ଓଡ଼ିଆ ସିନେ ଇତିହାସରେ ଯୋଡ଼ିହେବ ନୂଆ ଫର୍ଦ୍ଦ : ପ୍ରଥମ ଓଡ଼ିଆ ନିର୍ବାକ୍ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତି

କଟକ : ଓଡ଼ିଆ ସିନେମା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି। ପ୍ରଥମଥର ପାଇଁ ଏକ ନିର୍ବାକ୍ ଚଳଚ୍ଚିତ୍ର ପ୍ରସ୍ତୁତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଦେଶରେ ଅନ୍ୟ ଭାଷାରେ ନିର୍ବାକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି। ଏମିତିକି ବହୁ ବର୍ଷ ପୂର୍ବେ ପ୍ରଖ୍ୟାତ ଅଭିନେତା, ନିର୍ଦ୍ଦେଶକ କମଳାହାସନ୍ ‘ପୁଷ୍ପକ’ ନାମରେ ଏକ ନିର୍ବାକ ଚଳଚ୍ଚିତ୍ର ବି ପ୍ରସ୍ତୁତ କରିଥିଲେ। କିନ୍ତୁ ୧୯୩୬ରେ ପ୍ରସ୍ତୁତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ସବାକ୍ ଥିବାବେଳେ ‌୮୫ ବର୍ଷ ଇତିହାସରେ କୌଣସି ନିର୍ବାକ ଚଳଚ୍ଚିତ୍ର ନିର୍ମାଣ ହୋଇନାହିଁ। କିନ୍ତୁ ସବାକ୍ ଚଳଚ୍ଚିତ୍ର ଯୁଗରେ ନିର୍ବାକ ଚଳଚ୍ଚିତ୍ର ପ୍ରସ୍ତୁତ କରିବାର ଆହ୍ବାନକୁ ସାମନା କରିବାକୁ ଯାଉଛନ୍ତି କିଛି ଅନୁଭବି ତଥା ବରିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ। ‘ମିଷ୍ଟର ଟୁକ୍‌ଟୁକ୍‌’ ନାମରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ ହେବାକୁ ଯାଉଛି। ଉମେଶ ଦାସ (ଟନିଆ) ଏହାର ନିର୍ଦ୍ଦେଶନା ଦେବାକୁ ଯାଉଥିବା ବେଳେ ଟୁକୁ ଶ୍ରୀଚନ୍ଦନ, ବୁଲ୍‌ବୁଲ୍ ଓ ସନ୍ଦୀପ ପାଣି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ବିନ୍ଦାସ ମଣିଷର ଜୀବନ ଚର୍ଯ୍ୟାକୁ ନେଇ ହାସ୍ୟରସାତ୍ମକ ଏହି ନିର୍ବାକ ଚଳଚ୍ଚିତ୍ର ଓଡ଼ିଆ ସିନେ ଇତିହାସରେ କେବଳ ଏକ ନୂଆ ଫର୍ଦ୍ଦ ଯୋଡ଼ିବ ନାହିଁ, ବରଂ ଦର୍ଶକଙ୍କୁ ଏକ ନୂଆ ସ୍ବାଦ ଦେବ ବୋଲି ଆଶା କରାଯାଉଛି। ଆସନ୍ତାକାଲି କଟକର କଳାବିକାଶ କେନ୍ଦ୍ର‌ ନିକଟରେ ଏହାର ମହୁରତ୍ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର