ଭାବେ ନିୟୋଜିତ କରିବା ସହ ତୁରନ୍ତ ଟେଷ୍ଟିଂ, ଟ୍ରାକିଂ ଏବଂ ଚିକିତ୍ସା‌ ନିମନ୍ତେ ସମୁଦାୟ ବ୍ୟବସ୍ଥାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ। ବିଭିନ୍ନ ଦେଶ ଓ ରାଜ୍ୟରେ ତୃତୀୟ ଲହରର ସଂକ୍ରମଣ ହାର ଅଧିକ ଥିବାରୁ ଆମ ରାଜ୍ୟରେ ବି ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନିମନ୍ତେ ଅଧିକ ମାତ୍ରାରେ ପ୍ରସ୍ତୁତ ରହିବାକୁ ହେବ। ଏଥିପାଇଁ ଆବଶ୍ୟକୀୟ ଓୗଷଧ, ପରୀକ୍ଷା ଉପକରଣ, ଚିକିତ୍ସା ସରଞ୍ଜାମ, ଅକ୍ସିଜେନ୍ ଆଦି ଆଗୁଆ ମହଜୁଦ୍ ରଖିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ଘରୋଇ ହସ୍ପିଟାଲ୍, ସରକାରୀ ଓ ବେସରକାରୀ ନିଗମ ଏବଂ ପୌରାଞ୍ଚଳଗୁଡ଼ିକ ମଧ୍ୟରେ ସମନ୍ୱିତ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକୀୟ ସଦ୍ୟତନ ଗାଇଡଲାଇନ୍ ପଠାଇବା ନିମନ୍ତେ ମୁଖ୍ୟ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ କୁହାଯାଇଛି।

ଏହି ବୈଠକରେ ସମ୍, କିମ୍‌ସ, ହାଇଟେକ୍, ଆଦିତ୍ୟ-ଅଶ୍ୱିନୀ ଆଦି ବଡ଼ ବଡ଼ ହସ୍ପିଟାଲର ଅଧିକାରୀମାନେ ଯୋଗଦେଇ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେଉଁ କେଉଁ ସ୍ଥାନରେ ସେମାନେ ତୁରନ୍ତ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରିପାରିବେ ତାହା ଜଣାଇଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଅନୁଗୁଳ, ତାଳଚେର, ପୁରୀ, ଗଞ୍ଜାମ, ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବାରିପଦା, ବଲାଙ୍ଗିର, କନ୍ଧମାଳ, ରାଉରକେଲା, ଗଜପତି ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ଖୋଲିବ। ଏହା ଛଡ଼ା ସମସ୍ତ ସରକାରୀ ହସ୍ପିଟାଲରେ କୋଭିଡ୍ ଚିକିତ୍ସାର ବ୍ୟବସ୍ଥା ରହିବ। ଆକ୍ରାନ୍ତମାନଙ୍କୁ ସରକାରୀ ଖର୍ଚ୍ଚରେ ପରୀକ୍ଷା, ଆମ୍ବୁଲାନ୍ସ୍ ସେବା ଓ ଚିକିତ୍ସା ଆଦି ଯୋଗାଇ ଦିଆଯିବ। ଏଥିପାଇଁ ରୋଗୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ବୈଠକରେ କହିଥିଲେ ଯେ, କୋଭିଡ୍‌ର ଦ୍ବିତୀୟ ଲହରରେ ସମୁଦାୟ ୫୫ଟି ସ୍ୱତନ୍ତ୍ର କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ କରୁଥିଲା । ଏହାବାଦ୍ ସରକାରୀ ହସ୍ପିଟାଲ୍‌ଗୁଡ଼ିକରେ କୋଭିଡ଼୍ ଚିକିତ୍ସାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଦ୍ବିତୀୟ ଲହର ସମୟରେ ଅସ୍ଥାୟୀ ମେଡିକାଲ୍ କେନ୍ଦ୍ର, କୋଭିଡ୍ କେୟାର କେନ୍ଦ୍ର, ସ୍ୱତନ୍ତ୍ର କୋଭିଡ଼୍ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ ଆଦିରେ ପ୍ରାୟ ୯୪,୦୦୦ ବେଡ୍ ପ୍ରସ୍ତୁତ ରଖାଯାଇଥିଲା। ଆଇସିୟୁ ଏବଂ ଏଚ୍‌ଡିୟୁ ଗୁଡ଼ିକରେ ପ୍ରାୟ ୩୫୦୦ ବେଡ୍ ପ୍ରସ୍ତୁତ କରାଯାଇଥିଲା। ୧୧୦୨ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ ହୋଇଥିଲା।

ଏହି ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଜନସ୍ବା‌ସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥି‌େଲ। ବିଭିନ୍ନ ପୌର ପରିଷଦର କମିସନର ଓ ଜିଲ୍ଲାପାଳମାନେ ସେମାନଙ୍କ ସହର ଏବଂ ଜିଲ୍ଲାର ବାସ୍ତବ ସ୍ଥିତି ଏବଂ କୋଭିଡ୍ ପ୍ରସ୍ତୁତି ନେଇ ସଦ୍ୟ ତଥ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର