ଶ୍ରୀମନ୍ଦିର ଐତିହ୍ୟ କରିଡର ଭୂମିପୂଜନ ପ୍ରସ୍ତୁତି

ତିଆରି ଚାଲିଛି ମହାଯଜ୍ଞ ପିଣ୍ଡି

ପୁରୀ : ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆରମ୍ଭ ହେବ ଭୂମିପୂଜନ। ଶ୍ରୀମନ୍ଦିର ପରିଚାଳନା କମିଟି ଏଥିପାଇଁ ମହାଯଜ୍ଞର ଆୟୋଜନ କରିଛି। ନଭେମ୍ବର ୨୨ରୁ ୨୪ ତାରିଖ, ତିନିଦିନ ଧରି ଚାଲିବ ଏହି ମହାଯଜ୍ଞ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ପୂର୍ଣ୍ଣାହୁତି ଦେବେ। ଏଥିପାଇଁ ଚାଲିଛି ପ୍ରସ୍ତୁତିପର୍ବ। ଦୋଳବେଦି କୋଣରେ ଚିହ୍ନିତ ସ୍ଥାନରେ ତିଆରି ଚାଲିଛି ମହାଯଜ୍ଞ ପିଣ୍ଡି। କେବଳ ମୁଖ୍ୟମନ୍ତ୍ରୀଙ୍କ ସହମତିକୁ ଅପେକ୍ଷା ରହିଛି।

ପୂର୍ବରୁ ଗତ ଅକ୍ଟୋବର ୧୬ରୁ ୧୮ ତାରିଖ, ତିନିଦିନ ଧରି ଶ୍ରୀମନ୍ଦିର ଐତିହ୍ୟ କରିଡରର ଭୂମିପୂଜନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ମୁଖ୍ୟମନ୍ତ୍ରୀ ୧୮ ତାରିଖରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଲଘୁଚାପଜନିତ ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ଆଖିଆଗରେ ରଖି ସେତେବେଳେ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ୍‌ କରି ଦିଆଯାଇଥିଲା। ଏବେ ‌ନଭେମ୍ବର ୨୨, ୨୩ ଓ ୨୪ ତାରିଖ, ତିନିଦିନ ଧରି ଭୂମିପୂଜନ ସହ ମହାଯଜ୍ଞ ଆୟୋଜନ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ତାରିଖ ଧାର୍ଯ୍ୟ କରିଛି। ସେହି ଅନୁସାରେ ନଭେମ୍ବର ୨୪ ପୂର୍ଣ୍ଣାହୁତିରେ ଯୋଗଦେବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଚିଠି କରାଯାଇଛି। ମୁଖ୍ୟମନ୍ତ୍ରୀ ସହମତି ଦେଲେ ଧାର୍ଯ୍ୟ ତାରିଖ ଅନୁଯାୟୀ କାର୍ଯ୍ୟକ୍ରମ ଚାଲିବ। ଯଥେଷ୍ଟ ବିଳମ୍ବ ହୋଇ ସାରିଥିବାରୁ ମୁଖ୍ୟମନ୍ତ୍ରୀ ନ ଆସିଲେ ବି ନଭେମ୍ବର ଭିତରେ ଏହି ଭୂମିପୂଜନ କାର୍ଯ୍ୟ ସାରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଲକ୍ଷ୍ୟ ରଖିଛି। ଏହି ଦୃଷ୍ଟିରୁ ମହାଯଜ୍ଞ ମଣ୍ଡପ ତିଆରିରେ ଲାଗିପଡ଼ିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନ କମିଟି ସଦସ୍ୟ। ଦୋଳବେଦି କୋଣ ଉତ୍ତରପାର୍ଶ୍ବ ମଠ ସମ୍ମୁଖରେ ଏହି ମହାଯଜ୍ଞ ମଣ୍ଡପ ତିଆରି ଚାଲିଛି। ଏ ଭିତରେ ଅନୁକୂଳ ଖୁଣ୍ଟି ବି ପୋତା ସରିଛି। ମାଟି ଖୋଳାଯାଇ ସିମେଣ୍ଟ ଓ ଇଟାରେ କାନ୍ଥ ଉଠାଯାଉଛି। ଭବ୍ୟ କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରାୟ ୩ଶହ ଲୋକ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର